କାଚବୋତଲ ବଦଳରେ କାଗଜ ପ୍ୟାକେଟରେ ମଦ ବିକିବେ ମୋହନ ସରକାର । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି । ନୂଆ ଅବକାରୀ ନୀତିରେ ନିୟମ ଅଣାଯାଇ କୁହାଯାଇଛି ଯେ, ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରାଯିବ । ଏଭଳି ପ୍ୟାକେଜିଂ ବ୍ୟବସ୍ଥା ଓଡ଼ିଶାର ପରିବେଶକୁ ସୁହାଇବ ବୋଲି ସରକାରୀ କଳର ଆଗଧାଡ଼ିର ବାବୁଭାୟା ପରାମର୍ଶ ଦେଇଛନ୍ତି । ଅବଶ୍ୟ ଟେଟ୍ରା ପ୍ୟାକ୍ କେଉଁ ଦୃଷ୍ଟିରୁ ପରିବେଶ ପାଇଁ ଅନୁକୂଳ ହେବ ତାହା ବୁଝିବା କଷ୍ଟକର । ବୋର୍ଡ (ମୋଟା) କାଗଜ, ପଲିଥିନ୍ ଓ ଆଲୁମିନିୟମ୍ ମିଶ୍ରଣରେ ପ୍ରସ୍ତୁତ ଟେଟ୍ରା ପ୍ୟାକ୍ର ଭିତର ଅଂଶ ଜଳରେ ଓଦା ହୁଏନାହିଁ । କିନ୍ତୁ ଟେଟ୍ରା ପ୍ୟାକ୍ ପ୍ରସ୍ତୁତିରେ ଯେଉଁସବୁ ଉପାଦାନ ରହୁଛି ସେଗୁଡ଼ିକ କାଗଜ ବ୍ୟତୀତ ବାୟୋଡିଗ୍ରେଡେବଲ ବା ମାଟିରେ ସହଜେ ମିଶିବ ନାହିଁ । ଆଲୁମିନିୟମ୍ ଭଳି ପଦାର୍ଥ ମାଟିରେ ମିଶିବା ପାଇଁ ୨୦୦ରୁ ୫୦୦ ବର୍ଷ ଲାଗିଥାଏ । ସେହିଭଳି ପଲିଥିନ୍ ବା ପଲିମର୍ସକୁ ୨୦ରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଲାଗିଥାଏ ମାଟିରେ ମିଶିବା ପାଇଁ । ଏଣୁ ଟେଟ୍ରା ପ୍ୟାକ୍ର ଦ୍ୱିତୀୟ ବ୍ୟବହାର ନ ଥିବାରୁ ଏହା ପରିବେଶର ବିରାଟକାୟ କ୍ଷତି କରିଥାଏ ।
ସରକାରଙ୍କ ଉପରଲିଖିତ ଦୃଢ଼ୋକ୍ତି ସମ୍ପୂର୍ଣ୍ଣ ଭାବେ ଅସତ୍ୟ ତଥ୍ୟ ଉପରେ ଆଧାରିତ ବୋଲି ବୁଝାପଡୁଛି । ଏହା ବ୍ୟତୀତ ମନେରଖିବାକୁ ହେବ ଯେ, ଆଲୁମିନିୟମ୍ ପ୍ରସ୍ତୁତିରେ ବକ୍ସାଇଟ ଓ ବିଦ୍ୟୁତ୍ଶକ୍ତିର ବ୍ୟବହାର ମୁଖ୍ୟତଃ ହୋଇଥାଏ । ଏହା ଏକ ହେଭି ମେଟାଲ ହୋଇଥିବାରୁ ମଦ ଭଳି ଜଳ ଏବଂ ଆଲ୍କୋହଲ ମିଶ୍ରିତ କମ୍ପାଉଣ୍ଡ୍ ବା ଯୌଗିକ ବସ୍ତୁ ସହ ପ୍ରତିକ୍ରିୟା ହେବ । ଏହି ପ୍ରତିକ୍ରିୟାର କୁଫଳ ଟେଟ୍ରା ପ୍ୟାକ୍ରୁ ମଦ ପିଉଥିବା ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ବିଭିନ୍ନ ମାରାତ୍ମକ ରୋଗ ଆରମ୍ଭ କରିବ । ସେହି ଟେଟ୍ରା ପ୍ୟାକ୍ରେ ଫଳରସ ବା ଗୋରସ ରହିଲେ କୌଣସି ରାସାୟନିକ ପ୍ରତିକ୍ରିୟା ହୋଇ ନ ଥାଏ । ଅନ୍ୟ ଦେଶଗୁଡ଼ିକରେ ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସାଧାରଣତଃ ଟେଟ୍ରା ପ୍ୟାକ୍ରେ ମଦ ମିଳେ ନାହିଁ । ଦକ୍ଷିଣ ଓ ପଶ୍ଚିମ ଭାରତର କେତୋଟି ରାଜ୍ୟରେ ଏବେ ଟେଟ୍ରା ପ୍ୟାକ୍ରେ ମଦ ମିଳୁଛି । ଏହିସବୁ ରାଜ୍ୟ ହେଲେ କର୍ନାଟକ, ମହାରାଷ୍ଟ୍ର ଏପରିକି ଉତରରେ ଉତରପ୍ରଦେଶ । ୧୮ ନଭେମ୍ବର ୨୦୨୫ରେ ସୁପ୍ରିମକୋର୍ଟ ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି ବିପଜ୍ଜନକ ବୋଲି କହିଥିଲେ । ଜୁସ୍ ପ୍ୟାକେଟ ପରି ଦେଖାଯାଉଥିବାରୁ ପିଲାଙ୍କ ହାତରେ ଏଭଳି ଟେଟ୍ରା ପ୍ୟାକ୍ ପଡ଼ିଗଲେ ମାତାପିତା ଓ ଶିକ୍ଷକମାନେ ସେଥିରେ ନିଶାଦ୍ରବ୍ୟ ଅଛି କି ନାହିଁ ଜାଣିବା କଷ୍ଟକର ହୋଇପଡ଼ିବ । ଏକ ମାମଲାରେ ‘ଅଫିସର୍ସ ଚଏସ୍’ ତିଆରି କରୁଥିବା ଆଲାଇଡ ବ୍ଲେଣ୍ଡର୍ସ ଏବଂ ‘ଅରିଜିନାଲ ଚଏସ୍’ ନାମରେ ହୁଇସ୍କି ବିକ୍ରି କରୁଥିବା ଜନ୍ ଡିଷ୍ଟିଲର୍ସ ଜଡ଼ିତ ଥିଲେ । ସେମାନଙ୍କ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଏକ ରୋଚକ ମୋଡ଼ରେ ପହଂଚିଲା ଯେଉଁଥିରେ ଦୁଇଟି କମ୍ପାନୀ ଇଂଟେଲେକ୍ଚୁଆଲ ପ୍ରପର୍ଟି ଆପିଲେଟ ବୋର୍ଡ (ଆଇପିଏବି) ନିକଟରେ ପରସ୍ପରର ଟ୍ରେଡ୍ମାର୍କ ସଂଶୋଧନ ପାଇଁ ଆବେଦନ କରିଥିଲେ । ଏକ ଆଦେଶରେ ଆଇପିଏବି ଦୁଇଟି ଆବେଦନକୁ ଖାରଜ କରି କହିଥିଲା ଯେ, ଟ୍ରେଡମାର୍କରେ ଏତେ ସମାନତା ନାହିଁ ଯାହା ଗ୍ରାହକଙ୍କୁ ଭ୍ରମରେ ପକାଇବ । କିନ୍ତୁ ନଭେମ୍ବର ୭ ତାରିଖରେ ମାଡ୍ରାସ ହାଇକୋର୍ଟର ଏକ ଡିଭିଜନ ବେଂଚ୍ ‘ଅରିଜିନାଲ ଚଏସ୍’ ଟ୍ରେଡ୍ମାର୍କକୁ ‘ଅଫିସର୍ସ ଚଏସ୍’ ସହିତ ସମାନତା ଥିବାରୁ ସଂଶୋଧନ ନିର୍ଦ୍ଦେଶ ଦେଇଥିଲେ ।
ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଠାରେ ବିଭିନ୍ନ ଆକାରର ବୋତଲ ଓ ଟେଟ୍ରା ପ୍ୟାକ୍ ଖଣ୍ଡପୀଠକୁ ଦେଖାଯାଇଥିଲା । ଏହି ଟେଟ୍ରା ପ୍ୟାକ୍ଗୁଡ଼ିକ ଦେଖି ସୁପ୍ରିମ୍କୋର୍ଟ ଖଣ୍ଡପୀଠ ଆଶ୍ଚର୍ଯ୍ୟ ବ୍ୟକ୍ତ କଲେ ଓ ଏହାର ନକାରାତ୍ମକ ଦିଗ ଉପରେ ଦୃଷ୍ଟି ଦେବାକୁ ଯାଇ ସତର୍କ କରାଇଲେ । ଖଣ୍ଡପୀଠ ଏହା ମଧ୍ୟ କହିଲେ ରାଜ୍ୟ ସରକାରଗୁଡ଼ିକ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ରାଜସ୍ୱ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ । ସରକାର ତାଙ୍କ ଆୟ ବଢ଼ାଇବା ପାଇଁ ମଦକୁ ଏକ ବଡ଼ ଧରଣର ସୂତ୍ର ଭାବେ ଧରି ନେଇଛନ୍ତି । ଏଥିସହିତ ସରକାରଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ପର୍କିତ ମାଗଣା ଯୋଜନା ପରିଚାଳନା କରିବାକୁ ପଡୁଛି । ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସବୁପ୍ରକାର ସରକାରୀ ଖର୍ଚ୍ଚ ପୃଥିବୀର ସବୁ ଦେଶରେ ସମର୍ଥନ ପାଇଥାଏ । ବିକଶିତ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗବେଷଣା ସବୁବେଳେ ଚାଲିଥାଏ । ଘରୋଇ କମ୍ପାନୀଗୁଡ଼ିକ ଚାପରେ ଅନେକ କାର୍ଯ୍ୟ ହେଉଥିବା ସତ୍ୱେ ବିପରୀତ ଯୁକ୍ତି ଜୋର୍ସୋର ଶୁଣିବାକୁ ମିଳିଥାଏ । ଉଦାହରଣ ସ୍ୱରୂପ ୬ ବର୍ଷ ପୂର୍ବେ ହୋଇଥିବା କୋଭିଡ୍ ନିରାକରଣ ପାଇଁ ପୃଥିବୀର ୨/୩ଟି ଔଷଧୀୟ କମ୍ପାନୀ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଦେଲେ । ପୃଥିବୀବ୍ୟାପୀ ବୋକା ଜନସାଧାରଣ ଏହି ଟିକା ପାଇଁ ବାଡ଼ିଆପିଟା ହେଲେ । ସେହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କର ପ୍ରଥମ ଚାରିବର୍ଷିଆ ଶାସନ କାଳରେ ଟିକା ବିରୋଧରେ ଖୋଲାଖୋଲି ମତ ଦେବା ସହିତ ମୁହଁ ଢାଙ୍କିବାକୁ ଅସ୍ୱୀକାର କରିଥିଲେ । ତାଙ୍କ ସହିତ ଆମେରିକାରେ ‘ଆଂଟି ଭ୍ୟାକ୍ସର’ ନାମରେ ଏକ ବିରାଟ ଗୋଷ୍ଠୀ ଦେଶବ୍ୟାପୀ ସୃଷ୍ଟି ହେଲା, ଯେଉଁମାନେ କୋଭିଡ୍ ଭ୍ୟାକ୍ସିନ୍ ନେଲେ ନାହିଁ।
ସେହି ସମୟରେ ଛାତ ଉପରେ ଛିଡ଼ାହୋଇ ଘଂଟ ବାଡ଼େଇଥିବା କ୍ଳାନ୍ତ ଭାରତୀୟ ଉଡ଼ାଜାହାଜ, ରେଳଗାଡ଼ି, ସ୍କୁଲ ଓ କଲେଜରେ ନାମ ଲେଖାଇବା ସହିତ ଅନେକ ମୌଳିକ କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ସରକାରୀ ନିୟମ ଅନୁଯାୟୀ ଟିକା ନେବାର ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ ହୋଇଗଲା । ଏବେ ଜଣାପଡ଼ୁଛି ବିଶ୍ୱବ୍ୟାପୀ ଅନେକ ଲୋକଙ୍କ ମୃତ୍ୟୁ ବର୍ତମାନ ମଧ୍ୟ ଘଟୁଛି ସେହି କୋଭିଡ୍ ଭ୍ୟାକ୍ସିନ୍ର କୁପ୍ରଭାବ ଯୋଗୁ । ଏଥିରୁ ଶିଖିବା କଥା ଯେ ସରକାର ଅତ୍ୟନ୍ତ ସଜାଗ ରହି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟକୁ ଧ୍ୟାନ ଦେଲେ ଅସୁସ୍ଥ ଜନସାଧାରଣଙ୍କ ପାଇଁ ସରକାରୀ ଖର୍ଚ୍ଚ ହ୍ରାସ ପାଇବ ।