ନେପାଳରେ ୨୦୨୫ ସେପ୍ଟେମ୍ବରରେ ମୁଣ୍ଡ ଟେକିଲା ଜେନ୍-ଜି ବିପ୍ଳବ । ତାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଅନୁଭୂତ ହୋଇଥିଲା । ନେପାଳରେ କେ.ପି. ଶର୍ମା ଓଲିଙ୍କ ମେଂଟ ସରକାର ପତନ ଘଟିଲା । ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଥିଲେ ସୁଶୀଳା କାର୍କି । ବିଧିବଦ୍ଧ ସରକାର ପତନର ୬ ମାସ ପରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ନବଗଠିତ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆର୍ଏସ୍ପି) ବୃହତ୍ ବିଜୟ ଦିଗରେ ଅଗ୍ରସର ହେଉଛି । ରାପରରୁ ରାଜନେତା ପାଲଟିଥିବା ତଥା କାଠମାଣ୍ଡୁର ପୂର୍ବତନ ମେୟର ୩୫ ବର୍ଷୀୟ ବଳେନ୍ଦ୍ର ଶାହା ନେପାଳର ପରବର୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକୁ ପଛରେ ପକାଇ ରବି ଲାମିଛାନେଙ୍କ ନେତୃତ୍ୱରେ ଆର୍ଏସ୍ପି ଏବେ ସଫଳତା ପାଇବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ସବୁଠାରୁ ଆଗରେ ରହିଥିବା ଦେଶବ୍ୟାପୀ ଚର୍ଚ୍ଚା ହେଉଛି ।
ରବି ନେପାଳର ନଗରକୋଟ୍ରେ ୧୩ ସେପ୍ଟେମ୍ବର ୧୯୭୫ରେ ଜନ୍ମଗ୍ରହଣ କରିଥିଲେ । ରାଜନୀତି ପୂର୍ବରୁ ସେ ନେପାଳର ଘରେ ଘରେ ଟେଲିଭିଜନ୍ ବ୍ୟକ୍ତିତ୍ୱ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପ୍ରସିଦ୍ଧ ସାମ୍ବାଦିକ ତଥା ଟେଲିଭିଜନ ଖବର ଉପସ୍ଥାପକ ଭାବେ ସେ ଦୁର୍ନୀତି ବିରୋଧୀ ପ୍ରସଙ୍ଗ ଆଲୋଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୨୨ ନିର୍ବାଚନର ଠିକ୍ ପୂର୍ବରୁ ଯେତେବେଳେ ସେ ଆରଏସ୍ପି ଗଠନ କରିଥିଲେ, ସେତେବେଳେ ସେ ଦେଶବାସୀଙ୍କୁ ଏକ ସରଳ ପ୍ରତିଶ୍ରୁତି ଦେଇଥିଲେ; ଯାହାର ସ୍ଲୋଗାନ ଥିଲା ‘ପୁରୁଣା ରାଜନୈତିକ ଦଳଗୁଡ଼ିକ ବିଫଳ ହୋଇଛନ୍ତି ଏବଂ ଏବେ ଏକ ସ୍ୱଚ୍ଛ ବିକଳ୍ପ ଆସିଛି ।’ ସେପ୍ଟେମ୍ବର ୨୦୨୫ର ଜେନ୍-ଜି ବିପ୍ଳବ ପରବର୍ତୀ ପ୍ରଥମ ସଂସଦୀୟ ନିର୍ବାଚନରେ ସେହି ପ୍ରତିଶ୍ରୁତି ଫଳପ୍ରସୂ ହେବାକୁ ଯାଉଛି । ନେପାଳର ପାରମ୍ପରିକ ନେତୃତ୍ୱଠାରୁ ରବିଙ୍କ ଆକର୍ଷଣ ରାଜନୀତିରେ ଭିନ୍ନ ଦିଗ ଦେଖାଇଛି । ବିଭିନ୍ନ ପ୍ରସଙ୍ଗକୁ ଅତି ନିଖୁଣ ଭାବେ ଲୋକଙ୍କ ନିକଟରେ କିଭଳି ପହଂଚାଇ ହେବ, ସେଥିପାଇଁ ସେ ନିଜସ୍ୱ ରଣନୀତି ସୃଷ୍ଟି କରିଥିଲେ । ରାଜନୈତିକ ବିଶ୍ଳେଷକଙ୍କ ମତରେ ‘ସେ ବିଚାରଧାରା ବିକ୍ରି କରୁ ନ ଥିଲେ, ବରଂ ଅଧୈର୍ଯ୍ୟତାକୁ ବିକ୍ରି କରୁଥିଲେ’ ।
ଏଭଳି ଏକ ନିଆରା ଛବି ପ୍ରଦର୍ଶନ ଆର୍ଏସ୍ପିକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା । ଫଳରେ ସହରାଂଚଳ ଭୋଟର, ନେପାଳୀ ଯୁବା ଏବଂ ବାରମ୍ବାର ସମାନ ମୁହଁଙ୍କୁ ଦେଖି ଅତିଷ୍ଠ ହୋଇଯାଇଥିବା ନାଗରିକଙ୍କୁ ଦଳର ଅଭିନବ ଶୈଳୀ ଆକର୍ଷିତ କରିଥିଲା । ଦେଖୁଦେଖୁ ରବି ଉପଯୁକ୍ତ ସଙ୍ଗଠକ ଆସନରେ ବସିବାର ଦକ୍ଷତା ଅର୍ଜନ କରିପାରିଥିଲେ । ଆର୍ଏସ୍ପିର ପ୍ରଥମ ସଫଳତା ପରେ ସେ ଶୀଘ୍ର କ୍ଷମତା ଭିତରକୁ ପ୍ରବେଶ କରିଥିଲେ । ସମୟର ଆବଶ୍ୟକତା ଦେଖି ସେ ପୁରୁଣା ଦଳଗୁଡ଼ିକର ମିଳିତ ପ୍ରୟାସକୁ ସମର୍ଥନ କଲେ ଏବଂ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ୍ ପ୍ରଚଣ୍ଡଙ୍କ ଅଧୀନରେ କିଛି ସମୟ ପାଇଁ ଉପ-ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ଅବଶ୍ୟ ତାଙ୍କୁ ସେତେବେଳେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । କାରଣ ଟେଲିଭିଜନ ଜରିଆରେ ସେ ଯାହାଙ୍କୁ ଆକ୍ରମଣ କରୁଥିଲେ ସେହି ବ୍ୟବସ୍ଥା ଭିତରେ ରହିଯାଇଥିଲେ । ପୁଣି ଜାନୁଆରୀ ୨୦୨୩ରେ ନେପାଳ ସୁପ୍ରିମକୋର୍ଟ ବେଆଇନ ନାଗରିକତା କାଗଜପତ୍ର ଯୋଗୁ ତାଙ୍କର ସାଂସଦ ପଦବୀ ରଦ୍ଦ କରିବାରୁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । ସୂଚନା ଦିଆଯାଇପାରେ ଯେ, ଭିଜିଟର ଭିଜା ବଳରେ ସେ ଆମେରିକାରେ ପ୍ରବେଶ କରି ପରବର୍ତୀ ସମୟରେ ୨୦୦୭ରୁ ୨୦୧୭ ଯାଏ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ । ପରେ ସେ ନେପାଳ ନାଗରିକତ୍ୱ ଗ୍ରହଣ କଲା ବେଳେ ଆବଶ୍ୟକ ପଦ୍ଧତି ଦେଇ ଯାଇ ନ ଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ସମସ୍ତ ସରକାରୀ ପଦରୁ ହଟାଇ ଦେଇଥିଲେ ।
୨୯ ଜାନୁଆରୀ ୨୦୨୩ରେ ସେ ବିଧିବଦ୍ଧ ଭାବେ ନେପାଳର ପୁନଃ ନାଗରିକତ୍ୱ ହାସଲ କରିଥିଲେ । ପରେ ରବି ୨୦୨୪ରେ ପୁଣି ସ୍ୱରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ତାଙ୍କର ଏଭଳି ଚରିତ୍ର ଦର୍ଶାଉଥିଲା ଯେ, ଯେତେବେଳେ କ୍ଷମତା ନିକଟବର୍ତୀ ହେଉଥିଲେ ସେ ବ୍ୟବସ୍ଥା ସହିତ ବୁଝାମଣା କରିବାକୁ ପ୍ରସ୍ତୁତ ଥିଲେ । ସେପ୍ଟେମ୍ବର ୨୦୨୫ର ଜେନ୍-ଜି ବିପ୍ଳବ ଦେଶର ରାଜନୈତିକ ଓ ସାମାଜିକ ଦୃଶ୍ୟପଟକୁ ବଦଳାଇ ଦେଇଥିଲା । ବିଦ୍ରୋହର ମୂଳ କାରଣ ଥିଲା ସୋସିଆଲ ମିଡିଆ ନିଷେଧ । କିନ୍ତୁ ଏହା ଦୁର୍ନୀତି, ବେକାରି ବିରୋଧରେ ଏକ ବ୍ୟାପକ ବିଦ୍ରୋହ ଥିଲା ବୋଲି ପ୍ରଚାର କରି ରବି ଟେଲିଭିଜନ ଉପସ୍ଥାପନା ଶୈଳୀରେ ସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ । ଏହା ସତ୍ୱେ ସମବାୟ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ସେ ଜେଲ୍ରୁ ମୁକୁଳି ଆସିଥିଲେ ।
ସେପ୍ଟେମ୍ବର ପରବର୍ତୀ ସମୟରେ କାଠମାଣ୍ଡୁ ମେୟର ବଳେନ୍ଦ୍ର ଶାହା (ବାଲେନ ଭାବେ ପରିଚିତ) ବୃହତ୍ ରାଜନୈତିକ ବଳୟକୁ ପ୍ରବେଶ କରିଥିଲେ । ଡିସେମ୍ବର ୨୦୨୫ରେ ସେ ଆର୍ଏସ୍ପିରେ ଯୋଗ ଦେଲେ । ଏହି ସମୟରେ ରବି ଚତୁରତା ପ୍ରଦର୍ଶନ କରି କହିଲେ ଆର୍ଏସ୍ପି ଜିତିଲେ ବାଲେନ ହେବେ ପ୍ରଧାନମନ୍ତ୍ରୀ । ନିଜକୁ ଦଳ ମୁଖ୍ୟ ରଖି ସେ ଯେଉଁ ଗୋଟି ଚଳାଇଲେ ତାହା ଆର୍ଏସ୍ପିକୁ ସଫଳତା ଦେବାରେ ସହାୟକ ହୋଇଛି । ଆଗକୁ ବାଲେନ ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ଶାସନର ଡୋରି ରବିଙ୍କ ହାତରେ ରହିବ ବୋଲି କୁହାଯାଉଛି ।ରବିଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ଇଶା ତାଙ୍କ ପ୍ରଥମ ସ୍ତ୍ରୀ ଥିଲେ ଓ ଉଭୟଙ୍କର ଦୁଇ ଝିଅ ଅଛନ୍ତି । ୨୦୧୯ରେ ଇଶାଙ୍କୁ ଛାଡ଼ପତ୍ର ଦେବା ପରେ ସେତେବେଳେ ନେପାଳ ଫିଲ୍ମ ଡେଭଲପ୍ମେଂଟ୍ ବୋର୍ଡର ଅଧ୍ୟକ୍ଷା ନିକିତା ପୌଡେଲଙ୍କୁ ବିବାହ କରିଥିଲେ ।