ରାଜସ୍ଥାନ: ଏମିତି ଏକ ଗାଁ ଯେଉଁଠି ପ୍ରତ୍ୟେକ ଘର ତଳେ ରହିଛି କବର। ଭାବନ୍ତୁ, ଆପଣଙ୍କୁ ଯଦି ଏଭଳି ଘରେ ମାତ୍ର ଗୋଟିଏ ରାତି ଶୋଇବାକୁ କୁହାଯାଏ। ଆପଣଙ୍କୁ କ’ଣ ନିଦ ହବ? କିନ୍ତୁ, ସେଇ ଘରେ ଲୋକେ ସପରିବାର ସହ ଖାଆନ୍ତି, ଶୁଅନ୍ତି, ବସାଉଠା କରନ୍ତି। ଶବଗୁଡ଼ିକୁ ଶ୍ମଶାନରେ ନ ପୋତି ଘର ତଳେ କାହିଁକି ପୋତାଯାଇଛି? ଏମିତି ପଛରେ ରହିଛି ଏକ କାହାଣୀ। ରାଜସ୍ଥାନରେ ବାସ କରନ୍ତି କାଲବେଲିଆ ସମ୍ପ୍ରଦାୟ। ଏମାନଙ୍କ ପରମ୍ପରା ଖୁବ୍ ନିଆରା। କାଲବେଲିଆ ସମ୍ପ୍ରଦାୟରେ ଯେତେବେଳେ କେହି ମୃତ୍ୟୁବରଣ କରନ୍ତି, ସେତେବେଳେ କିଛି ନିଆରା ଢଙ୍ଗରେ କବର ଦିଆଯାଏ।
ଏହି ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି ଯେ, ବଂଚିଥିବା ବେଳେ ମଣିଷ ସୀମାହୀନ ହୋଇଯାଏ। ଏହି ସମ୍ପ୍ରଦାୟର ଲୋକ ଶବଦାହ କରନ୍ତିନି। ସେମାନେ ମୁସଲିମ କିନ୍ତୁ ଶ୍ମଶାନରେ ପୋତି ପାରନ୍ତିନି ଶବ କାରଣ ଅନ୍ୟ ଜାତିର ଲୋକମାନେ ସେମାନଙ୍କ ଶ୍ମଶାନରେ କବର ଦେବାକୁ ଅନୁମତି ଦିଅନ୍ତି ନାହିଁ। ସେମାନଙ୍କର ନିଜସ୍ୱ ଶ୍ମଶାନ ଭୂମି ନାହିଁ, ତେଣୁ ସେମାନେ ଘରେ ହିଁ ଶବ ପୋତି ଦିଅନ୍ତି। ମୃତ୍ୟୁ ପରେ ଭୋର ସମୟରେ ସେମାନଙ୍କ ପ୍ରିୟଜନଙ୍କୁ କବର ଦେବାକୁ ପଡେ଼। ଯେତେବେଳେ କାଲବେଲିଆ ସମ୍ପ୍ରଦାୟର କେହି ମୃତ୍ୟୁବରଣ କରନ୍ତି, ସେମାନଙ୍କର ସବୁଠାରୁ ବଡ଼ ଚିନ୍ତା ହେଉଛି ଶବକୁ କେଉଁଠାରେ କବର ଦିଆଯିବ।
କାଲବେଲିଆ ସମ୍ପ୍ରଦାୟ ରାଜସ୍ଥାନର ଏକ ପାରମ୍ପରିକ ଯାଯାବର ସମ୍ପ୍ରଦାୟ। ସାପ ଧରିବା, ଲୋକନୃତ୍ୟ କରିବା ସହ ଗୀତ ଗାଇ ଏମାନେ ପେଟ ପୋଷନ୍ତି। ବ୍ରିଟିଶ ଶାସନ ସମୟରେ ଏହି ସମ୍ପ୍ରଦାୟକୁ “ଅପରାଧୀ ଜନଜାତି’ ଭାବେ ଘୋଷଣା କରାଯାଇଥିଲା। ସ୍ୱାଧୀନତା ପରେ ସେହି ଚିନ୍ତାଧାରା ସାମାଜିକ ଭେଦଭାବରେ ପରିଣତ ହୋଇଛି। ରାଜସ୍ଥାନରେ କାଳବେଲିଆ ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୨ରୁ ୩ ଲକ୍ଷ। ପାଲି, ଆଜମେର, ଯୋଧପୁର, ଜୟପୁର, ନାଗୌର ଏବଂ ସିକର ଭଳି ଜିଲ୍ଲାରେ ସେମାନଙ୍କର ବଡ଼ ଜନବସତି। ବର୍ତମାନ, ଅଧିକାଂଶ ଲୋକ ଲୋକନୃତ୍ୟ କରି ନିଜ ଜୀବିକା ନିର୍ବାହ କରନ୍ତି। ରାଜସ୍ଥାନର କିଛି ଲୋକନୃତ୍ୟରେ ମହିଳାମାନେ କଳା ପୋଷାକ ପିନ୍ଧି ନାଚନ୍ତି; ଯାହାର ନାଁ କାଳବେଲିଆ ନୃତ୍ୟ। ଏବେ ବି କାଲବେଲିଆ ସମ୍ପ୍ରଦାୟ ପାଇଁ ମୃତ୍ୟୁ ବି ଏକ ସଂଘର୍ଷ ପାଲଟିଛି।