ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୂଷଣଙ୍କ ପାଇଁ ସୁପ୍ରିମକୋର୍ଟ ଆଜି ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ତାଙ୍କ ଉପରେ ୧ ଟଙ୍କା ଜୋରିମାନା ଲଗାଇଛନ୍ତି। ଏପରିକି ୧୫ ସେପ୍ଟେମ୍ବର ସୁଦ୍ଧା ଏହା ପୈଠ ନକଲେ ତାଙ୍କୁ ୩ ମାସର ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି।

ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ବିଆର ଗାବାଇ ଓ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜୋରିମାନା ନଦେଲେ ସେ ୩ ବର୍ଷ ପାଇଁ ପେସା ହରାଇବେ ବୋଲି ମଧ୍ୟ କୋର୍ଟ ଜଣାଇଛନ୍ତି। ଗତ ୧୪ ତାରିଖର ଶୁଣାଣିରେ ସର୍ବୋଚ୍ଚ ଅଦାଲତ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବିବେଚନା କରିବା ସହ ଦଣ୍ଡାଦେଶ ନେଇ ରାୟ ସଂରକ୍ଷିତ ରଖିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଏସଏ ବୋବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣ ଦୁୁଇଟି ଆକ୍ଷେପମୂଳକ ଟ୍ୱିଟ୍ କରିଥିଲେ। ସୁପ୍ରିମକୋର୍ଟ ଏନେଇ ତାଙ୍କୁ ନୋଟିସ୍ ପଠାଇବା ସହ ଅଦାଲତ ଅବମାନନା ବୋଲି ଦର୍ଶାଇଥିଲେ। ସେ ସତ୍ୟପାଠ ଜରିଆରେ ସ୍ପଷ୍ଟିକରଣ ଦେଇ ଭୁଲ ମାଗିଥିଲେ ସୁଦ୍ଧା କୋର୍ଟ ତାକୁ ଅଗ୍ରାହ୍ୟ କରିଥିଲେ।