ବନ୍ୟା: ୨୦ ଜିଲ୍ଲାର ୧୪ ଲକ୍ଷ ପ୍ରପୀଡ଼ିତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ତାଜା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ରାଜ୍ୟର ୨୦ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି ଏବଂ ୧୪ ଲକ୍ଷ ୩୨ ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଏସଆରସି ।

୨୦ ଜିଲ୍ଲାର ୧୧୨ଟି ବ୍ଲକ ଓ ଏହା ଅନ୍ତର୍ଗତ ୮୯୬ ଟି ପଞ୍ଚାୟତ ଏବେ ପାଣି ଘେରରେ। ୩୨୫୬ଟି ଗାଁ ସହ ୨୧ ନଗରପାଳିକା ମଧ୍ୟ ରାଜ୍ୟରେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଆଜି ରାଜ୍ୟର ୩୪୦ଟି ଗାଁକୁ ପାଣି ପଶିଛି ଏବଂ ୨ ଲକ୍ଷ ୬୫ ହଜାର ଜନସାଧାରଣ ଏଥିଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ରାଜ୍ୟର ୫୭ ହଜାର ୮୨୪ ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଏବେସୁଧା ୩୫୭ ଟି ରନ୍ଧନ କେନ୍ଦ୍ର ଖୋଲିଛି।

ସେହିପରି ବନ୍ୟା ଯୋଗୁଁ ରାଜ୍ୟରେ ୧୭ ଜଣଙ୍କ ଜୀବନ ଯାଇଛି, ପ୍ରାୟ ୧୦ ହଜାର ୩୮୦ ରୁ ଉର୍ଦ୍ଧ୍ବ ବାସଗୃହ ଧ୍ୱଂସ ହୋଇଛି, ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ୧୧ ଜିଲ୍ଲାର ୧୦୭ଟି ମୁଖ୍ୟ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଛି।

ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ୧୪ ଏନଡିଆରଏଫ, ୧୭ ଓଡ୍ରାଫ ଏବଂ ୨୨ ଅଗ୍ନିଶମ ଟିମ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ୨୫୪ଟି ଡଙ୍ଗା, ୪୫ ସ୍ୱାସ୍ଥ୍ୟକର୍ମୀ ଏବଂ ୪୨ ପଶୁ ଚିକିତ୍ସକ ମଧ୍ୟ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି।