ନାଚିଗାଇ କୁଦି ପଢ଼ିବା ପାଠ

ଭାରତ ସରକାରଙ୍କ ପ୍ରସ୍ତାବ, ସ୍କୁଲ ପିଲାମାନଙ୍କ ପାଇଁ ମାସକୁ ଦଶଦିନ …

ଭାରତ ସରକାରଙ୍କ ପ୍ରସ୍ତାବ, ସ୍କୁଲ ପିଲାମାନଙ୍କ ପାଇଁ ମାସକୁ ଦଶଦିନ “ବ୍ୟାଗଲେସ୍‌ ଡେ’ ବା “ବ୍ୟାଗବିହୀନ ସ୍କୁଲ’, ପାଠ୍ୟପୁସ୍ତକ-କୈନ୍ଦ୍ରିକ ବିଦ୍ୟାଳୟ ଶିକ୍ଷାରେ ଏକ ଶକ୍ତିଶାଳୀ ପରିବର୍ତନ। ବର୍ଷ ବର୍ଷ ଧରି ଆମେ ଶିକ୍ଷାର ସଫଳତାକୁ ପରୀକ୍ଷାର ଅଙ୍କ, ପାଠ୍ୟକ୍ରମର ସମାପ୍ତି ଏବଂ ବ୍ୟାଗର ଭାର ସହିତ ମାପିଆସୁଛେ। ଏହି ପରିପ୍ରେକ୍ଷୀରେ “ବ୍ୟାଗଲେସ୍‌ ଡେ’ ବା “ବ୍ୟାଗବିହୀନ ସ୍କୁଲ’ ଶିକ୍ଷାକୁ ପୁନର୍ବାର ପିଲାମାନଙ୍କ ମନ, ଆଗ୍ରହ ଓ ଅନୁଭବ ସହିତ ଯୋଡିବାର ଏକ ପ୍ରୟାସ। ଏହା ଶିକ୍ଷାର ସଫଳତାକୁ କେବଳ ପରୀକ୍ଷାର ଅଙ୍କ କିମ୍ବା ମୂଲ୍ୟାଙ୍କନର ସୀମାରେ ସୀମିତ ନକରି, ପିଲାମାନଙ୍କ ସାର୍ବଜନୀନ କଲ୍ୟାଣ, ସୃଜନଶୀଳତା ଓ ଆଜୀବନ ଦକ୍ଷତା ଦୃଷ୍ଟିକୋଣରୁ ପୁନଃବିଚାର କରିବାକୁ ଏକ ପ୍ରୟାସ। ପିଲାମାନେ ଯେତେବେଳେ ବିନା ବ୍ୟାଗରେ ସ୍କୁଲ ଯିବେ ତାଙ୍କ ମନରେ ଏହି ଭାବନା ଉଦ୍ରେକ ହେବ ଯେ, ଶିକ୍ଷା କେବଳ ପୁସ୍ତକ ପଢ଼ିବା ଓ ଲେଖିବା ନୁହେଁ। ଏହା ଖେଳ, କଳା, କୌଶଳ, ସାମୁଦାୟିକ କାର୍ଯ୍ୟ ଓ ଅନୁଭୂତିମୂଳକ ଶିକ୍ଷଣ ଦ୍ୱାରା ମଧ୍ୟ ସମ୍ଭବ। ଏହି ପଦକ୍ଷେପ ଜାତୀୟ ଶିକ୍ଷାନୀତି-୨୦୨୦ର ଶିକ୍ଷାର୍ଥୀ-କୈନ୍ଦ୍ରିକ, ଦକ୍ଷତା-ଆଧାରିତ ଓ ଅନୁଭବମୂଳକ ଶିକ୍ଷା ଦୃଷ୍ଟିକୋଣ ସହିତ ସମ୍ପୂର୍ଣ୍ଣ ଭାବରେ ସାମଞ୍ଜସ୍ୟ ରଖେ, ଯାହା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ଅଧିକ ମାନବିକ ଓ ଭବିଷ୍ୟତମୁଖୀ ଦିଗରେ ନେଇ ଯାଇପାରିବ।

“ବ୍ୟାଗବିହୀନ ସ୍କୁଲ’ ଅନୁସନ୍ଧାନ- ଆଧାରିତ ଏବଂ ଆନ୍ତଃବିଷୟକ ଶିକ୍ଷଣ ପାଇଁ ଏକ ବ୍ୟାପକ ସମ୍ଭାବନାର ଦ୍ୱାର। ଶିକ୍ଷା କେବଳ ମୋଟା-ମୋଟା ବହି ବା ଭାରୀଭାରୀ ବ୍ୟାଗ କି ଲମ୍ବା-ଲମ୍ବା ଟ୍ୟୁସନ ଦ୍ୱାରା ସମ୍ଭବ ହୋଇପାରେ ନାହିଁ, କି କେବଳ ପାଠ୍ୟକ୍ରମ ଶେଷ କରିବା, ଘୋଷି ପକାଇ ପରୀକ୍ଷାରେ ପୁଳେ ପୁଳେ ଅଙ୍କ ଆଣିବା ବା ଗୋଟିଏ ଶ୍ରେଣୀରୁ ଆଉ ଗୋଟିଏ ଶ୍ରେଣୀକୁ ଉତୀର୍ଣ୍ଣ ହେବାରେ ସୀମିତ ନୁହେଁ ବରଂ ଗୁଣାତ୍ମକ ଶିକ୍ଷା, ଶିକ୍ଷାକୁ ଅନୁଭବ କରିବା, ପ୍ରଶ୍ନ କରିବା ଏବଂ ଅନୁସନ୍ଧାନ କରିବାରେ ନିହିତ। ପ୍ରାଥମିକ ବା ଉଚ୍ଚ ପ୍ରାଥମିକ ସ୍ତରରେ ଏମିତି ବହୁତ ବିଷୟ ଅଛି, ଯେପରି ଗଣିତ, ସାଧାରଣ ବିଜ୍ଞାନ, ପରିବେଶ ବିଜ୍ଞାନ, ଯାହାପାଇଁ ଅତ୍ୟଧିକ ପୁସ୍ତକର ଆବଶ୍ୟକତା ନାହିଁ। ତାହା ପରିବେଶ ଓ ପାରିପାଶ୍ୱିର୍କ ସ୍ଥିତି ଓ ଅବସ୍ଥିତିରୁ ଅନୁଧ୍ୟାନ କରିହେବ, ଯାହା ପିଲାଙ୍କ ସୃଜନଶୀଳତାକୁ ତୀକ୍ଷ୍‌ଣ ଓ ଶିକ୍ଷାର ବ୍ୟାବହାରିକତାକୁ ମଧ୍ୟ ବୃଦ୍ଧି କରିବ। ସ୍ଥାନୀୟ କ୍ଷେତ୍ର ଅନ୍ୱେଷଣ, ବିଜ୍ଞାନ ପରୀକ୍ଷଣ, କାହାଣୀ କହିବାର ଅଧିବେଶନ, ସଙ୍ଗୀତ, ଶିଳ୍ପକଳା, ଉଦ୍ୟାନ କାର୍ଯ୍ୟ ଏବଂ ସମସ୍ୟା-ସମାଧାନମୂଳକ ଖେଳ, ପିଲାମାନଙ୍କୁ ପାଠକୁ ଘୋଷି ପରୀକ୍ଷା ଦେବା ପରିବର୍ତେ ଅନୁଭବ କରିବାର ସୁଯୋଗ ଦେଇଥାଏ। ଉଦାହରଣ ସ୍ୱରୂପ, ଗ୍ରାମାଂଚଳର ବିଦ୍ୟାଳୟଗୁଡିକରେ ବ୍ୟାଗବିହୀନ ସ୍କୁଲ ଦିନରେ ପିଲାମାନେ ସ୍ଥାନୀୟ ଜଳସ୍ରୋତମାନଙ୍କର ମାନଚିତ୍ର ପ୍ରସ୍ତୁତ କରିବା, ଫସଲ ଢାଂଚାକୁ ଅବଲୋକନ କରିବା କିମ୍ବା ସ୍ୱଦେଶୀ ଉଦ୍ଭିଦ ଜ୍ଞାନକୁ ଲେଖାଭୁକ୍ତ କରିବା ପରି କାର୍ଯ୍ୟଦ୍ୱାରା ଶିକ୍ଷା ଆହରଣ କରିପାରିବେ। ଏହା ପରିବେଶ ବିଜ୍ଞାନ, ଭୂଗୋଳ ଓ ସ୍ଥାନୀୟ ଅର୍ଥନୀତିକୁ ଏକ ଏକୀକୃତ ଶିକ୍ଷାନୁଭବରେ ଗଠିତ କରିଥାଏ।

ଆମ ଶିକ୍ଷାରେ ଏହା ପରିଲକ୍ଷିତ ଯେ, ପିଲାମାନେ ପାଠ୍ୟକ୍ରମ ଗଣିତରେ ଉତ୍କର୍ଷ କରୁଥିବା ବେଳେ ମୌଳିକ ବାସ୍ତବ ଗଣନା ବା ମାନସାଙ୍କ ବା ବଜାରରେ ହେଉଥିବା କିଣାବିକା ହିସାବ କରିବାକୁ ବିଫଳ ହେଉଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ, ଭାରତର ଗଣିତ ଶିକ୍ଷାରେ ଏକ ସମ୍ପୂର୍ଣ୍ଣ ବିଚ୍ଛିନ୍ନତା ରହୁଛି, ଯେଉଁଠି ପିଲାମାନଙ୍କର ଗାଣିତିକ ଦକ୍ଷତାଶୈଳୀ କ୍ଷଣିକ ଗଣିତରୁ, ପ୍ରୟୋଗାତ୍ମକ ଗଣିତକୁ ସ୍ଥାନାନ୍ତରିତ ହୋଇପାରୁନାହିଁ। ଗଣିତ କଥା ଆସିଲେ ସ୍କୁଲ ଦକ୍ଷତା ଏବଂ ବଜାର ଦକ୍ଷତା ମଧ୍ୟରେ ଏକ ବ୍ୟବଧାନ ଦେଖିବାକୁ ମିଳୁଛି, ଯାହାକୁ ଏହି ବ୍ୟାଗବିହୀନ ସ୍କୁଲ ଦିନମାନଙ୍କରେ ନକଲି ବଜାର ମାଧ୍ୟମରେ ହିସାବ କିତାବ ବା ମୌଳିକ ଆର୍ଥିକ ସାକ୍ଷରତା ଭଳି କାର୍ଯ୍ୟକ୍ରମ ଦ୍ୱାରା ସଜାଡି ହେବ। ସହରାଂଚଳରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁ ପୃଥକୀକରଣ ଅଭ୍ୟାସ, ପରିବେଶ ସଚେତନତା, ସଡକ ସୁରକ୍ଷା ସଚେତନତା ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହିପରି ଅଭିଜ୍ଞତାମୂଳକ ଶିକ୍ଷା, କଳା, ସଂସ୍କୃତି, ପରିବେଶ ଏବଂ ଜୀବନକୌଶଳକୁ ପାଠ୍ୟକ୍ରମରେ ଏକୀକୃତ କରିବାର ଏକ ଆଦର୍ଶ ମଂଚ ଯୋଗାଇପାରିବ। ଖେଳ ଅଭ୍ୟାସ ମାଧ୍ୟମରେ ଗଣିତ, ପ୍ରକୃତି ଅବଲୋକନ ଓ ପରୀକ୍ଷଣ ମାଧ୍ୟମରେ ବିଜ୍ଞାନ, ଗୋଷ୍ଠୀ ଆଲୋଚନା ଓ ସ୍ଥାନୀୟ ଇତିହାସ ମାଧ୍ୟମରେ ସାମାଜିକ ବିଜ୍ଞାନ ଏବଂ କାହାଣୀ, ବିତର୍କ ଓ ନାଟ୍ୟାନୁଷ୍ଠାନ ମାଧ୍ୟମରେ ଭାଷା ଶିକ୍ଷାକୁ ଅଧିକ ସଜୀବ ଓ ଅର୍ଥପୂର୍ଣ୍ଣ କରାଯାଇପାରିବ।

ଏଇ ପରିପ୍ରେକ୍ଷୀରେ “ବ୍ୟାଗବିହୀନ ସ୍କୁଲ’ ଶିକ୍ଷାକୁ ପ୍ରାସଙ୍ଗିକ ଏବଂ ଜୀବନ-ଜୀବିକା ସମ୍ବଳିତ ଢାଂଚା ପ୍ରସ୍ତୁତ କରି ଅଧିକ ସମୃଦ୍ଧ କରାଯାଇପାରିବ। ଗୁରୁତ୍ୱପୂର୍ଣ୍ଣ ଭାବେ ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ପରିକଳ୍ପିତ ଧନ୍ଦାମୂଳକ ପ୍ରଦର୍ଶନକୁ ଅର୍ଥପୂର୍ଣ୍ଣ ଭାବେ ପାଠ୍ୟକ୍ରମ ସହିତ ସମନ୍ୱୟ କରିବାର ସୁଯୋଗ ମଧ୍ୟ ପ୍ରଦାନ କରେ। ସ୍ଥାନୀୟ କାରିଗର, ବୁଣାକାର, କୁମ୍ଭାର, ବଢେ଼ଇ କିମ୍ବା ଡିଜିଟାଲ ସେବା ପ୍ରଦାନକାରୀଙ୍କ ସହିତ ସଂକ୍ଷିପ୍ତ ଆଲୋଚନା ପିଲାମାନଙ୍କୁ ଶ୍ରମ, ଦକ୍ଷତା ଓ ପ୍ରୟୋଗମୂଳକ ଜ୍ଞାନର ଗୁରୁତ୍ୱ ସହିତ ପରିଚିତ କରିପାରିବ। ଏହା ଶିକ୍ଷାକୁ ବହୁମାତ୍ରିକ, ସମାବେଶୀ ଏବଂ ସାମାଜିକ ଭିତିସମ୍ପନ୍ନ କରିବ। ଜ୍ଞାନାତ୍ମକ ବିଜ୍ଞାନ ଏହା ସ୍ପଷ୍ଟ କରେ ଯେ ଅଭିଜ୍ଞତା, ଆବେଗ ଓ ଇନ୍ଦ୍ରିୟଗତ ସଂଲଗ୍ନତା ଉପରେ ଆଧାରିତ ଶିକ୍ଷା, ଘୋଷି କରି ପାଠ ପଢ଼ିବା ତୁଳନାରେ ଅଧିକ ଗଭୀର ଏବଂ ଦୀର୍ଘସ୍ଥାୟୀ। “ବ୍ୟାଗବିହୀନ ସ୍କୁଲ’ ଛାତ୍ରଛାତ୍ରୀଙ୍କ ମୌଳିକ ଦକ୍ଷତାକୁ ମଜବୁତ କରି ଶୈକ୍ଷଣିକ କ୍ଷମତାକୁ ଗଢ଼ିପାରେ, ଯାହା ଦୀର୍ଘକାଳୀନ ଉଚ୍ଚଶିକ୍ଷାଗତ ସଫଳତାରେ ସିଧାସଳଖ ଯୋଗଦାନ କରିଥାଏ। ଏହାବ୍ୟତୀତ ସ୍କୁଲବ୍ୟାଗର ଓଜନ ପିଲାଙ୍କ ଶରୀର ଓଜନର ୧୦% ରୁ ଅଧିକ ହେବା ଉଚିତ୍‌ ନୁହେଁ। ହେଲେ ସେଥିପ୍ରତି କେହି ଯତ୍ନବାନ ନୁହଁନ୍ତି । ଫଳସ୍ୱରୂପ, କାଇଫୋସିସ୍‌ ଏବଂ ସ୍କଲିଓସିସ୍‌ ପରି ମେରୁଦଣ୍ଡ ବିକୃତି, ଯାହା ପ୍ରାରମ୍ଭିକ ମେରୁଦଣ୍ଡ ଡିସ୍କ କ୍ଷତିର କାରଣ, ତାହା ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ମାଂସପେଶୀରେ ଚାପ, କାନ୍ଧରେ ଅସନ୍ତୁଳନ ବା ବାହୁରେ ଝିମ୍‌ଝିମ୍‌ ହେବା, ଦୀର୍ଘକାଳୀନ ବେକ ଏବଂ କାନ୍ଧରେ ଯନ୍ତ୍ରଣା କିମ୍ବା ଏପରିକି ଫୁସଫୁସ କ୍ଷମତା ଏବଂ ମାନସିକ ଚାପ ମଧ୍ୟ ପିଲାଙ୍କ ମଧ୍ୟରେ ଏହି ଓଜନିଆ ସ୍କୁଲବ୍ୟାଗ୍‌ ହେତୁ ହୋଇପାରେ, ଯାହା ଏହି ବ୍ୟାଗବିହୀନ ସ୍କୁଲ ଜରିଆରେ କିଛିଟା ଲାଘବ କରାଯାଇପାରିବ।

“ବ୍ୟାଗବିହୀନ ସ୍କୁଲ’ ସୁବିଧା ବଂଚିତ ପୃଷ୍ଠଭୂମିର ପିଲାମାନଙ୍କ ପାଇଁ ଏକ ସଶକ୍ତିକରଣର ମଂଚ ହୋଇପାରିବ। ପାରମ୍ପରିକ ଶିକ୍ଷା ଢାଂଚା ସହିତ ଯେଉଁମାନେ ସଂଘର୍ଷ କରନ୍ତି, କିନ୍ତୁ ବ୍ୟାବହାରିକ, କଳାତ୍ମକ କିମ୍ବା ସାମାଜିକ କ୍ଷେତ୍ରରେ ନିଜର ଉତ୍କର୍ଷତା ଦେଖାଇପାରନ୍ତି, ସେମାନଙ୍କ ପାଇଁ ବିଦ୍ୟାଳୟରେ ଏହି ଦିନଗୁଡିକ ନିଜ ଦକ୍ଷତାକୁ ଦୃଶ୍ୟମାନ କରିବାର ଏକ ସୁଯୋଗ ପ୍ରଦାନ କରିବ। ଆଦିବାସୀ ଓ ଗ୍ରାମୀଣ ବିଦ୍ୟାଳୟଗୁଡିକରେ, ଯେଉଁଠାରେ ପିଲାମାନଙ୍କ ପାଖରେ ସମୃଦ୍ଧ ପରିବେଶଗତ, ସାଂସ୍କୃତିକ ଓ ବ୍ୟାବହାରିକ ଜ୍ଞାନ ଥାଏ, କିନ୍ତୁ ଯାହା ଆନୁଷ୍ଠାନିକ ପାଠ୍ୟକ୍ରମରେ ସ୍ୱୀକୃତି ଲାଭ ପାଏ ନାହିଁ, “ବ୍ୟାଗବିହୀନ ସ୍କୁଲ’ ସେହି ଜ୍ଞାନକୁ ବୈଧତା ଦେବାରେ ଏକ ମହତ୍ୱପୂର୍ଣ୍ଣ ମଂଚ ପ୍ରଦାନ କରିପାରିବ। ଯେତେବେଳେ ଗୋଟିଏ ଶିଶୁ ପାରମ୍ପରିକ ବିହନ ସଂରକ୍ଷଣ, ଲୋକଗୀତ କିମ୍ବା ଜଙ୍ଗଲ ଆଧାରିତ ଜୀବିକା ପ୍ରଣାଳୀ ବିଷୟରେ ନିଜ ଅନୁଭବ କହିବାକୁ ସୁଯୋଗ ପାଏ, ସେତେବେଳେ ଶିକ୍ଷା ଏକପକ୍ଷୀୟ ଶ୍ରେଣୀଗତ ପ୍ରକ୍ରିୟା ନହୋଇ, ପାରସ୍ପରିକ ଶିକ୍ଷାର ରୂପ ନେଇଥାଏ । ଏପରି ସ୍ୱୀକୃତି ପିଲାମାନଙ୍କ ଆତ୍ମବିଶ୍ୱାସ, ଆତ୍ମସମ୍ମାନ ଓ ବିଦ୍ୟାଳୟ ବ୍ୟବସ୍ଥା ମଧ୍ୟରେ ନିଜସ୍ୱତାର ଅନୁଭୂତିକୁ ପୋଷଣ କରେ, ଯାହା ବିଦ୍ୟାଳୟରୁ ବିଚ୍ଛିନ୍ନତା ଓ ଡ୍ରପ୍‌ଆଉଟ୍‌ ସମ୍ଭାବନାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ହ୍ରାସ କରିପାରିଥାଏ। ବିନା ପୁସ୍ତକରେ, ବହୁମୁଖୀ, ଅନୁଭବ- ଆଧାରିତ ଶିକ୍ଷଣ ଓ ଖେଳ-ଆଧାରିତ ଶିକ୍ଷଣ, ମସ୍ତିଷ୍କର ଏକାଧିକ ସ୍ନାୟୁବିକ ପଥକୁ ସକ୍ରିୟ କରି ଯୋଜନା, ଭାବପ୍ରବଣ ନିୟନ୍ତ୍ରଣ, ସମସ୍ୟା ସମାଧାନ, ସୃଜନଶୀଳତା ଓ କାର୍ଯ୍ୟନିର୍ବାହୀ କ୍ଷମତାକୁ ଶକ୍ତିଶାଳୀ କରିଥାଏ। ଏହି ପଦକ୍ଷେପ ମାନସିକ ସୁସ୍ଥତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ପ୍ରଦର୍ଶନକୁ ବୃଦ୍ଧି କରିବାରେ ଏକ ପ୍ରଭାବଶାଳୀ ପଥ ଖୋଲିଦିଏ। ବ୍ୟାଗବିହୀନ ସ୍କୁଲ ଦିନକୁ ପାଠ୍ୟକ୍ରମରୁ ବିଚ୍ୟୁତି ଭାବେ ନୁହେଁ, ବରଂ ପାଠ୍ୟକ୍ରମର ଏକ ସ୍ୱାଭାବିକ ସମ୍ପ୍ରସାରଣ ଭାବେ ଦେଖିବା ଉଚିତ। ଏହି ପରିବର୍ତନରେ, ଶିକ୍ଷକ ପ୍ରସ୍ତୁତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶିକ୍ଷକମାନଙ୍କୁ ନୂଆ ନୂଆ ପ୍ରକାରର ଶିକ୍ଷାଶୈଳୀ ଉଦ୍ଭାବନ କରିବାର ଆବଶ୍ୟକତା ରହିଛି, ଯାହା ଶିକ୍ଷାକୁ କେବଳ ପୁସ୍ତକର ପୃଷ୍ଠାରେ ଆବଦ୍ଧ କରିବ ନାହିଁ। ଶ୍ରେଣୀଗୃହ ଆଲୋଚନା, କାହାଣୀ କଥନ ଅଧିବେଶନ, ସୃଜନଶୀଳ ଉପସ୍ଥାପନା କିମ୍ବା ଡିଜିଟାଲ ଦସ୍ତାବିଜକରଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ କ’ଣ ଅନୁଭବ କଲେ ଓ କ’ଣ ଶିଖିଲେ ତାହାକୁ ଅର୍ଥପୂର୍ଣ୍ଣ ଭାବେ ବ୍ୟକ୍ତ କରିବା ଉଚିତ, ଯାହାର ମନ୍ଥନ ପରବର୍ତୀ ସମୟରେ ଏହି ପଦକ୍ଷେପକୁ ଆହୁରି ମାର୍ଜିତ କରିବାରେ ସାହାଯ୍ୟ କରିପାରିବ। ବ୍ୟାଗବିହୀନ ସ୍କୁଲ ଦିନମାନଙ୍କରେ ପ୍ରଦର୍ଶନୀ, ସହଭାଗୀ କାର୍ଯ୍ୟକଳାପ କିମ୍ବା ସଂଳାପ ମାଧ୍ୟମରେ ଅଭିଭାବକମାନଙ୍କ ଯୋଗଦାନକୁ ମଧ୍ୟ ସକ୍ରିୟ କରାଯିବା ଉଚିତ, ଯାହାଫଳରେ ଅଭିଭାବକମାନେ ଏହା ହୃଦୟଙ୍ଗମ କରିପାରିବେ ଯେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣରେ ସ୍କୁଲ, ଶିକ୍ଷକ ଓ ପିଲାମାନଙ୍କର ଯେତିକି ଭୂମିକା ରହିଛି, ସେତିକି ଭୂମିକା ଓ ଦାୟିତ୍ୱ ସେମାନଙ୍କର ମଧ୍ୟ ରହିଛି । ଏହାସହିତ ବିଦ୍ୟାଳୟଗୁଡିକୁ ମନିଟରିଂ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ, ଯାହା ବ୍ୟାଗବିହୀନ ଦିନର ପ୍ରଭାବକୁ ଟ୍ରାକ୍‌ କରିପାରିବ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଥିବା ନିରନ୍ତର ଏବଂ ବ୍ୟାପକ ମୂଲ୍ୟାଙ୍କନ ପ୍ରଣାଳୀକୁ କେବଳ ଶ୍ରେଣୀଗୃହ-କୈନ୍ଦ୍ରିକ ନକରି ପାରିପାଶ୍ୱିର୍କ ପର୍ଯ୍ୟବେକ୍ଷଣ, ଦକ୍ଷତା, ଜୀବନ ଦର୍ଶନ, କଳାକୌଶଳ ପାରଙ୍ଗମତାଭିତିକ ମୂଲ୍ୟାଙ୍କନ କ୍ଷେତ୍ରଗୁଡିକ ପ୍ରତି ଉନ୍ମୁକ୍ତ କରିବାରେ ବ୍ୟାଗବିହୀନ ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହି ପର୍ଯ୍ୟବେକ୍ଷଣରୁ ମିଳୁଥିବା ପ୍ରମାଣ ଆଧାରରେ, ପଦକ୍ଷେପର ସଂଶୋଧନ ଓ ମାପନ ସୁନିଶ୍ଚିତ କରିହେବ, ଯାହା ଏହାକୁ ପରବର୍ତୀ ସମୟରେ ଅଧିକ ମଜଭୁତ କରିବ। ଏହିସବୁ ପଦକ୍ଷେପର ମିଳିତ ପ୍ରୟାସରେ ଆମେ ପିଲାଙ୍କ କାନ୍ଧ ଉପରୁ ସ୍କୁଲ୍‌ ବ୍ୟାଗର ବୋଝକୁ କିଛି ମାତ୍ରାରେ କମାଇପାରିବା, ଯେଉଁଠି ଶିକ୍ଷା ବା ସ୍କୁଲ୍‌ ଏକ ଯନ୍ତ୍ରଣା ନୁହେଁ, ବରଂ ପିଲାଦିନର ଏକ ମିଠା ସ୍ମୃତି ହୋଇ ରହିପାରିବ। ଏହି ପଦକ୍ଷେପ ଶିକ୍ଷଣକୁ ପୁନର୍ବାର କୌତୂହଳ, ପ୍ରସଙ୍ଗ ଏବଂ ଜୀବନମୁଖୀ ଅନୁଭବ ସହିତ ସଂଯୁକ୍ତ କରେ। ଏହା ଶିକ୍ଷାଗତ ନବୀକରଣର ଏକ ଶକ୍ତିଶାଳୀ ଉପକରଣ ।

ଏହି ଛୋଟ, କିନ୍ତୁ ଗମ୍ଭୀର ଓ ଅଭିନବ ପଦକ୍ଷେପ ଜରିଆରେ ଭାରତୀୟ ଶିକ୍ଷା ପ୍ରଣାଳୀ ତାହାର ସର୍ବୋଚ୍ଚ ଲକ୍ଷ୍ୟର ନିକଟତର ହୋଇପାରିବ ।
ଯେଉଁଠି ଶିକ୍ଷାର ଉଦ୍ଦେଶ୍ୟ ପିଲାମାନଙ୍କୁ ପରୀକ୍ଷାରେ ଉତୀର୍ଣ୍ଣ କରାଇବା, କି ବଡ ଚାକିରିରେ ସ୍ଥାପିତ କରାଇବା ନୁହେଁ, ବରଂ ସେମାନଙ୍କୁ ଚିନ୍ତାଶୀଳ, ସକ୍ଷମ ଏବଂ ସନ୍ତୁଳିତ ମଣିଷ ଭାବରେ ଗଢ଼ି ତୋଳିବାରେ ନିହିତ।