ଶ୍ରୀମନ୍ଦିର ତୋଳା ରହସ୍ୟ

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ …..

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସବିଶେଷ ଆଲୋଚନା କରିଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମନ ଚୋଡ଼ଗଙ୍ଗ ଦେବ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅନଙ୍ଗ ଭୀମଦେବ ଏହାକୁ ସମ୍ପୂର୍ଣ୍ଣ କରିଥିଲେ ।

ଓଡ଼ିଶାରେ ମୁଖ୍ୟତଃ ୨ ପ୍ରକାର ମନ୍ଦିର ନିର୍ମାଣ ହୋଇଥାଏ । ଯେପରିକି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରକୁ ରେଖା ଦେଉଳ । ରେଖା ଦେଉଳ ଶବ୍ଦ ପଥରରେ ତିଆରି ହୋଇଥିବା କାରୁକାର୍ଯ୍ୟରୁ ଆସିଛି । ଯାହା ଏକ ରେଖାକୃତ ଭାବେ ଉପରକୁ ଉପରକୁ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ ହୋଇଥାଏ । ରେଖା ଦେଉଳର ବିଭିନ୍ନ ପର୍ଯ୍ୟାୟ ରହିଛି । ପ୍ରତ୍ୟେକ ମନ୍ଦିରର ଗର୍ଭଗୃହ ରହିଥାଏ, ଯାହା ଚାରିକୋଣିଆ, କିନ୍ତୁ ଏହା ବାହାରକୁ ଦେଖିବାକୁ ଗୋଲାକାର ଆକୃତିର । ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ପ୍ରାୟ ୩୦ ଫୁଟ ରହିଛି ।

ଏହାକୁ ଆଧାର କରି ମନ୍ଦିରର ବିମାନ ବା ରେଖା ଦେଉଳ ନିର୍ମାଣ ହୁଏ । ଏହା ମନ୍ଦିର ଶିଳ୍ପୀଙ୍କର ଦକ୍ଷତା ଦର୍ଶାଏ, ସେମାନେ କେତେ ଉଚ୍ଚତା ଯାଏ କରିପାରୁଛନ୍ତି । ତେବେ ଏହାର ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟ ରହିଛି, ଅର୍ଥାତ ଗର୍ଭଗୃହର ୫ ଗୁଣା ଉଚ୍ଚତା ଯାଏ ମନ୍ଦିର ହୋଇପାରିବ, ଏହା ଅତିକ୍ରମ କଲେ ମନ୍ଦିର ସ୍ଥିର ନ ରହିପାରେ । ଏହି କାରଣରୁ ବୋଧହୁଏ କୋଣାର୍କ ମନ୍ଦିର ଭୁଶୁଡି ପଡିଥିଲା ।
ଓଡ଼ିଶାର ଶିଳ୍ପୀମାନେ ପ୍ରଥମେ ଛୋଟ ଛୋଟ ଅନେକ ମନ୍ଦିର ନିର୍ମାଣ କରିଥିଲେ, ପରେ ବିଶାଳ ମନ୍ଦିର ତିଆରି କରିଥିଲେ ଯେପରିକି ଲିଙ୍ଗରାଜ ମନ୍ଦିର । ପରେ ଦ୍ୱାଦଶ ଶତାବ୍ଦୀରେ ବଡ ଦେଉଳ ବା ଶ୍ରୀମନ୍ଦିର ନିର୍ମାଣ କରିଥିଲେ । ଏହାପରେ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେତେବେଳେ କୋଣାର୍କ ମନ୍ଦର ଉଚ୍ଚତା ପୁରୀ ଶ୍ରୀମନ୍ଦିରଠାରୁ ମଧ୍ୟ ଅଧିକ ଥିଲା । ପରେ କୋଣାର୍କ ମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡି ପଡିଥିବାର ଜଣାଯାଏ, ଏବେ କେବଳ ଏହାର ମୁଖଶାଳା ରହିଛି ।
ଶ୍ରୀମନ୍ଦିର ଏତେ ବଡ଼ ହୋଇଥିବାରୁ ଏହାକୁ ଭୂକମ୍ପର ଭୟ ରହିଛି, କିନ୍ତୁ ଗତ ୮ ଶହ ବର୍ଷ ଇତିହାସରେ ଏପରି କୌଣସି ଘଟଣାର ନଜିର ନାହିଁ । ଏହାକୁ ଘଡଘଡି ମାରିବାର ଭୟ ମଧ୍ୟ ରହିଥିଲା, ଏଥିପାଇଁ ବୋଧହୁଏ ଶ୍ରୀମନ୍ଦିର ଉପରେ ନୀଳଚକ୍ର ଆକାରରେ ମେଟାଲ ବ୍ୟବହାର କରାଯାଇ ଏଠାରୁ ତମ୍ବାରେ ଆର୍ଥିଙ୍ଗ କରାଯାଇଥିଲା । ଏତେବଡ ମନ୍ଦିର ହୋଇଥିବାରୁ ଏହାକୁ ବାତ୍ୟା ଭୟ ମଧ୍ୟ ରହେ । କାରଣ ଓଡ଼ିଶାର ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର କିମ୍ବା କୋଣାର୍କ ମନ୍ଦିରରେ କୌଣସି ପ୍ରକାର ପ୍ଲାଷ୍ଟରିଂ ହୋଇନାହିଁ, ଏହା କେବଳ ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଠିଆ ହୋଇଛନ୍ତି ।

ଶ୍ରୀମନ୍ଦିର ରେଖା ଦେଉଳ ହେଲେ ମଧ୍ୟ ଏହା କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ଅଟେ । ପ୍ରାୟ ୧୦ ଏକର ଜମି ଉପରେ ଏହା ନିର୍ମିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ ନିର୍ମାଣ କରାଇଥିଲେ । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଠଗଡ଼-ଚନ୍ଦକା ଅଂଚଳରୁ ଆଣିଥିବା ବାଲୁକା ପଥର (ସାଣ୍ଡଷ୍ଟୋନ) ରେ ନିର୍ମାଣ ହୋଇଛି ଏବଂ କିଛି ଖଣ୍ଡେଲାଇଟ୍ ପଥର ମଧ୍ୟ ବ୍ୟବହାର ହୋଇଛି । ଚାରି ଦ୍ୱାରରେ ଲାଗିଥିବା କଳା ମୁଗୁନି ପଥର ବାଲେଶ୍ୱର ନୀଳଗିରିରୁ ଅଣାଯାଇଥିଲା ବୋଲି କୁହାଯାଏ ।
ତେବେ ଏହି ପଥର ସବୁ ମହାନଦୀ ଅବବାହିକାରେ ମିଳୁଥିବାରୁ ନଦୀ ପଥ ଦେଇ ଏତେ ବଡ଼ ବଡ଼ ପଥର ଭେଳାରେ ପରିବହନ କରାଯାଇଥିଲା ବୋଲି କୁହାଯାଏ । କୋଣାର୍କ ନିକଟରେ ଥିବା ‘ପଥରବୁହା ନାଳ’ ଏହାର ଜଳଜଳ ପ୍ରମାଣ । ପଥରଗୁଡ଼ିକ କେବଳ ମାଧ୍ୟାକର୍ଷଣ ଓ ଲକ୍-ଇନ୍-କ୍ଲାମ୍ପ୍ ପ୍ରଣାଳୀରେ ଯୋଡ଼ା ହୋଇଛି । କିଛି ସ୍ଥାନରେ ଓଲଟା ଟ-ଆକୃତିର ଲୁହା ରଡ଼ ବ୍ୟବହୃତ ହୋଇଥିଲା । ଘଡ଼ଘଡ଼ିଠାରୁ ସୁରକ୍ଷା ପାଇଁ ନୀଳଚକ୍ରରେ ତମ୍ବା ଆର୍ଥିଙ୍ଗ କରାଯାଇଛି ।

ସମୟର ଆଘାତ ଓ ସଂରକ୍ଷଣ

ନିର୍ମାଣର ତିନି-ଚାରି ଶହ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ଅସୁବିଧା ନ ଥିଲା । କିନ୍ତୁ ସମୁଦ୍ରର ଲୁଣା ପବନ ଓ ବର୍ଷା ଯୋଗୁଁ ଲୁହା ରଡ଼ ନଷ୍ଟ ହେବାରୁ ପଥର ଖସିବା ଆରମ୍ଭ ହୋଇଥିଲା । ଏହାକୁ ରୋକିବା ପାଇଁ ଗଜପତିମାନେ ମନ୍ଦିର ଉପରେ ପ୍ରାୟ ୯ ଥର ଚୂନ ଲେପ ଦେଇଥିଲେ, ଯାହା ପରେ ଦେଢ଼ ଫୁଟ ପର୍ଯ୍ୟନ୍ତ ମୋଟା ହୋଇଯାଇଥିଲା ଏବଂ ଅଧିକ କ୍ଷତି କରିଥିଲା ।
ପରେ ୧୯୭୫ରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତି ଘୋଷଣା କରାଯାଇଥିଲା । ୧୯୭୯ରୁ ଇଝଓ ଚୂନ ଅପସାରଣ ଆରମ୍ଭ କରି ୧୯୯୬ ସୁଦ୍ଧା ସମ୍ପୂର୍ଣ୍ଣ କରିଥିଲା । ଏହି ସମୟରେ ୧୯୯୦ରେ ଅଁଳା ବେଢ଼ା ନିକଟରେ ୬ ଟନ୍ ଓ ୧୯୯୨ରେ ରନô ସିଂହାସନ ନିକଟରେ ୧ ଟନ୍ ପଥର ଖସିଥିଲା । ତକôାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡି ନିକଟରେ ଅସ୍ଥାୟୀ ରନô ସିଂହାସନକୁ ସ୍ଥାନାନ୍ତର କରାଯାଇ ଗର୍ଭଗୃହରେ ରନô ସିଂହାସନଠାରୁ ୪୫ ଫୁଟ ଉପରେ ଷ୍ଟିଲ ଫ୍ରେମ୍ ତିଆରି କରାଯାଇଛି, ଯାହାଦ୍ୱାରା ପଥର ଖସିଲେ ତାହା ତଳକୁ ଆସିବ ନାହିଁ ।

ତିନି ମହଲା ବିଶିଷ୍ଟ ଶ୍ରୀମନ୍ଦିର

ଚୂନ ହଟାଇବା ସମୟରେ ଜଣାପଡ଼ିଛି ଯେ ମନ୍ଦିର ତିନି ମହଲା ବିଶିଷ୍ଟ । ଅନୁଧ୍ୟାନ ସମୟରେ ଦ୍ୱିତୀୟ ମହଲାରେ ୩ ଫୁଟ ମୋଟା ଧାନଚୋପା ଓ ଖସି ପଡ଼ିଥିବା ପଥର ମିଳିଥିଲା । ସେହିପରି ୧୯୯୬ରେ ଶ୍ରୀମନ୍ଦିର ଶୀର୍ଷରେ ଥିବା ଦଧିନଉତି ନିକଟରେ ଫାଟ ଚିହ୍ନଟ ହୋଇଥିଲା, ଯାହାର କାରଣ ବଡ଼ ବାନା ଲାଗିବା ଦ୍ୱାରା ନୀଳଚକ୍ର ଦୋହଲିବା ବୋଲି ଜଣାପଡ଼ିଥିଲା ।
ଏହାପରେ ବାନାର ଲମ୍ବ ନିୟନ୍ତ୍ରଣ କରାଯାଇଛି । ପୂର୍ବରୁ ବହୁତ ବଡ଼ ଏପରିକି ୨୦୦ ଫୁଟ ଲମ୍ବାର ବାନା ମଧ୍ୟ ଲଗାଯାଉଥିଲା ଯାହା ପ୍ରାୟ ପାଦୁକା କୁଣ୍ଡ ପର୍ଯ୍ୟନ୍ତ ଉଡୁଥିଲା ।

ମହାପାତ୍ର କହିଛନ୍ତି, ‘ଆଧୁନିକ ଯୁଗରେ ଗୋଟିଏ ୬ ଟନ୍ ପଥର ମରାମତି କରିବାକୁ ୭ ମାସ ଲାଗିଥିଲା । କିନ୍ତୁ ୮୦୦ ବର୍ଷ ତଳେ ଏତେ ବିରାଟ ମନ୍ଦିର କିପରି ତିଆରି ହେଲା, ତାହା ସତରେ ଆଶ୍ଚର୍ଯ୍ୟଜନକ ।’ ଏହା ଓଡ଼ିଶାର ପ୍ରାଚୀନ ଶିଳ୍ପୀମାନଙ୍କର ଅସାଧାରଣ ଦକ୍ଷତା ଓ ଭକ୍ତିର ଜଳଜଳ ଉଦାହରଣ ବୋଲି ମହାପାତ୍ର ମତପ୍ରକାଶ କରିଛନ୍ତି ।