କନକତୋରାରୁ ପାରାଦୀପ: ମହାନଦୀ ବଂଚାଅ ଆହ୍ୱାନ

‘ମହାନଦୀ ଜଳ ବିବାଦର ସମାଧାନ ଆପୋସ ….

ଭୁବନେଶ୍ୱର: ‘ମହାନଦୀ ଜଳ ବିବାଦର ସମାଧାନ ଆପୋସ ଆଲୋଚନା ମାଧ୍ୟମରେ ହେବ । ଛତିଶଗଡ ସହ ଆଲୋଚନା କରାଯାଇ ସମାଧାନର ବାଟ ନିଶ୍ଚିତ ବାହାରିବ ।’ ରାଜ୍ୟ ସରକାର ପ୍ରାୟ ଏକ ବର୍ଷ ହେଲା ଏହି ଦୁଇ ଧାଡି ବାରମ୍ବାର କହି ଚାଲିଛନ୍ତି । କିନ୍ତୁ ସେହି ସମାଧାନର ପ୍ରକ୍ରିୟା କେତେ ବାଟ ଗଲା, ସେ ସମ୍ପର୍କରେ ରାଜ୍ୟବାସୀ ସନ୍ଦେହରେ ଓ ଅନ୍ଧାରରେ । ସନ୍ଦେହ ଏଇଥିପାଇଁ ବଢ଼ୁଛି ଯେ ଯଦି ଆପୋସ ଆଲୋଚନା ଆଗେଇଛି, ତେବେ ଟ୍ରିବ୍ୟୁନାଲ୍ ସଦସ୍ୟମାନେ କାହିଁକି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରୁ ଓଡିଶାକୁ କିଛି ଫାଇଦା ମିଳିବାର ସମ୍ଭାବନା ହିଁ ଦେଖାଯାଉନି । ମହାନଦୀ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଓ ସଦସ୍ୟ ୨୬ ତାରିଖରୁ ଓଡିଶା ଗସ୍ତରେ ଆସୁଛନ୍ତି । ସେମାନେ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମହାନଦୀ ଅବବାହିକା ପରିଦର୍ଶନ କରିବେ । ରାଜ୍ୟ ସରକାର ସେମାନଙ୍କୁ ରାଜ୍ୟ ଅତିଥିର ମାନ୍ୟତା ଦେଇ ଡାକିବେ । ତେବେ ଏହି ଗସ୍ତକୁ ନେଇ ରାଜ୍ୟବାସୀ ଆଶାବାଦୀ ନ ହେବା ପଛରେ ଯଥେଷ୍ଟ କାରଣ ବି ରହିଛି । ୨୦୨୩ ମେ’ ମାସରେ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡିଶା ଓ ଛତିଶଗଡ ବୁଲିଥିଲେ । ୯ ଦିନ ଓଡିଶାରେ ରହି ସବୁ ଜାଗା ପରିଦର୍ଶନ କରିଥିଲେ ।

କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ଓଡିଶାକୁ ସାମାନ୍ୟ ଆଶ୍ୱସ୍ତ କଲା ପରି କୌଣସି ଅନ୍ତରୀଣ ରାୟ ଆସିପାରି ନାହିଁ । ଓଡିଶା ସରକାରଙ୍କ ପକ୍ଷରୁ ଅଣମୌସୁମୀ ସମୟରେ ଜଳ ପ୍ରବାହ ନେଇ ଅନ୍ତରୀଣ ରାୟ ପାଇଁ ବାରମ୍ବାର ଯୁକ୍ତି ସତ୍ୱେ ତାହା ଟ୍ରିବ୍ୟୁନାଲ୍‌ରେ ଗୃହୀତ ହୋଇ ନାହିଁ । ତିନି ବର୍ଷ ତଳେ ଟ୍ରିବ୍ୟୁନାଲ୍ ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କଲା ପରେ ଓଡିଶା ପ୍ରତି ଅନ୍ୟାୟ ହୋଇଥିବା ନିଶ୍ଚିତ ଅନୁଭବ କରିଥିବେ । କିନ୍ତୁ ତାହା ସତ୍ୱେ କୌଣସି ଅନ୍ତରୀଣ ରାୟ ଆସି ନ ଥିଲା । ଏମିତିରେ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ତିନି ଥର ବୃଦ୍ଧି ହୋଇସାରିଲାଣି । ଏବେ ପୁନର୍ବାର ସମ୍ପ୍ରସାରଣ ନେଇ ଆବେଦନ ହୋଇଛି । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । ଆପୋସ ସମାଧାନ ପାଇଁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ସୂଚନା ଦେଲେଣି । ଏହା ମଧ୍ୟରେ ବର୍ଷେ ବିତି ଯାଇଥିଲେ ବି କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ରାଜ୍ୟ ସରକାର ମହାନଦୀ ବିବାଦ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି କରିଛନ୍ତି । ସେହି କମିଟିର ବୈଠକ ଦୁଇଥର ବସିଲାଣି । ଏହି ପ୍ରସଙ୍ଗରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ବୈଠକ ବି ଏକାଧିକ ଥର ବସିଲାଣି । ଜାନୁଆରି ଶେଷ ସପ୍ତାହରେ ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ ଯିବ ବୋଲି ଗଣମାଧ୍ୟମରେ ସରକାର ଘୋଷଣା କରିଥିଲେ । ତାହା ପୂର୍ବରୁ ସର୍ବଦଳୀୟ କମିଟି ଏବଂ ମହାନଦୀ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଇଥିଲା । ନା ଆଲୋଚନା ହେଲା ନା ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ ଗଲେ । କାହିଁକି ଏହା ସ୍ଥଗିତ ରହିଲା, ତାହାର ଠୋସ୍ କାରଣ ବି ସାର୍ବଜନୀନ କରାଗଲା ନାହିଁ । ତେବେ ଛତିଶଗଡ ସରକାର ଏ ଦିଗରେ ସହଯୋଗ କରୁ ନଥିବା ଜଣାପଡିଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଉପରେ ରାଜ୍ୟ ସରକାର ସହଯୋଗ ମାଗିଛନ୍ତି । କିନ୍ତୁ କେନ୍ଦ୍ରରୁ ଏନେଇ ସବୁଜ ସଙ୍କେତ ମିଳିପାରିନାହିଁ । ସେଥିପାଇଁ ରାଜ୍ୟ ସରକାର ଆଉ ଆଲୋଚନାକୁ ଆଗେଇ ନେଇ ପାରୁନାହାନ୍ତି କି ମନ୍ତ୍ରୀମାନେ ଛତିଶଗଡ ଗସ୍ତ କରୁନାହାନ୍ତି । ବୁଦ୍ଧିଜୀବୀଙ୍କ କହିବା କଥା, ଛତିଶଗଡ ଯେହେତୁ ଭୁଲ୍ କରୁଛି ତେଣୁ ଆପୋସ ସମାଧାନରେ ଅସହଯୋଗ କରିବା

ସ୍ୱାଭାବିକ । ମହାନଦୀ ଜଳ ପ୍ରସଙ୍ଗରେ ଓଡିଶା କ୍ଷତିଗ୍ରସ୍ତ ରାଜ୍ୟ ଥିବାରୁ ଓଡିଶା ଲଢ଼େଇ କରୁଛି । କିନ୍ତୁ ଛତିଶଗଡ ଲାଭରେ ଥିବାରୁ ସେ ଏ ଦିଗକୁ ଗୁରୁତ୍ୱ ଦେଉ ନାହିଁ । ଓଲଟା ଓଡିଶାର ପ୍ରତିବାଦକୁ ହେୟଜ୍ଞାନ କରି ମହାନଦୀ ଉପରେ ବ୍ୟାରେଜ୍‌, ବାଲିବନ୍ଧ ନିର୍ମାଣ କରିଚାଲିଛି । ଅଣମୌସୁମୀ ସମୟରେ ଓଡିଶାକୁ କ୍ଷତି ପହଂଚାଇ ଚାଲିଛି । ତେଣୁ ଛତିଶଗଡ ସହ ଆପୋସ ସମାଧାନ ପାଇଁ ରାଜ୍ୟ ସରକାର କିପରି ଆଶାବାଦୀ, ତାହା ବୁଝାପଡୁ ନାହିଁ । ଏହା କେବଳ ସମୟ ଗଡିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ଲୋକ ବୁଝିସାରିଲେଣି । ମହାନଦୀ ପ୍ରସଙ୍ଗରେ ଓଡିଶାରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ସମାଧାନ ପାଇଁ ଯେତିକି ଆଗ୍ରହୀ ନୁହେଁ, ରାଜନୀତି ରୁଟି ସେକିବାକୁ ସେତିକି ତତ୍ପର । ମହାନଦୀ ଜଳବିବାଦର ସମାଧାନ ବାଟ ବାହାରୁ ନ ଥିବାରୁ ବର୍ତମାନର ମନ୍ତ୍ରୀମାନେ ପୂର୍ବ ସରକାରକୁ ଦାୟୀ କରି ଚାଲିଛନ୍ତି । ଆଉ ବିଜେଡି ବର୍ତମାନର ସରକାରକୁ ଦାୟୀ କରୁଛି । କିନ୍ତୁ ଉଭୟ ସରକାରଙ୍କ ସମୟରେ ମହାନଦୀ ବିବାଦର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ ହୋଇ ନ ଥିବା ସମସ୍ତେ ଅନୁଭବ କରୁଛନ୍ତି । ପୂର୍ବ ସରକାର ସମୟରେ ସମସ୍ତ ପ୍ରକାର ସୁଯୋଗ ଥିଲେ ବି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ହକ୍ ଛଡାଇ ଆଣିବାକୁ ତତ୍‌କାଳୀନ ବିଜେଡି ସରକାର ଜୋରଦାର ଉଦ୍ୟମ କରି ନଥିଲେ । ସେହିପରି ବର୍ତମାନର ସରକାର ବି କୌଣସି ଅଦୃଶ୍ୟ କାରଣରୁ ଏହି ପ୍ରସଙ୍ଗରେ ପାଦେ ଆଗେଇ ପାଦେ ପଛାଉଥିବା ଦେଖିବାକୁ ମିଳୁଛି । ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ୨୦୨୩ ମସିହାରେ ଟ୍ରିବ୍ୟୁନାଲ୍ ସଦସ୍ୟ ଓ ବିଶେଷଜ୍ଞମାନଙ୍କ ଗସ୍ତ ବ୍ୟୟବହୁଳ ଥିଲା । ଓଡିଶା ରାଜକୋଷରୁ ଏଥି ପାଇଁ ପ୍ରାୟ ପାଂଚକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ରାଜ୍ୟ କ’ଣ ଲାଭ ପାଇଲା, ତାହା ଜଣାପଡିଲାନି । କାବେରୀ ଜଳବିବାଦରେ ଟ୍ରିବ୍ୟୁନାଲ୍ ଏକ ବର୍ଷ ଭିତରେ ଅନ୍ତରୀଣ ରାୟ ଦେଇଥିଲେ । କିନ୍ତୁ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ କିଛି ରାୟ ଦେଉ ନାହାନ୍ତି । ତେଣୁ ଏହି ଗସ୍ତକୁ ଆମେ ନାପସନ୍ଦ କରୁଛୁ ।

ସୂଚନାଯୋଗ୍ୟ, ମହାନଦୀ ଟ୍ରିବୁନାଲ ଆସନ୍ତା ଫେବ୍ରୁଆରି ୨୬ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି ।
ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ସଦସ୍ୟକ୍ଷ ଜଷ୍ଟିସ୍ ଇନ୍ଦରମୀତ କୌର କୋଚର ତାଙ୍କ ସ୍ୱାମୀ ଜଷ୍ଟିସ୍ ଏ. କେ. ପାଠକ, ଜଷ୍ଟିସ ରବି ରଞ୍ଜନଙ୍କ ଝିଅ ଭବ ପ୍ରିୟଦର୍ଶିନୀ, ନାତି ଗୁରୁ ବିକ୍ରମଦିତ୍ୟ, ହିସାବ କାରକ ଏ.କେ. ସିଂହ, ଆସେସାର କୃଷ୍ଣନୁନ୍ନି ଏନ.ଏମ.,ରେଜିଷ୍ଟ୍ରର ଚନ୍ଦନ ମୁଖାର୍ଜୀ, ସୁରକ୍ଷା ଅଧିକାରୀ ଅନିଲ ଦତ ଶର୍ମା, ସୁଜିତ କୁମାର ଗିରି, ବିଭାଗ ଅଧିକାରୀ ମନୋଜ କୁମାର ପ୍ରମୁଖ ଏହି ଟିମରେ ଅଛନ୍ତି ।