ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ । ଭାରତରେ ଉଚ୍ଚଶିକ୍ଷା ଅଧ୍ୟୟନ ଅତି ପୁରାତନ । ପ୍ରାଚୀନ ଭାରତରେ ନାଳନ୍ଦା, ତକ୍ଷଶିଳା, ବଲ୍ଲଭ, ଓଡାନ୍ତପୁରୀ, ବିକ୍ରମଶିଳା, ଜଗଦଲ୍ଲା, ସୋମପୁର, ସାରଦା ପୀଠ ଭଳି ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା । ତନ୍ମଧ୍ୟରୁ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଭୂମିକା ସ୍ୱତନ୍ତ୍ର ଥିଲା । ପୁରାତନ ଉଡ୍ର (ଓଡ଼ିଶା)ର ଯାଜପୁର ଅଂଚଳରେ ଏହା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ରୂପେ ସ୍ଥାପିତ ହୋଇଥିଲା । ଅନେକ ଐତିହାସିକ ଏବଂ ପ୍ରନôତତ୍ୱବିତ୍ଙ୍କ ମତରେ ଏହାର ପରିସର ସମଗ୍ର ହୀରକ ତ୍ରିଭୁଜ ଏବଂ ତାହାର ସଂଲଗ୍ନ ଅଂଚଳରେ ପରିବ୍ୟାପ୍ତ ହୋଇଥିଲା ।
କୁହାଯାଏ ଯେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଆରମ୍ଭ ହୋଇ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ତେଣୁ ତାହାକୁ ଭାରତରେ ସର୍ବପୁରାତନ ଏବଂ ସର୍ବବୃହତ୍ ବିଶ୍ୱବିଦ୍ୟାଳୟ କୁହାଯାଏ । ଯାଜପୁର ଜିଲ୍ଲାର ଅସିହା ପର୍ବତମାଳାରେ ସ୍ଥାପିତ ହୋଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା । ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ତାନ୍ତ୍ରିକ ବୌଦ୍ଧତତ୍ୱର ବଜ୍ରଯାନ, କାଳଚକ୍ର ଯାନ ଓ ସହଜଯାନ ସମ୍ପ୍ରଦାୟର ଏକ ଚର୍ଚ୍ଚିତ ଅଧ୍ୟୟନ କେନ୍ଦ୍ର ଥିଲା ।
ଚାଇନା ପରିବ୍ରାଜକ ହୁଏନ୍ସାଂ ଯେ କି ଉଡ୍ର (ଓଡ଼ିଶା)କୁ ୬୩୯ ଖ୍ରୀଷ୍ଟାବ୍ଦରେ ଆଗମନ କରି ସମୃଦ୍ଧ ଓଡ଼ିଶାର ଗୁଣଗାନ କରି ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ ତାଙ୍କର ପୁସ୍ତକ ସିୟୁକିରେ ଏହି ବିଷୟରେ ଏକ ବିବରଣୀ ପ୍ରକାଶ କରିଛନ୍ତି । ହୁଏନ୍ସାଂ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଅବସ୍ଥିତ ଥିବା ପାହାଡ଼ରେ ଅଲୌକିକ କିରଣ ବିଛୁରିତ ହେବା ସହ ଅନେକ ଚମକôାର ଘଟୁଥିଲା ବୋଲି ବର୍ଣ୍ଣନା କରିଛନ୍ତି । ହୁଏନ୍ସାଂ ତାହାକୁ ପୁ-ସିଏ-ପୋ-କି-ଲି ଭାବରେ ଦର୍ଶାଇଛନ୍ତି । ଅନ୍ୟ ଏକ ପ୍ରମାଣରୁ ଜଣାପଡ଼େ ଯେ, ତେଲେଙ୍ଗାନା ରାଜ୍ୟର ନାଗାର୍ଜୁନ କୁଣ୍ଡଠାରେ ତୃତୀୟ ଶତାବ୍ଦୀର ଏକ ଶିଳାଲିପିରେ ଉଲ୍ଲେଖ କରାଯାଇଛି ଯେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟଠାରେ ଏକ ପ୍ରସ୍ତର ମଣ୍ଡପ ନିର୍ମାଣ ଇଶାଭାକୁ ବଂଶର ରାଜା ବୀରପୁରୁଷ ଦତ ଅର୍ଥ ସାହାଯ୍ୟ କରିଥିଲେ ।
ଏହି ବିଶ୍ୱବିଦ୍ୟାଳୟକୁ ଚାଇନା, ଜାପାନ, ଗ୍ରୀସ୍, ଆରବ, ଇଣ୍ଡୋନେସିଆ, ଭୁଟାନ, ତିବ୍ୱତ, ନେପାଳ, ଥାଇଲାଣ୍ଡ, ଭିଏଟ୍ନାମ, କୋରିଆ, ମଙ୍ଗୋଲିଆ, ଲାଓସ, କାମ୍ବୋଡିଆ, ସିଂହଳ ପ୍ରଭୃତି ଦେଶରୁ ବିଦ୍ୱାନ୍ମାନେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ନିମନ୍ତେ ଆସୁଥିଲେ । ଏଠାରେ ଉଚ୍ଚତର ଗବେଷଣା ଓ ନବଉନ୍ମେଷକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ଉତମ ଛାତ୍ରନିର୍ମାଣ, ଚାରିତ୍ରିକ ବିକାଶ, ନୈତିକ ଶିକ୍ଷା ଏବଂ ରାଷ୍ଟ୍ରଗଠନ ସମ୍ପର୍କରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଥିଲା । ବେଦ, ହେତୁବିଦ୍ୟା (ତର୍କଶାସ୍ତ୍ର), ଶବ୍ଦ ବିଦ୍ୟା (ବ୍ୟାକରଣ ଓ ଭାଷାତତ୍ୱ), ଚିକିସôା ବିଦ୍ୟା, ନୀତି ଓ ନ୍ୟାୟ (ଆଇନ), ଅର୍ଥଶାସ୍ତ୍ର, ସଂଖ୍ୟା, ଧର୍ମଶାସ୍ତ୍ର, ଯୋଗ ଓ ପ୍ରାଣାୟାମ ସହ ଗଣିତ ଜ୍ୟୋତିଷ, ଗଣିତ ବାଣିଜ୍ୟ, ରାଜନୀତି ବିଜ୍ଞାନ, ସମରକଳା, ଅଧ୍ୟାମତ୍ୱାଦ, ସମୁଦ୍ର ବିଜ୍ଞାନ, ସ୍ଥାପତ୍ୟ ବିଦ୍ୟା, କଳା ପ୍ରଭୃତି ଅଧ୍ୟୟନ କରାଯାଉଥିଲା । ହୁଏନ୍ସାଂଙ୍କ ମତରେ ଏହାର ପର୍ବତ ଶୋଭା, ଅଧ୍ୟୟନ ପ୍ରଣାଳୀ, ସୂକ୍ଷ୍ମ କାରୁକାର୍ଯ୍ୟ, ମନୋରମ ପ୍ରାକୃତିକ ଦୃଶ୍ୟ ସୁଦୂର ଅଂଚଳରୁ ବିଦ୍ୟାର୍ଥୀମାନଙ୍କୁ ଆକର୍ଷଣ କରୁଥିଲା । କଳିଙ୍ଗର ନୌଶକ୍ତି ଅତି ଉଚ୍ଚକୋଟୀର ହୋଇଥିବାରୁ ବିଦ୍ୟାର୍ଥୀମାନେ ସମୁଦ୍ରପଥରେ ଆସି କଳିଙ୍ଗର ବିଭିନ୍ନ ବନ୍ଦରରେ ପହଂଚି ବିରୂପା ଓ ବ୍ରାହ୍ମଣୀ ନଦୀପଥରେ ଏଠାକୁ ଆସି ପାରୁଥିଲେ ।
ବୌଦ୍ଧ ଗ୍ରନ୍ଥମାନଙ୍କରୁ ଜଣାପଡ଼େ ଯେ ଗୁରୁ ପଦ୍ମସମ୍ଭବ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ସିଦ୍ଧି ପ୍ରାପ୍ତ ହୋଇ ସିକ୍କିମ, ଭୁଟାନ, ତିବ୍ୱତ, ନେପାଳ, ଅରୁଣାଚଳ ଇତ୍ୟାଦି ଅଂଚଳରେ ବୌଦ୍ଧ ଧର୍ମ ପ୍ରସାର କରିଥିଲେ । ଉଦୟଗିରି ପ୍ରବେଶପଥରେ ଥିବା ଅବଲୋକେତଶ୍ୱର ମୂର୍ତି ପଶ୍ଚାତପଟ୍ଟରେ ଉଲ୍ଲେଖ କରାଯାଇଛି ଯେ, ଗୁରୁ ପଦ୍ମସମ୍ଭବଙ୍କ ଦେହାବଶେଷ ଏକ ପେଟିକା ମଧ୍ୟରେ ଉଦୟଗିରି ଅଂଚଳରେ ସଂରକ୍ଷିତ ହୋଇରହିଛି । ଗୁରୁ ପଦ୍ମସମ୍ଭବ ସମ୍ବଲକ (ସମ୍ବଲପୁର) ରାଜ୍ୟର ରାଜା ଇନ୍ଦ୍ରଭୂତିଙ୍କର ପାଳିତ ପୁତ୍ର ଥିଲେ । ଇନ୍ଦ୍ରଭୂତି ମଧ୍ୟ ଜଣେ ତାନ୍ତ୍ରିକ ସିଦ୍ଧ ଆଚାର୍ଯ୍ୟ ଥିଲେ । ସେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ବଜ୍ରଯାନର ଜଣେ ପ୍ରତିଷ୍ଠାତା ସାଧକ ଥିଲେ । ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରା ଅଷ୍ଟମ ଶତାବ୍ଦୀରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ସହଜଯାନ ପ୍ରତିଷ୍ଠା କରିଥିଲେ । ଏଠାରେ ଆଚାର୍ଯ୍ୟ ପିତୋପାଦ କାଳଚକ୍ରଯାନର ପ୍ରତିଷ୍ଠାତା ଥିଲେ । ବୌଦ୍ଧଗ୍ରନ୍ଥମାନଙ୍କରୁ ଜଣାପଡେ, ଭୌମକର ବଂଶର ରାଜତ୍ୱକାଳରେ ଶିବଙ୍କର ଦେବ-୧ ବୌଦ୍ଧ ଆଚାର୍ଯ୍ୟ ପ୍ରଜ୍ଞାଙ୍କ ହାତରେ ‘ଗଣ୍ଡବୁ୍ୟହ’ ନାମକ ଏକ ପାଣ୍ଡୁଲିପି ନିଜ ସ୍ୱାକ୍ଷର ସହ ଚାଇନା ରାଜା ତୋ-ତିସାଙ୍ଗଙ୍କ ନିକଟକୁ ପଠାଇଥିଲେ । ସେ ଚାଇନାରେ ବୌଦ୍ଧଧର୍ମ ପ୍ରଚାର କରିବା ସହ ଅନେକ ବୌଦ୍ଧଗ୍ରନ୍ଥକୁ ଚାଇନାର ମାଣ୍ଡାରିନ୍ ଭାଷାରେ ଅନୁବାଦ କରିଥିଲେ । ପଂଚମ ଶତାବ୍ଦୀରେ ଆଚାର୍ଯ୍ୟ ବୋଧିଶ୍ରୀ ଜଣେ ତାନ୍ତ୍ରିକ ସାଧକ ଥିଲେ ।
ସେ ବହୁ ରାଜା ଓ ମହାରାଜାମାନଙ୍କଠାରୁ ପାଣ୍ଠି ସଂଗ୍ରହ କରି ଛାତ୍ରବୃତି ବ୍ୟବସ୍ଥା କରିଥିଲେ । ଦ୍ୱିତୀୟ ଶତାବ୍ଦୀରେ ଆଚାର୍ଯ୍ୟ ନାଗାର୍ଜୁନ ମଧ୍ୟ ଉକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଶୂନ୍ୟତା ଚିନ୍ତାଧାରା ଓ ମାଧ୍ୟମିକ ମତ ପ୍ରକାଶ କରିଥିଲେ । ତାଙ୍କର ଶିଷ୍ୟ ଆଚାର୍ଯ୍ୟ ଆର୍ଯ୍ୟଦେବ ଏଠାରେ ଚତୁଃଶତକ, ଚକ୍ରକୀର୍ତି ପ୍ରଭୃତି ପୁସ୍ତକ ରଚନା କରିଥିଲେ । ପଂଚମ ଶତାବ୍ଦୀରେ ପୁରୀର ଡିଙ୍ଗନାଙ୍ଗ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ବୌଦ୍ଧ ତର୍କ ଶାସ୍ତ୍ର ଏବଂ ନ୍ୟାୟ ଶାସ୍ତ୍ରରେ ପ୍ରସିଦ୍ଧି ଲାଭ କରିଥିଲେ । ଆଚାର୍ଯ୍ୟ ଅମୋଘଚନ୍ଦ୍ର, ବଜ୍ରବୋଧି ଏବଂ ଶୁଭଙ୍କର ସିଂ ସର୍ବତଥାଗତତତ୍ୱ ସଂଗ୍ରହ ଓ ମହାଭୈରକୋଣା ସୂତ୍ର ପୁସ୍ତକକୁ ଦକ୍ଷିଣ ପୂର୍ବ ଏସିଆ ଓ ଶ୍ରୀଲଙ୍କାକୁ ନେଇ ସେଠାରେ ମଣ୍ଡଳ ସ୍ତୂପ ସ୍ଥାପନା କରିଥିଲେ । ଉପରୋକ୍ତ ବୌଦ୍ଧ ଆଚାର୍ଯ୍ୟଙ୍କ ବ୍ୟତୀତ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ନାରୋପା, ଶବରୀପାଦ, ଲୁଇପାଦ, କମ୍ବଳପାଦ, ଅନଙ୍ଗଭଦ୍ର, ବିରୁପାଦ, କାହ୍ନୁପାଦ ଇତ୍ୟାଦି ପୁଷ୍ପଗିରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ରାଜା ହର୍ଷବର୍ଦ୍ଧନ ମଧ୍ୟ ଜୟସେନ ନାମକ ଜଣେ ବିଦ୍ୱାନ୍ଙ୍କୁ ନାଳନ୍ଦାରୁ ଏଠାକୁ ଦର୍ଶନ ତତ୍ୱ ଅଧ୍ୟୟନ ନିମନ୍ତେ ପଠାଇଥିଲେ ।
କିନ୍ତୁ ସମୟ ସ୍ରୋତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଗୁରୁତ୍ୱ କ୍ରମଶଃ ହ୍ରାସ ପାଇଲା ଏବଂ କାଳଗର୍ଭରେ ଲୀନ ହୋଇଗଲା । ଏହାର ବିଭିନ୍ନ କାରଣ ମଧ୍ୟରୁ ବିଦେଶୀ ଶତ୍ରୁମାନଙ୍କର ଆକ୍ରମଣ, ସାମାଜିକ ଓ ରାଜନୈତିକ ପରିବର୍ତନ, ବୌଦ୍ଧଧର୍ମ ପ୍ରତି ଶାସକମାନଙ୍କର ପୃଷ୍ଠପୋଷକତା ହ୍ରାସ ଇତ୍ୟାଦି ହୋଇପାରେ ।
ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କରି ତାହାର ହୃତ ଗୌରବକୁ ଫେରାଇ ଅଣାଯାଇପାରିବାର ବର୍ତମାନ ପ୍ରକୃଷ୍ଟ ସମୟ । କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୂପେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ ପୁନଃ ପ୍ରତିଷ୍ଠା କରିପାରିବେ । ଯଦି ନାଳନ୍ଦା ବିଶ୍ୱବିଦ୍ୟାଳୟ ୧୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୂପେ ବିହାର ସରକାରଙ୍କ ସହାୟତାରେ ପ୍ରତିଷ୍ଠା ହୋଇପାରିଛି, ତା’ହେଲେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ମଧ୍ୟ ପୁନଃ ପ୍ରତିଷ୍ଠା ସମ୍ଭବ । ଯଦି ବା କେନ୍ଦ୍ର ସରକାର ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ପ୍ରକଳ୍ପକୁ ପୂର୍ବୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି, ତଥାପି ଏହା ସମ୍ବନ୍ଧରେ କୌଣସି ଅଗ୍ରଗତି ଘଟିପାରି ନାହିଁ ।
ପ୍ରସ୍ତାବିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିକଶିତ ଭାରତ-୨୦୪୭ ଓ ସମୃଦ୍ଧ ଓଡ଼ିଶା-୨୦୩୬ ହାସଲ ନିମନ୍ତେ ବିଶେଷ ଭାବରେ ଭିତିଭୂମି, ଦକ୍ଷତା, ନବସୃଜନ ଏବଂ ସଂସ୍କାର ଭଳି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନଦେଇ ଜ୍ଞାନ ଆହରଣରେ ସକ୍ରିୟ ଅଂଶଗ୍ରହଣ କରିପାରିବ । ଏହାଦ୍ୱାରା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନ ଆଶାର ସଂଚାର ହୋଇପାରିବ ।
ଯାହାଦ୍ୱାରା ଦେଶର ପ୍ରଗତି ହେବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସହାୟକ ହେବ । ଶିକ୍ଷାଭିତିଭୂମିର ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହଭାଗିତା ବୃଦ୍ଧି କରି ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଅଧିକ ସମୃଦ୍ଧ ହେବ । ଅତୀତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଯେଉଁ ମର୍ଯ୍ୟାଦା ବହନ କରୁଥିଲା, ତାହାର ପୁନରୁଦ୍ଧାର ଆବଶ୍ୟକ, ଯାହାଦ୍ୱାରା ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସହାୟକ ହେବ । ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଦ୍ୱାରା ଭାରତୀୟ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଏକ ସେତୁ ପ୍ରତିଷ୍ଠା ହୋଇପାରିବ ।