ସୁନ୍ଦରଗଡ: କେବଳ ମା’ ପେଟରୁ ନୁହେଁ, ମା’ ପେଟରୁ ସ୍ୱାଭାବିକ ହୋଇ ଜନ୍ମଲାଭ କରିଥିଲେ ମଧ୍ୟ ପରିବେଶ, ବାତାବରଣ ଓ ଖାଦ୍ୟପେୟ ପିଲାଟିକୁ ଅଙ୍ଗବୈକଲ୍ୟର ଶିକାର କରିପାରେ; ବିଶେଷଜ୍ଞମାନେ ଏପରି ମତାମତ ପ୍ରକାଶ କରିବା ପରେ ସୁନ୍ଦରଗଡ଼ ଭଳି ଜିଲ୍ଳାର ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। କାହାର ଜିନଗତ ସମସ୍ୟା ତ ଆଉ କାହାର ମସ୍ତିଷ୍କର ବିକାଶ ଠିକ୍ ଭାବେ ହୋଇପାରିନି। କିଏ ଅଟିଜିମ କବଳରେ ତ ଆଉ କାହାର ଅଙ୍ଗପ୍ରତ୍ୟଙ୍ଗ ଅଣ ବିକଶିତ। ଶ୍ରବଣ ଶକ୍ତି ବ୍ୟତିକ୍ରମ, ଦୃଷ୍ଟିବାଧିତ ଏବଂ ବାକ୍ ଶକ୍ତିହୀନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ଶିଶୁଙ୍କ ନିକଟରେ ପରିଲକ୍ଷିତ ଏଭଳି ବିଲକ୍ଷଣ ଖଣି ସମୃଦ୍ଧ ସୁନ୍ଦରଗଡ ଜିଲ୍ଲା ପାଇଁ ଅପବାଦ ଡାକି ଆଣିଛି।
ବ୍ୟାପକ ସ୍ୱାସ୍ଥ୍ୟ ସଚେତନଧର୍ମୀ କାର୍ଯ୍ୟକ୍ରମ, ଚିକିତ୍ସା ବିଜ୍ଞାନର ଚମତ୍କାର, ଟିକାକରଣ, ଗର୍ଭାବସ୍ଥାରେ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସତ୍ୱେ ବର୍ଷକରେ ୧୦୮୫ ଜଣ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗ ପାଇଁ ପାଲଟିଛି ଚିନ୍ତାଜନକ ବିଷୟ ନିଶ୍ଚିତ। ଏହା ପଛରେ ପ୍ରଦୂଷଣ, ଅପମିଶ୍ରିତ ଖାଦ୍ୟ, ଦୂଷିତ ପାଣି ଏବଂ ଜିନ୍ଗତ କାରଣକୁ ଦାୟୀ କରିଛନ୍ତି ବିଶେଷଜ୍ଞ। ହେଲେ ଖଣିଖାଦାନର କୁପ୍ରଭାବ ସହ ଏହାର କୌଣସି ସମ୍ପର୍କ ନ ଥିବା କହି ଦାୟିତ୍ୱରୁ ମୁହଁ ଫେରାଇ ନେଇଛି ସ୍ୱାସ୍ଥ୍ୟ ବିଭାଗ।
ରାଜ୍ୟ ସରକାରଙ୍କ ଏପରି ଡିହ ଗାଲୁଆମିକୁ କିଏ ତାଗିଦ କରିବ? ପବନ ଆଖିକୁ ଦିଶୁନି, ତା’ ମାନେ ନୁହେଁ ଯେ ପବନର ଅସ୍ତିତ୍ୱ ନାହିଁ। ହୁଏତ ଚିକିତ୍ସା ବିଜ୍ଞାନର ସେହି ସୋପାନ ପର୍ଯ୍ୟନ୍ତ ଆମେ ପହଂଚି ପାରିନାହୁଁ ଯୋଉ ସୋପାନରେ ଆମେ ଦିବ୍ୟାଙ୍ଗ ପାଇଁ ଖଣିଖାଦାନକୁ ଦାୟୀ କରିପାରିନୁ। ତା’ ମାନେ ନୁହେଁ ଯେ ଖଣିଖାଦାନର କୁପ୍ରଭାବକୁ ଆମେ ସମ୍ପୂର୍ଣ୍ଣ ଅଣଦେଖା କରିଦେବୁ। ଖଣିଖାଦାନର କିଛି ନା କିଛି କୁପ୍ରଭାବ ପଡୁଥିବ ନିଶ୍ଚିତ କାରଣ ଉପକୂଳବର୍ତୀ ଅଂଚଳରେ ଏ ପ୍ରକାର ବିଲକ୍ଷଣ ହାର କେତେ; ତା’ ଉପରେ ଥରେ ଅନୁଧ୍ୟାନ କରାଯିବା ଦରକାର।
ସୁନ୍ଦରଗଡ ପାଲଟୁଛି ଦିବ୍ୟାଙ୍ଗ ଶିଶୁଙ୍କ ଗଡ। ଏଠାରେ ସୁସ୍ଥସବଳ ଓ ନିରୋଗ ସନ୍ତାନଟିଏ ଜନ୍ମ କରିବାକୁ ସଂଘର୍ଷ କରୁଛନ୍ତି ଦମ୍ପତି। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସର୍ଭେ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି । ୨୦୨୫-୨୬ ବର୍ଷରେ ଜନ୍ମରୁ ୬ ବର୍ଷ ମଧ୍ୟରେ ୧୦୮୫ ଜଣ ପିଲା ଦିବ୍ୟାଙ୍ଗ ପାଲଟିଛନ୍ତି। ସବୁଠାରୁ ବଡକଥା ସୁନ୍ଦରଗଡ, ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର ପୌରାଂଚଳରେ ଏମାନଙ୍କ ସଂଖ୍ୟା ୧୯୫। ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ ସହରାଂଚଳରେ ଏତେ ସଂଖ୍ୟକ ଶିଶୁଙ୍କଠାରେ ଶାରୀରିକ ବ୍ୟତିକ୍ରମ ଦେଖାଦେବା ପ୍ରସବକାଳୀନ ଚିକିତ୍ସା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ଅନୁଯାୟୀ ଗତ ବର୍ଷକ ମଧ୍ୟରେ ରାଉରକେଲା ମହାନଗର ନିଗମ ଅଂଚଳରୁ ୧୫୩, ସୁନ୍ଦରଗଡ ପୌରାଂଚଳରୁ ୨, ବୀରମିତ୍ରପୁର ପୌରାଂଚଳରୁ ୨୪, ରାଜଗାଙ୍ଗପୁର ପୌରାଂଚଳରୁ ୧୬ ଜଣ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହୋଇଛନ୍ତି।
ଖଣି ପ୍ରଭାବିତ କୋଇଡା ବ୍ଲକରେ ୯୩, ହେମଗିର ବ୍ଲକରେ ୩୩, ବାଲିଶଙ୍କରା ବ୍ଲକରେ ୪୩, ବଡଗାଁ ବ୍ଲକରେ ୪୮, ବିଶ୍ରା ବ୍ଲକରେ ୪୭, ବଣାଇଗଡ ବ୍ଲକରେ ୪୩ , ଗୁରୁଣ୍ଡିଆ ବ୍ଲକରେ ୪୨, କୁଆଁରମୁଣ୍ଡା ବ୍ଲକରେ ୬୩, କୁତ୍ରା ବ୍ଲକରେ ୫୫, ଲହୁଣୀପଡା ବ୍ଲକରେ ୮୯, ଲାଠିକଟା ବ୍ଲକରେ ୬୫, ଲେଫ୍ରିପଡା ବ୍ଲକରେ ୩୬, ନୂଆଗାଁ ବ୍ଲକରେ ୬୧, ରାଜଗାଙ୍ଗପୁର ବ୍ଲକରେ ୪୦, ସବଡେଗା ବ୍ଲକରେ ୫୭, ସୁନ୍ଦରଗଡ ବ୍ଲକରେ ୩୫ ଏବଂ ଟାଙ୍ଗରପାଲି ବ୍ଲକରେ ୪୧ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ, ନିରୋଗ ସନ୍ତାନ ଜନ୍ମଦେବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ରେ ଗର୍ଭବତୀ ଏବଂ ନବଜାତ ଶିଶୁଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରା ଯାଉଛି।
‘ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ)ରେ ଜନ୍ମଦୋଷ, ରୋଗ ଚିହ୍ନଟ, ଗର୍ଭାବସ୍ଥାରେ ବିକାଶରେ ବିଳମ୍ବ ପାଇଁ ମାଗଣା ସ୍କ୍ରିନିଂ ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସମନ୍ୱିତ ଶିଶୁ ବିକାଶ ଯୋଜନା ଜନ୍ମରୁ ୬ ବର୍ଷର ପିଲା, ଗର୍ଭବତୀ ଓ ପସୂତୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି। ପୋଷଣ ଅଭିଯାନ କିଶୋରୀ ବାଳିକା, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’ ଏବଂ ଶିଶୁଙ୍କର ପୁଷ୍ଟିସାଧନ କରୁଛି। ‘ମିଶନ୍ ବାତ୍ସଲ୍ୟ’ କାର୍ଯ୍ୟକ୍ରମରେ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଉଛି। ‘ଆୟୁଷ୍ମାନ ଭାରତ’ରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହା ସତ୍ୱେ ଜିଲ୍ଲାରେ ଏତେ ସଂଖ୍ୟକ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହେବା ନବଜାତକ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିବିଧ କାର୍ଯ୍ୟକ୍ରମ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହାର କାରଣ ଜାଣିବା ଏବଂ ପ୍ରତିକାର ଜରୁରି ହୋଇ ପଡିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜିଲ୍ଲାରେ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ପହଂଚିଛି। ଅପମିଶ୍ରିତ ଖାଦ୍ୟ ବଜାରରେ ହାଉଯାଉ ହେଉଛି। ଗ୍ରାମାଂଚଳରେ କ୍ୱାକ୍ଙ୍କ ଅନଭିଜ୍ଞ ଚିକିତ୍ସା ଗର୍ଭାବସ୍ଥାରେ ଶିଶୁଙ୍କ ଜୀବନକୁ ବିପଦରେ ପକାଉଛି। ନବଜାତ ଶିଶୁଙ୍କ ମଧ୍ୟରେ ଜେନେଟିକ୍ ସମସ୍ୟା, ଜନ୍ମ ଜଟିଳତା, ସଂକ୍ରମଣ, ଆଘାତ, ବିକାଶ ବିଳମ୍ୱ, ମସ୍ତିଷ୍କ ପାଲସି, ଅଟିଜମ୍ ସିଣ୍ଡ୍ରୋମ୍, ଡାଉନ ସିଣ୍ଡ୍ରୋମ ଭଳି ଦୁରାରୋଗ୍ୟ ବ୍ୟାଧି ଦେଖିବାକୁ ମିଳୁଛି। ଜନ୍ମରୁ ୬ ବର୍ଷ ମଧ୍ୟରେ ଅନେକ ଜଟିଳ ରୋଗରେ ସେମାନେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟୁଛନ୍ତି। ଗର୍ଭାବସ୍ଥାରେ ହେଉଥିବା ଡାକ୍ତରୀ ପରୀକ୍ଷାରୁ ଅନେକ ରୋଗ ଚିହ୍ନଟ ହୋଇପାରୁଛି। ହେଲେ ଜନ୍ମ ପରେ ଶିଶୁଙ୍କୁ ଜଟିଳ ରୋଗରୁ ସୁରକ୍ଷା ଦେବା କଷ୍ଟକର ହୋଇପଡୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଠିକଠାକ୍ ଚାଲିଛି। ଖଣିଖାଦାନର କୁପ୍ରଭାବ ସହ ଶିଶୁଙ୍କ ମଧ୍ୟରେ ବଢୁଥିବା ଶାରୀରିକ ଭିନ୍ନକ୍ଷମତାର କୌଣସି ସମ୍ପର୍କ ନାହିଁ।