ମୁମ୍ବାଇ: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁମ୍ବାଇ ରାଜନୀତିରେ ହଲଚଲ ବଢ଼ିଛି। ଏକନାଥ ସିନ୍ଦେଙ୍କ ଶିବସେନା ତା’ର ସବୁ କର୍ପୋରେଟରଙ୍କୁ ଗୋଟିଏ ପଂଚତାରକା ହୋଟେଲକୁ ନେଇଛି। ଶିବସେନାର ଏହି ପଦକ୍ଷେପ ମୁମ୍ବାଇ ମେୟର ପଦ ସହ ଯୋଡାଯାଉଛି।
୨୨୭ କର୍ପୋରେଟର ବିଶିଷ୍ଟ ବ୍ରିହନ ମୁମ୍ବାଇ ମହାନଗରପାଳିକା (ବିଏମ୍ସି) ନିର୍ବାଚନରେ ବିଜେପି ଏକାକୀ ୮୯ ଆସନ ହାତେଇଛି। ବହୁମତ ସଂଖ୍ୟା ରହିଛି ୧୧୪। ମୁମ୍ବାଇରେ ମେୟର ଆସନ ପାଇଁ ବିଜେପିକୁ ଆଉ ୨୫ କର୍ପୋରେଟର ଦରକାର।
ବିଜେପି ନେତୃତ୍ୱାଧୀନ ମେଂଟ ମହାୟୁତିରେ ଥିବା ସିନ୍ଦେଙ୍କ ଶିବସେନାକୁ ୨୯ ଆସନ ଯାଇଛି। ତେଣୁ ମେୟର ପଦବୀ ପାଇଁ ସିନ୍ଦେଙ୍କ ଶିବସେନା କିଙ୍ଗ୍ମେକର ହୋଇପାରେ। ଏହି ପଦବୀ ସିନ୍ଦେ ନିଜ ସମର୍ଥକଙ୍କ ନିକଟରେ ରଖିବାକୁ ଚାହୁଁଛନ୍ତି। ବିଏମ୍ସି ନିର୍ବାଚନରେ ଅଜିତଙ୍କ ଏନ୍ସିପି ୩ ଆସନ ପାଇଛି। ସେହିପରି ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ଏମ୍ଏନ୍ଏସ୍ ସହ ମେଂଟ କରି ବିଏମ୍ସି ନିର୍ବାଚନ ଲଢ଼ିଥିବା ବେଳେ ଏକାକୀ ୬୫ ଆସନ ଜିତିଛି। କଂଗ୍ରେସ ୨୪ ଆସନରେ ସନ୍ତୁଷ୍ଟ ହୋଇଛି।
ମୋଟ ୨୯ ନଗର ନିଗମ ମଧ୍ୟରୁ ବିଜେପି ୧୭ଟିରେ ବିଜୟୀ ହୋଇଛି। ଏବେ ସଭିଁଙ୍କ ନଜର ମେୟର ପଦ ଉପରେ ରହିଛି। ସଦ୍ୟ ନିର୍ବାଚନ ପରେ ମୁମ୍ବାଇ ପ୍ରଥମ କରି ଜଣେ ବିଜେପି ମେୟର ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ମେୟର ପଦରେ ଅନେକ ସମସ୍ୟା ରହିଛି। ତାହା ହେଲା ଅଦ୍ୟାବଧି ମେୟର ପଦକୁ ନେଇ ଚୂଡାନ୍ତ ଆଲୋଚନା ହୋଇପାରିନାହିଁ। ନଗର ନିଗମଗୁଡିକରେ ମେୟର ପଦ ପାଇଁ ସଂରକ୍ଷଣ ସ୍ଥିତି ବି ସ୍ପଷ୍ଟ ହୋଇନି। ୨୦୨୫ ନଭେମ୍ବର ୨୫ରେ ସୁପ୍ରିମକୋର୍ଟ ଓବିସି ସଂରକ୍ଷଣକୁ ନେଇ ଟିପ୍ପଣୀ ଦେଇଥିଲେ। କେତେକ ନଗର ନିଗମରେ ୫୦% ରୁ ଅଧିକ ସଂରକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ରିପୋର୍ଟ ଅନୁସାରେ, ସିନ୍ଦେ ଏବଂ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନରେ ଯେତିକି ଆଶା ଥିଲା ତାହା ହୋଇପାରିନି। ପରିଣାମ ଆଶାଜନକ ନ ହେବାରୁ ଏଥିଲାଗି ଏହି ଦୁଇ ଉପମୁଖ୍ୟମନ୍ତ୍ରୀ ବିଜେପି ସହ ଅସନ୍ତୁଷ୍ଟ ଅଛନ୍ତି। ଶନିବାର ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ବୈଠକକୁ ଦୁଇ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଓ ପାୱାର ଯାଇନାହାନ୍ତି। ସିନ୍ଦେ ଅସୁସ୍ଥତା ବାହାନା କରିଥିଲେ। ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ସ୍ପଷ୍ଟ କରିଛନ୍ତି, ମେୟର ପଦକୁ ନେଇ ବିବାଦ ନାହିଁ ଓ ସାମୂହିକ ନିଷ୍ପତି ଉପରେ ନିର୍ଭର କରେ।