ନନ୍ଦନକାନନ : ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା। ବର୍ଷକ ମଧ୍ୟରେ ବିକଶିତ ହେବ ଭିଲିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଗଣ୍ଡା, ଚିତା, ବିଦେଶୀ ମାଙ୍କଡ଼ ଆଦି ଅଣାଯିବ। ନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ସେହିପରି ଉତର-ପୂର୍ବ ଦୃଶ୍ୟପଟ ପାନୋରମା ଖୁଆଡ଼ ସମେତ ୨୦ ଖୁଆଡ଼ ଉଦ୍ଘାଟନ ପରେ ସେଥିରେ ଜୀବଜନ୍ତୁ ଛଡ଼ା ଯାଇଛି। ଏହା ସହ ନନ୍ଦନକାନନରେ ଜନ୍ମ ହୋଇଥିବା ବାଘ, ସିଂହ, ସିମ୍ପାଞ୍ଜି ଆଦିଙ୍କ ଶାବକଙ୍କ ନାମକରଣ ମଧ୍ୟ କରାଯାଇଥିଲା। ବାଘୁଣୀ ଅଙ୍କିତାର ଶାବକ ନାମ କାହ୍ନା, ବାଘୁଣୀ ରୁପାର ୨ଶାବକ ନାମ ଯଥାକ୍ରମେ ଅରୁଣ ଓ ଅର୍ଜୁନ, ବାଘୁଣୀ ମୌସୁମୀର ଶାବକ ନାମ ଅନନ୍ୟା, ସିଂହୀ ରେୱାର ୨ ଶାବକ ନାମ ରକି ଓ ଲକି, ସିମ୍ପାଞ୍ଜି ରାକ୍ଷୀର ଶାବକ ନାମ ପୁଷ୍ପା ଓ ସିମ୍ପାଞ୍ଜି ଦୁର୍ଗାର ଶାବକ ନାମ ସୂରଜ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ୧୨୦ କୋଟି ଟଙ୍କାରେ କାଞ୍ଜିଆ ହ୍ରଦରୁ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ସହ ନୂତନ ଖୁଆଡ଼ ନିର୍ମାଣ ଓ ପୁରୁଣା ଖୁଆଡ଼ ନବୀକରଣ କରାଯିବ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଓ କ୍ରୟ କରି ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଦେଶବିଦେଶରୁ ଚିତା, ଗଣ୍ଡା, ଗୋଲ୍ଡେନ୍ ମାଙ୍କଡ଼, ଚଷମା ମାଙ୍କଡ଼ ଆଦି ଆଣିବା ପାଇଁ ଯୋଜନା ଚାଲିଛି। ନନ୍ଦନକାନନ ପକ୍ଷରୁ ନନ୍ଦନକାନନ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଓ ନନ୍ଦନକାନନ ଶିକ୍ଷା ବିଭାଗ ପକ୍ଷରୁ ମୁକ୍ତାକାଶ ପାଠଶାଳା ଉପରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ନନ୍ଦନକାନନରେ ରହୁଥିବା ଜୀବଜନ୍ତୁଙ୍କୁ ୬୯ ଜଣ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ତ, ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ (ପିସିସିଏଫ) ପ୍ରେମ କୁମାର ଝା ଯୋଗ ଦେଇଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ।
ଉତ୍ସବରେ ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ଶିକ୍ଷାମୂଳକ ପୁସ୍ତିକା, ରାଜ୍ୟ ଉଦ୍ଭିଦ ଉଦ୍ୟାନ ପୁସ୍ତିକା ସହିତ ନନ୍ଦନକାନନ ହାଇଲାଇଟ୍ – ୨୦୨୫ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବନପାଳ, ବନରକ୍ଷୀ, ଜନ୍ତୁ ରକ୍ଷକ, ନିରାପତା ସମେତ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ସବରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ନନ୍ଦନକାନନର ପୂର୍ବତନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ପୂର୍ବତନ ଏସିଏଫ୍ କମଳଲୋଚନ ପୁରୋହିତ, ପୂର୍ବତନ ବନାଂଚଳ (ରେଞ୍ଜର) ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍ସବ ପରିଚାଳନାରେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ଓ ଜନ୍ତୁ ଏସିଏଫ୍ ନୂତନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ।