ବ୍ୟାସଦେବ କହିଲେ – ” ହେ ଶିଷ୍ୟଗଣ ! ମୁଁ ତୁମମାନଙ୍କୁ ଧର୍ମ ସମ୍ବନ୍ଧୀୟ ପାଂଚଟି ଆଖ୍ୟାନ ଶୁଣାଇବି। ସେଥିମଧ୍ୟରୁ ଗୋଟିକର ଅନୁଷ୍ଠାନ କରି ମଧ୍ୟ ମନୁଷ୍ୟ ସୁଯଶ, ସ୍ୱର୍ଗ ତଥା ମୋକ୍ଷ ଲାଭ କରିପାରେ। ପିତାମାତାଙ୍କ ପୂଜା, ସ୍ୱାମୀଙ୍କ ସେବା, ସମସ୍ତଙ୍କ ପ୍ରତି ସମାନ ଭାବ ରଖିବା, ମିତ୍ରମାନଙ୍କ ପ୍ରତି ଦ୍ରୋହ ନ କରିବା ଓ ଭଗବାନ୍ ଶ୍ରୀବିଷ୍ଣୁଙ୍କର ଭଜନ କରିବା – ଏ ପାଂଚଟି ହେଉଛି ମହାଯଜ୍ଞ। ହେ ବ୍ରାହ୍ମଣଗଣ ! ପ୍ରଥମ ମହାଯଜ୍ଞ ହେଲା ପିତାମାତାଙ୍କ ସେବା। ପିତାମାତାଙ୍କ ସେବା ପୂଜା କରି ମନୁଷ୍ୟ ଯେଉଁ ଧର୍ମ ସାଧନ କରେ, ତାହା ଅନେକ ଯଜ୍ଞ ତଥା ତୀର୍ଥଯାତ୍ରା ଆଦି ଦ୍ୱାରା ମଧ୍ୟ ଦୁର୍ଲଭ। ସେଥିପାଇଁ କୁହା ଯାଇଛି “ପିତା ଧର୍ମ, ପିତା ସ୍ୱର୍ଗ ଓ ପିତା ହିଁ ପରମ ତପ। ପିତା ପ୍ରସନ୍ନ ହୋଇଗଲେ ସମସ୍ତ ଦେବତା ପ୍ରସନ୍ନ ହୋଇଯାଆନ୍ତି। ଯାହାର ସେବା ଓ ସଦ୍ଗୁଣରେ ପିତାମାତା ସନ୍ତୁଷ୍ଟ ରହନ୍ତି, ସେଇ ପୁତ୍ରକୁ ପ୍ରତିଦିନ ଗଙ୍ଗାସାନ୍ନର ଫଳ ମିଳେ। ମାତା ହେଉଛନ୍ତି ସର୍ବ ତୀର୍ଥମୟୀ ଓ ପିତା ସମସ୍ତ ଦେବତାଙ୍କର ସ୍ୱରୂପ।
ଏଣୁ ସବୁପ୍ରକାରେ ଯତ୍ନ ପୂର୍ବକ ପିତାମାତାଙ୍କ ସେବା କରିବା ଉଚିତ୍। ଯେ ପିତାମାତାଙ୍କୁ ପ୍ରଦକ୍ଷିଣ କରେ, ଜାଣନ୍ତୁ ସେ ସାତଦ୍ୱୀପଯୁକ୍ତ ସାରା ପୃଥିବୀ ପ୍ରଦକ୍ଷିଣ କରେ। ପିତାମାତାଙ୍କୁ ପ୍ରଣାମ କରିବା ସମୟରେ ଯାହାର ହାତ, ମୁଣ୍ଡ ଓ ଆଣ୍ଠୁ ଭୂମିରେ ଲାଗେ, ସେ ଅକ୍ଷୟ ସ୍ୱର୍ଗ ପ୍ରାପ୍ତ ହୁଏ। ଯେ ପର୍ଯ୍ୟନ୍ତ ପିତାମାତାଙ୍କର ଚରଣ ଧୂଳି ପୁତ୍ରର ମସ୍ତକ ଓ ଶରୀରରେ ଲାଗି ରହେ, ସେ ପର୍ଯ୍ୟନ୍ତ ସେ ଶୁଦ୍ଧ ରହେ। ଯେଉଁ ପୁତ୍ର ପିତାମାତାଙ୍କର ଚରଣ କମଳରେ ଜଳପାନ କରେ, ତା’ର କୋଟି କୋଟି ଜନ୍ମର ପାପ ନଷ୍ଟ ହୋଇଯାଏ। ସେହି ମନୁଷ୍ୟ ସଂସାରରେ ଧନ୍ୟ। ଯେଉଁ ନୀଚ ବ୍ୟକ୍ତି ପିତାମାତାଙ୍କ ଆଜ୍ଞା ଉଲ୍ଲଂଘନ କରେ, ସେ ମହାପ୍ରଳୟ ପର୍ଯ୍ୟନ୍ତ ନରକରେ ବାସ କରେ। ଯେ ରୋଗୀ, ବୃଦ୍ଧ, ଜୀବିକାର ହିତ, ଅନ୍ଧ ଓ ବଧିର ପିତାଙ୍କୁ ଛାଡି ଚାଲିଯାଏ, ସେ ଭୟଙ୍କର ନରକରେ ପଡେ। କେବଳ ସେତିକି ନୁହେଁ, ତାକୁ ଅତ୍ୟନ୍ତ, ମ୍ଲେଚ୍ଛ, ଓ ଚାଣ୍ଡାଳ ଯୋନିରେ ଜନ୍ମ ନେବାକୁ ପଡେ। ପିତାମାତାଙ୍କ ପାଳନ ପୋଷଣ ନକଲେ, ସମସ୍ତ ପୁଣ୍ୟ ନଷ୍ଟ ହୋଇଯାଏ। ପିତାମାତାଙ୍କୁ ଆରାଧନା ନକରି ପୁତ୍ର ତୀର୍ଥ ଓ ଦେବତାମାନଙ୍କର ସେବା କଲେ ମଧ୍ୟ ତାକୁ ସେସବୁର ଫଳ ମିଳେ ନାହିଁ – ସୁଧାଂଶୁ ପରିଡା