ସକାଳୁ ଉଠି ଖବରକାଗଜ ପଢୁଥିଲି। ଘରେ କାମ କରୁଥିବା ଝିଅଟି ଆସି ଠିଆହେଲା। ସବୁଦିନ ନମସ୍କାର କରି ଭିତରକୁ ଚାଲିଯାଏ। ଆଜି କିନ୍ତୁ ଠିଆ ହୋଇ ରହିଲା। ମୁଁ ବୁଝିଲି ଯେ ସେ କିଛି କହିବାକୁ ଚାହୁଁଛି। ଖବରକାଗଜ ରଖିଦେଇ ପଚାରିଲି, ସବୁ ଠିକ୍ଠାକ୍ ତ? ଝିଅଟି ମୁହଁ ଶୁଖାଇ କହିଲା, ଅଘଟଣଟିଏ ଘଟିଯାଇଛି। ତା’ ଘର ପାଖରେ ରହୁଥିବା ଜଣେ ପଡୋଶୀଙ୍କ ଦେହରେ ନିଆଁ ଲାଗି ଅବସ୍ଥା ଗୁରୁତର। ତାଙ୍କୁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେମାନେ କହିଦେଲେ, ସେଠି କିଛି କରି ହେବନାହିଁ। ପ୍ରାଇଭେଟ୍ ହସ୍ପିଟାଲ୍କୁ ନେଇଯାଅ। ମୁଁ ଜାଣେ ଗୁରୁତର ଭାବରେ ପୋଡି ଯାଇଥିବା ରୋଗୀଙ୍କ ଚିକିତ୍ସା କେବଳ ‘ବର୍ନ ସର୍ଜନ୍’ ଥିବା ପ୍ରାଇଭେଟ୍ ହସ୍ପିଟାଲ୍ରେ ହୋଇପାରେ।
ମୁଁ ପଚାରିଲି, ଲୋକଟି ତୁମର କ’ଣ ହୁଅନ୍ତି? କିଛି ନାହିଁ, ସେ ପଡୋଶୀ। ତାଙ୍କୁ କୌଣସିମତେ ଗୋଟିଏ ବଡ଼ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତି କରାଯାଇଛି। କିନ୍ତୁ ଆଗକୁ କ’ଣ ହେବ, କେହି କିଛି ବୁଝି ପାରୁନାହାନ୍ତି। ତାଙ୍କର ଛୋଟ ଛୋଟ ପିଲା ଅଛନ୍ତି, କହୁ କହୁ ଝିଅଟି କାନ୍ଦି ପକାଇଲା। ବସ୍ତିର ମଣିଷ। ପ୍ରତିଟି ଦିନ ସମସ୍ତଙ୍କ ପାଇଁ ଗୋଟିଏ ସଂଘର୍ଷ। ଅଥଚ ତାହାରି ଭିତରେ ଅସମୟରେ ନିଜ ପର ବିଚାର ନାହିଁ। ପୋଡିଯାଇଥିବା ଲୋକଟିର ନାଁ ଲେଖି ରଖିଲି। କହିଲି, ଅଫିସରୁ ଫୋନ୍ କରି ବୁଝିବି।
ଅଜଣା, ଅଚିହ୍ନା ମଣିଷ। ଅଥଚ ଅଫିସ ଯିବା ବାଟରେ ତା’ କଥା ମୋତେ ଉଦ୍ବେଳିତ କରିଦେଲା। ମୋର ମନେ ପଡିଗଲା ମୋ ବାପାଙ୍କ କଥା। ୧୯୯୩ ମସିହା ଏପ୍ରିଲ ମାସ। ବାପା ଅବସର ନେବାର ଚବିଶ ବର୍ଷ ହୋଇଯାଇଥାଏ। ସେ ଆଉ ମା’ ସେତେବେଳେ ମୋ ବଡ ଭାଇ ଦେବୀପ୍ରସାଦଙ୍କ ସରକାରୀ ଘରେ ଦିଲ୍ଲୀରେ ରହୁଥାଆନ୍ତି। ବାପାଙ୍କ ଆଖିକୁ ଭଲ ଦେଖାଯାଉ ନ ଥିଲା। ପୁଣି ତା’ ସାଙ୍ଗରେ ସେ ରାତିରେ ନିଦ ଔଷଧ ଖାଉଥିଲେ। ନିଦ ଔଷଧ ଖାଇଲେ ମଧ୍ୟ ରାତି ଦୁଇଟା ତିନିଟା ବେଳେ ତାଙ୍କର ନିଦ ଭାଙ୍ଗିଯାଉଥିଲା। ବାପାଙ୍କର ଗୋଟିଏ ମାତ୍ର ବଦଭ୍ୟାସ ଥିଲା, ସେ ସିଗାରେଟ ପିଉଥିଲେ। ରାତିରେ ନିଦ ଭାଙ୍ଗିଗଲେ ସେ ବିଛଣାରୁ ଉଠିଆସି ସିଗାରେଟ ପିଅନ୍ତି। ପୁଣି କିଛି ସମୟ ପରେ ଆଖି ଲାଗି ଆସେ। ଏଥର ସକାଳ ପାଇଁ ଅପେକ୍ଷା। ଦିନକର ଘଟଣା। ତାଙ୍କ ନିଦ ଭାଙ୍ଗିଗଲା। ଅନ୍ଧାର କୋଠରି।
ଗୋଟିଏ ପଟେ ମା’ ଶୋଇଥାଆନ୍ତି। ବାପା ଖଟରେ ବସି ଦିଆସିଲିରେ ସିଗାରେଟ ଜଳାଇବା ବେଳେ ହାତରୁ ଖସି ବିଛଣାରେ ପଡିଗଲା। ସେ କିଛି ବୁଝିବା ଆଗରୁ ପିନ୍ଧା ଲୁଗାରେ ନିଆଁ ଲାଗିଗଲା। ନିଜକୁ ସମ୍ଭାଳିବାକୁ ଯାଇ ସେ ଚଟାଣରେ ପଡିଗଲେ। ରବର ଚଟିରେ ନିଆଁ ଲାଗିଗଲା। ଚଟି ପୋଡା ଗନ୍ଧରେ ମା’ଙ୍କ ନିଦ ଭାଙ୍ଗିଗଲା। ତାଙ୍କ ନିଜ ଆଖି ଦୁଇଟି ତିରିଶ ବର୍ଷ ଆଗରୁ ନଷ୍ଟ ହୋଇଯାଇଥିଲା। କିଛି ନ ଦେଖି ପାରିଲେ ମଧ୍ୟ ସେ ବୁଝିଗଲେ କିଛି ଗୋଟାଏ ଅଘଟଣ ହୋଇଯାଇଛି ଏବଂ ପାଟି କରିବା ଆରମ୍ଭ କରିଦେଲେ। ତାଙ୍କ ପାଟିରେ ପାଖ ଶୋଇବା ଘରୁ ଭାଇ, ଭାଉଜ ଦୌଡି ଆସିଲେ। କିନ୍ତୁ ସେତିକି ଭିତରେ ବାପାଙ୍କର ହାତ, ଗୋଡ, ଦେହ ଓ ବେକର ଚମଡା ଜଳି ସାରିଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ସଫଦର୍ଜଙ୍ଗ ହସ୍ପିଟାଲ୍କୁ ନିଆଗଲା। ଦିଲ୍ଲୀର ସବୁଠାରୁ ବଡ ‘ବର୍ନ ୱାର୍ଡ’ ସେଇ ଡାକ୍ତରଖାନାରେ। ମୁଁ ସେତେବେଳେ ଆମେରିକାରେ ଥାଏ। ବଡ ଭାଇଙ୍କର ଫୋନ୍ ପାଇବା ମାତ୍ରକେ ଚାଲି ଆସିଲି। ଏଆର୍ପୋର୍ଟରୁ ସିଧା ହସ୍ପିଟାଲ୍।
ବାପାଙ୍କୁ ଭର୍ତି କରିବା ବେଳେ ହିଁ ଡାକ୍ତରମାନେ କହି ଦେଇଥିଲେ, ତାଙ୍କ ଶରୀରର ୭୦% ଅଂଶରେ ଥାର୍ଡ ଡିଗ୍ରି ବର୍ନ ହୋଇଯାଇଥିଲା। ଥାର୍ଡ ଡିଗ୍ରି ଅର୍ଥ ଚମଡାର ବାହାର ଓ ଭିତର ପରସ୍ତ ଜଳିଯିବା। ମୁଁ ପହଂଚି ଦେଖିଲି ବର୍ନ ୱାର୍ଡର ଖଟରେ ନିଶ୍ଚଳ ଶରୀର। ପାଦଠାରୁ ବେକ ପର୍ଯ୍ୟନ୍ତ ବ୍ୟାଣ୍ଡେଜ କନାରେ ଗୁଡା। ଗୋଟିଏ ପଟେ ଡ୍ରିପ୍ରେ ସାଲାଇନ୍। ଅନ୍ୟ ପଟେ କ୍ୟାଥିଟର୍ ଦେଇ ଦେହର ଜଳାଂଶ ବାହାର କରାଯାଉଛି। ସଂଜ୍ଞାନରେ ଅଛନ୍ତି ବାପା। ଅତ୍ୟନ୍ତ ଅସ୍ପଷ୍ଟ ଭାବରେ ରହି ରହି କଥା ପଦେ ଦୁଇ ପଦ କହିପାରୁଛନ୍ତି। ତା’ ପର ଦୁଇ ଦିନର ପ୍ରାୟ ସମସ୍ତ ସମୟ ମୋର କଟିଥିଲା ସେଇଠି ଏବଂ ସେ ସମୟର ପ୍ରତିଟି ଅନୁଭୂତି ଏବେ ମଧ୍ୟ ମୋ ଆଖି ସାମନାରେ।
ବର୍ନ ୱାର୍ଡକୁ ପ୍ରଧାନତଃ ଗରିବ ଲୋକ ଆସିଥାଆନ୍ତି। ସେମାନଙ୍କ ଭିତରେ ଅନେକ ଛୋଟ ପିଲା। ଦିନ ମଜୁରିଆ ସ୍ୱାମୀ-ସ୍ତ୍ରୀ। ଦଉଡିଆ ଖଟ ଉପରେ ପିଲାକୁ ଶୁଆଇ ମାଟିରେ ବସି ରୋଷେଇ କରୁ କରୁ ମା’ଟି ହୁଏତ କିଛି ମୁହୂର୍ତ ପାଇଁ ଉଠିଯାଇଛି। ତା’ରି ଭିତରେ ପିଲାଟି ଖଟରୁ ଓହ୍ଲେଇ ପଡିଛି ଏବଂ ମୁହୂର୍ତକରେ ସବୁ ଓଲଟପାଲଟ। ଏହା ବ୍ୟତୀତ ଅଛନ୍ତି କମ୍ ବୟସର ଝିଅ-ବୋହୂ। ନୂଆ ନୂଆ ରୋଷେଇ ଶିଖିଛନ୍ତି। ଶାଢ଼ିରେ ନିଆଁ ଲାଗିଯାଇଛି; କାହା ଦେହରେ ଗରମ ପେଜ କି ଫୁଟନ୍ତା ପାଣି ପଡିଯାଇଛି। କୋଉଠି ପୁଣି ସିଲିଣ୍ଡର ଫାଟିଛି। ଏହିପରି ଅନେକ କାରଣ। ବର୍ନ ହସ୍ପିଟାଲ୍ରେ ଭର୍ତି ହେବା ବ୍ୟକ୍ତିର ଶାରୀରିକ ଯନ୍ତ୍ରଣା କଳ୍ପନା କରି ହୁଏ ନାହିଁ। ସେଇଭଳି ହୃଦୟ ବିଦାରକ ସେଠିକାର ଶୋକାକୁଳ ପରିସ୍ଥିତି।
ବର୍ନ ୱାର୍ଡକୁ ଥାର୍ଡ ଡିଗ୍ରି ଅବସ୍ଥାରେ ଅଣା ହୋଇଥିବା ରୋଗୀମାନଙ୍କର ଚିକିତ୍ସା ଅତ୍ୟନ୍ତ କଠିନ। ମଣିଷର ଚମଡା ୨ରୁ ୪ ମିଲିମିଟରର ଗୋଟିଏ ନରମ ଚଦର। କିନ୍ତୁ ଏଇ ସୂକ୍ଷ୍ମ ପରସ୍ତଟି ହେଉଛି ଆମ ଦେହର ସବୁଠାରୁ ବଡ଼ ସୁରକ୍ଷାର ବଳୟ। ଆମ ପରିବେଶରେ, ଆମ ଚାରିପଟେ ସବୁବେଳେ କୋଟି କୋଟି କୀଟାଣୁ, ଜୀବାଣୁ ଓ ଭୂତାଣୁ ବୁଲୁଥାଆନ୍ତି। ଆମ ଦେହର ଆଭ୍ୟନ୍ତରୀଣ ପ୍ରତ୍ୟେକଟି ଅଙ୍ଗକୁ ଏମାନଙ୍କ ଠାରୁ ସୁରକ୍ଷା ଦେଇଥାଏ ଆମ ଚମଡା। ସେଇଥିପାଇଁ ବାପାଙ୍କୁ ପାଦରୁ ବେକ ପର୍ଯ୍ୟନ୍ତ ବ୍ୟାଣ୍ଡେଜରେ ଗୁଡା ହୋଇ ରଖା ହୋଇଥିଲା। ଦ୍ୱିତୀୟ ଜିନିଷଟି ହେଉଛି, କିଡ୍ନି ଫେଲିଓର୍। ଜଳି ଯାଇଥିବା ମଣିଷମାନଙ୍କର ଦେହରୁ ପାଣି ଶୁଖିଯିବା ଦ୍ୱାରା ବୃକ୍କ ପ୍ରଭାବିତ ହୁଏ। ଯେଉଁମାନଙ୍କର ଚମଡା ସମ୍ପୂର୍ଣ୍ଣ ଭାବରେ ଜଳିଯାଏ, ସେମାନଙ୍କର ଦେହର ଅନ୍ୟ ଭାଗରୁ ଚମଡା କାଢ଼ି ଜଳିଯାଇଥିବା ଅଂଶରେ ପ୍ଲାଷ୍ଟିକ ସର୍ଜରି ଦ୍ୱାରା ଯୋଡିବାର ଚେଷ୍ଟା କରାଯାଏ। ଚମଡା ଜଳିଗଲେ ଦେହର ଅଙ୍ଗପ୍ରତ୍ୟଙ୍ଗ ସବୁଦିନ ପାଇଁ ବଙ୍କିଯିବାର ଭୟ ଥାଏ। ଅଗ୍ନିଜନିତ ଦୁର୍ଘଟଣାଗ୍ରସ୍ତ ରୋଗୀକୁ ବଂଚାଇବା ପାଇଁ କେବଳ ଅତ୍ୟନ୍ତ ଯତ୍ନ ନୁହଁ, ସବୁଠାରୁ ବଡ ସର୍ଜନ, ନେଫ୍ରୋଲୋଜିଷ୍ଟ ତଥା ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ଓ ବିଶେଷ ଦକ୍ଷତାପ୍ରାପ୍ତ ନର୍ସମାନଙ୍କର ଆବଶ୍ୟକତା ରହିଛି।
ସଫ୍ଦର୍ଜଙ୍ଗ ହସ୍ପିଟାଲ୍ରେ ରୋଗୀ, ଡାକ୍ତର, ନର୍ସମାନଙ୍କର ମୃତ୍ୟୁ ସାଙ୍ଗରେ ଲଢେ଼ଇ ଦେଖୁ ଦେଖୁ ଦୁଇ ଦିନ କଟିଗଲା। ତା’ ପରଦିନ ବାପା ମୋତେ ଅସ୍ପଷ୍ଟ ସ୍ୱରରେ କହିଲେ, ମୋ ଛାତି ଉପରୁ ବ୍ୟାଣ୍ଡେଜଟା କାଢ଼ିଦେବାକୁ କହ। ଆଲୁଅ ଟିକିଏ ପଡୁ। ଟିକିଏ ଆଲୁଅ ପଡିଲେ ତ ଆଲୁଅ ବାଟରେ ଯିବି।
ସେଇଠି ବସି ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି, ତୁମେ ସତରେ ଯଦି ଅଛ, ଏଇ ମଣିଷଟିକୁ ନେଇଯାଅ। ଆଉ କଷ୍ଟ ଦିଅନାହିଁ। ଠାକୁର ବୋଧହୁଏ ମୋ କଥା ଶୁଣିଲେ। କିଛି ଘଂଟା ପରେ ବାପା ଆଖି ବୁଜିଦେଲେ। ସେଇ ଘଟଣାର ପଚିଶ ବର୍ଷ ପରେ ଘରେ କାମ କରୁଥିବା ଝିଅଟି ଆଜି ନେହୁରା ହୋଇ କହୁଛି, ଆପଣ କିଛି କରନ୍ତୁ।
ଅଫିସ ପହଂଚି ଆଗ ପ୍ରାଇଭେଟ ହସ୍ପିଟାଲ୍ ସାଙ୍ଗରେ ଯୋଗାଯୋଗ କରିଥିଲି। କିଛି ସମୟ ପରେ ବର୍ନ ବିଶେଷଜ୍ଞ ସର୍ଜନଙ୍କ ସାଙ୍ଗରେ କଥା ହେଲା। କଥାରୁ ଜାଣିପାରିଲି, ଅତ୍ୟନ୍ତ ଅମାୟିକ, ଦକ୍ଷ ମଣିଷ। ମୋତେ କହିଲେ, ରୋଗୀଙ୍କ ପରିସ୍ଥିତି ଭଲ ନୁହଁ, ଚିକିତ୍ସା ଅନେକ ଦିନ ଲାଗି ଯାଇପାରେ। ମୁଁ ମୋ ବ୍ୟକ୍ତିଗତ ଅନୁଭୂତି କଥା କହି ରୋଗୀଟିର ଭଲ ଭାବରେ ଚିକିତ୍ସା କରିବା ପାଇଁ ଅନୁରୋଧ କଲି। କହିଲି, ଗରିବ ଲୋକଟି ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବ, ସେକଥା ଚିନ୍ତା କରିବେ ନାହିଁ। ମୁଁ ଦୁଇ ତିନିଦିନକୁ ଥରେ ହସ୍ପିଟାଲ୍ ବିଲ୍ର ବ୍ୟବସ୍ଥା କରିବି। ଡାକ୍ତର ମୋତେ ଆଶ୍ୱାସନା ଦେଲେ, ଟଙ୍କାପଇସା ପର କଥା, ଆମ ଚେଷ୍ଟାରେ କୌଣସି ଅବହେଳା ହେବ ନାହିଁ। ଆଗକୁ ଭଗବାନ ଯାହା ଚାହିଁବେ। ବାପାଙ୍କ ବେଳେ ଭଗବାନଙ୍କୁ କହିଥିଲି, ନେଇଯାଅ। ଡାକ୍ତରଙ୍କ କଥା ଶୁଣି ଭଗବାନଙ୍କୁ କହିଲି, ଏଇ ଲୋକଟିକୁ ଭଲ କରିଦିଅ।
ମୁଁ ଦିନେ ଅଫିସ ବାହାରିବା ବେଳେ ଡାକ୍ତର ଫୋନ୍ କରି କହିଲେ- ଆଇ ଆମ୍ ସରି। ଆମେ ହାରିଗଲୁ। ଡାକ୍ତରମାନଙ୍କର ସମସ୍ତ ଚିକିତ୍ସା, ସେବାଯତ୍ନ ସତ୍ୱେ କିଛି ଦିନ ପରେ ଲୋକଟି ଚାଲିଗଲା। କେବେ ଦିନେ ନ ଦେଖିଥିବା ମଣିଷଟି ପାଇଁ ମୋତେ ବହୁତ ଦୁଃଖ ଲାଗିଥିଲା। ଅଫିସରେ ପହଂଚି ସେଇ କଥା ଭାବୁଥିଲି, ହଠାତ୍ ଡାକ୍ତରଖାନାରୁ ଘନଘନ ଫୋନ୍ ଆସିବା ଆରମ୍ଭ ହୋଇଗଲା। ମୁଁ ଭାବିଲି, ବୋଧହୁଏ ବାକି ବିଲ୍ ବିଷୟରେ ହୋଇଥିବ। ହେଲେ, ତା’ ନୁହଁ। ହସ୍ପିଟାଲ୍ କର୍ତୃପକ୍ଷ ବିପଦରେ ପଡିଛନ୍ତି। ମୃତଦେହ ନେବା ପାଇଁ କିଛି ସାହି ଲୋକ ଆସିଛନ୍ତି। ତାଙ୍କ ସାଙ୍ଗରେ ଗୁଣ୍ଡାଶ୍ରେଣୀର କେଇ ଜଣ। ସେଇ ଗୁଣ୍ଡାଶ୍ରେଣୀର ଲୋକମାନେ ପାଟିତୁଣ୍ଡ କରି କହି ଚାଲିଛନ୍ତି- ରୋଗୀର ମୃତ୍ୟୁ ପାଇଁ ହସ୍ପିଟାଲ୍ ଦାୟୀ। ଟଙ୍କାପଇସା ଦିଅ, ନ ହେଲେ ଶବ ଏଠୁ ଉଠିବନି। ହସ୍ପିଟାଲ୍ର ଜଣେ ଉପରିସ୍ଥ କର୍ମଚାରୀ ମୋତେ କହିଲେ- ସାର୍, ଆପଣଙ୍କ ପାଇଁ ଆମେ ଏତେ ଚେଷ୍ଟା କଲୁ। ଏବେ ଅବସ୍ଥା ସମ୍ଭାଳିବାରେ ଟିକିଏ ସାହାଯ୍ୟ କରନ୍ତୁ। ମୁଁ ବ୍ୟସ୍ତ ହୋଇ ଜାଣିବା ପାଇଁ ଚାହିଁଲି ଏ ଲୋକମାନେ କିଏ? ଉତର ମିଳିଲା, ସ୍ଥାନୀୟ କର୍ପୋରେଟରଙ୍କ ଲୋକ। କିଛି ସମୟ ଚିନ୍ତା କରି ମୁଁ ସ୍ଥିର କଲି ସେ ଅଂଚଳର ବିଧାୟକଙ୍କୁ କହିବି। ତାଙ୍କୁ ମୁଁ ଚିହ୍ନିଛି। ଭଲ ମଣିଷ। ସବୁ ଶୁଣି ବିଧାୟକ ଦୁଃଖ ପ୍ରକାଶ କରି କହିଲେ, କର୍ପୋରେଟର ମୋ କଥା ଶୁଣିବନି। ଆପଣ ତା’ ସାଙ୍ଗରେ କଥାବାର୍ତା କରନ୍ତୁ। ଶବ ରଖି ଟଙ୍କାପଇସା ଆଦାୟ କରିବା, ପାଟିତୁଣ୍ଡ, ଭଙ୍ଗାରୁଜା କରିବା ନିତିଦିନିଆ କଥା ହୋଇଗଲାଣି। ମୃତ ଦେହ ଆଣି ଥାନା ଆଗରେ ରଖିଦେଉଛନ୍ତି। ହାଇୱେ ଉପରେ ପକାଇ ରଖି ରାସ୍ତା ବନ୍ଦ କରିଦେଉଛନ୍ତି। କ’ଣ ଆଉ କରିବା?
ତାଙ୍କ କଥାରୁ ସାଂପ୍ରତିକ ରାଜନୀତିର ଗୋଟିଏ ଅନ୍ଧାର ଦିଗ ଆଖି ସାମନାକୁ ଚାଲିଆସିଲା। ଏଠି ସବୁ କେବଳ ବଡ-ସାନ ପୋଖରୀ। ସବୁ ପୋଖରୀର ଭିନ୍ନ ଭିନ୍ନ ମାଲିକ। ସମସ୍ତେ ମୂଲ୍ୟ ଦେଇ ନିଲାମ ଧରିଛନ୍ତି। ଏଠି ପୁଣି ଆଉ ଗୋଟିଏ ନିୟମ ଅଛି। ଯେଉଁ ପୋଖରୀ ଯାହାର। ସେଠି କେହି ଅନଧିକାର ପ୍ରବେଶ କରନ୍ତି ନାହିଁ।
ଏ ଘଟଣାର ଯବନିକା କେଉଁଠି ଓ କେମିତି ପଡିଲା, ତାହା ଏକ ଭିନ୍ନ ଆଲୋଚନା। ହେଲେ ସବୁ କିଛି ଶେଷ ହୋଇଯିବା ପରେ ଗୋଟିଏ ଶୂନ୍ୟ ନିରବତାର ଆବେଗ ଅନୁଭବ କଲି। ଘରେ କାମ କରୁଥିବା ଝିଅଟିର ଅନୁନୟ, ହସ୍ପିଟାଲ୍କୁ ଦୌଡି ଆସିଥିବା ପରିବାରର ଅସହାୟତା, ସର୍ଜନଙ୍କ ଆଶ୍ୱାସନା, ଅସାମାଜିକ ବ୍ୟକ୍ତିଙ୍କର ଅରାଜକତା- ସବୁ ଅଟକିଗଲା ଗୋଟିଏ ଅଚିହ୍ନା, ଅର୍ଦ୍ଧଦଗ୍ଧ ମଣିଷର ଯନ୍ତ୍ରଣାରେ। ଆଉ ଜାଣିନି କାହିଁକି, ତା’ର ଅଦେଖା ମୁହଁଟି ମୋତେ କ୍ଷଣିକ ପାଇଁ ବାପାଙ୍କ ମୁହଁ ପରି ଦିଶିଗଲା।