ଧରାପଡ଼ିଲା ବୟସ୍କଙ୍କୁ କୋରିଅର୍‌ ଦୁଷ୍ଟାମି

କର୍ଣ୍ଣାଟକର ବେଙ୍ଗାଲୁରୁରୁ ଗୋଟିଏ ବିଚିତ୍ର ଘଟଣା …..

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଗୋଟିଏ ବିଚିତ୍ର ଘଟଣା ସାମ୍ନାକୁ ଆସିଛି, ଲୋକମାନେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍‌ ପାଇଁ କେତେ ବ୍ୟାକୁଳ? ବୃଦ୍ଧବାପାଙ୍କୁ ପାର୍ସଲ କରି ଡାକ ଜରିଆରେ ପଠାଇବାର ଉଦ୍ୟମକୁ ପୁଅ-ବୋହୂ ରିଲ୍‌ସ ବାହାନା ଦର୍ଶାଇ ଖସିଯିବାକୁ ଅପଚେଷ୍ଟା କରିଛନ୍ତି।

ମାନବ ପାର୍ସଲଟିକୁ ଦେଖି କୋରିଅର୍‌ ଅଫିସ୍‌ କର୍ମଚାରୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା। ପୁଅ-ବୋହୂ ବଡ଼ ବାକ୍ସଟିଏ ଧରି କୋରିଅର୍‌ ଅଫିସ୍‌ରେ ପହଂଚିଥିଲେ। କୋରିଅର କର୍ମଚାରୀମାନେ ପ୍ୟାକେଜ୍‌ ବିଷୟରେ ପଚାରିଥିଲେ ଏବଂ ତାକୁ ଖୋଲି ଚମକି ପଡ଼ିଥିଲେ। ବାକ୍ସ ଭିତରେ ଜଣେ ବୟସ୍କ ବ୍ୟକ୍ତି ଥିଲେ ଯିଏ କି ମହିଳାଙ୍କ ବାପା ଥିଲେ।

ତଦନ୍ତରୁ ଜଣାପଡିଲା ଯେ, ମହିଳା, ତାଙ୍କ ସ୍ୱାମୀ, ଶାଶୁ ଏବଂ ଦିଅର ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଶ୍ୱଶୁରଙ୍କୁ ପାର୍ସଲ ଭିତରେ ବନ୍ଦ କରି ପରିବାର ସଦସ୍ୟମାନେ ମାନବ ପ୍ୟାକେଜ୍‌ ପଠାଇବା ପଛରେ ଅଜବ ଯୁକ୍ତି ଦେଇଥିଲେ। ସେମାନେ କହିଥିଲେ, ରମ୍‌ଜାନ୍‌ ଏବଂ ଉଗାଡି ପର୍ବ ସମୟରେ ଭିଡ଼ ବିଷୟରେ ଏକ ରିଲ୍‌ ତିଆରି କରିବାକୁ ଚାହୁଁଥିଲେ। ପାର୍ବଣ ସମୟରେ ବସ୍‌ ଟିକେଟ୍‌ ମିଳିବା କଷ୍ଟକର ତେଣୁ ସେମାନେ କୋରିଅର ମାଧ୍ୟମରେ ବାପାଙ୍କୁ ପଠାଇବା ଏକମାତ୍ର ବିକଳ୍ପ ବୋଲି ଦେଖାଇବାକୁ ଚାହୁଁଥିଲେ।

ମାତ୍ର ଘଟଣାଟି ଚିନ୍ତାଜନକ ମନେହେଲା, ବାକ୍ସଟି ଖୋଲିବାରୁ ଦେଖାଗଲା ଶ୍ୱାସକ୍ରିୟା ଠିକ ଭାବେ ନେଇ ନପାରି ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। କୋରିଅର କର୍ମଚାରୀମାନେ ପରିସ୍ଥିତିର ଗମ୍ଭୀରତାକୁ ଜାଣି ଏହାକୁ ନ ନେବାକୁ କହିଥିଲେ। ପରିବାର ସଦସ୍ୟମାନେ କୋରିଅର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରି କହିଥିଲେ ଯେ ସେମାନେ ବହୁ ଦୂରରୁ ଆସିଥିବାରୁ ସେମାନଙ୍କ ପାର୍ସଲ ଗ୍ରହଣ କରାଯାଉ।କୋରିଅର କର୍ମଚାରୀ ଅନ୍ୟ ଉପାୟ ନପାଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ପୁରା ପରିବାରକୁ ଥାନାକୁ ନେଇଗଲା।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୁଲିସ ସମସ୍ତଙ୍କ ବୟାନ ରେକର୍ଡ କରିଥିଲା। ପରେ, ପରିବାର ସଦସ୍ୟ କ୍ଷମା ପ୍ରାର୍ଥନା ଭିଡିଓ ଜାରି କରି ସେମାନଙ୍କର ଭୁଲ ସ୍ୱୀକାର କରିଥିଲେ। ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ସ୍ୱୀକାର କରିଥିଲେ। ଭବିଷ୍ୟତରେ ଏପରି ଜୀବନ ପ୍ରତି ବିପଦପୂର୍ଣ୍ଣ ଷ୍ଟଂଟ୍‌ କିମ୍ବା ରିଲ୍‌ ଚେଷ୍ଟା ନକରିବା ପାଇଁ କଡ଼ା ଚେତାବନୀ ଦେଇ ପୁଲିସ ପରିବାର ସଦସ୍ୟଙ୍କୁ ଛାଡିଥିଲା।