ତିହିଡି଼: ଧାନମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ଅସହଯୋଗ ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ୍ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ୱସ୍ଥ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର ସକାଳେ ଅବରୋଧ କରିଛନ୍ତି। ଚାରିତରଫ ସମିତି ମଣ୍ଡିରେ ୭୨୦ଜଣ ପଞ୍ଜୀକୃତ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୫୨ ଜଣ ଚାଷୀ ଏ ଯାବତ୍ ଧାନ ବିକ୍ରି କରି ପାରିନାହାନ୍ତି। ମଣ୍ଡି ସହ ୨ଟି ଧାନକଳ ଅନୁବନ୍ଧିତ ହୋଇଛି। କିନ୍ତୁ ଗତ ୧୫ ଦିନ ମଧ୍ୟରେ ସେମାନେ ଆଦୌ ଧାନ ଉଠାଇ ନାହାନ୍ତି। ମଣ୍ଡି ସାମ୍ନାରେ ଖରା, କାକରରେ ୮ ହଜାର କ୍ୱିଂଟାଲ୍ରୁ ଊର୍ଦ୍ଧ୍ୱ ଧାନବସ୍ତା ପଡିରହିଛି। ସମିତିକୁ ମିଳିଥିବା ଟାର୍ଗେଟ ପୂରଣ ହୋଇସାରିଥିବା ବେଳେ ଅଧିକ ୮ହଜାର କୁଇଂଟାଲ ଟାର୍ଗେଟର ଆବଶ୍ୟକତା ଥିଲେ ମଧ୍ୟ ତାହା ପୂରଣ କରାଯାଉ ନାହିଁ।
ଏପରି ଅବ୍ୟବସ୍ଥା ଯୋଗୁ ମଣ୍ଡିକୁ ଧାନ ଦେଇ ଚାଷୀମାନେ ମଧ୍ୟ ପ୍ରାପ୍ୟ ପାଇ ପାରିନାହାନ୍ତି। ତେବେ ସମିତି ସଭାପତି, କର୍ମକର୍ତା ଓ ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। କୌଣସି ସୁଫଳ ନମିଳିବାରୁ ସେମାନେ ରାସ୍ତା ରୋକ ପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ।
ରାସ୍ତା ଅବରୋଧର ୩ ଘଂଟା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତୀଶ ସାମଲ ଘଟଣାସ୍ଥଳରେ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସମିତି ସଭାପତି ବସନ୍ତ କୁମାର ନାୟକ, ଚାଷୀ ନେତା ମୁକ୍ତିକାନ୍ତ ନାୟକ, ରାଜନଗର ପଂଚାୟତ ସରପଂଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଂଚ ସୁଦର୍ଶନ ବିଶ୍ୱାଳ, ବିଚିତ୍ର ବଳ, ସନ୍ଥ ଚରଣ ବିଶ୍ୱାଳ ପ୍ରମୁଖ ମଣ୍ଡି ସମସ୍ୟା ଉପସ୍ଥାପନ କରିଥିଲେ। ଆଲୋଚନା ବେଳେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ସମିତି ସମ୍ପାଦକ ମନୋରଞ୍ଜନ ବଳ, ପୂର୍ବତନ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପ୍ରଭାତ ବିଶ୍ୱାଳ, ସନାତନ ବାରିକ, ସୁବାସ ସ୍ୱାଇଁ ଓ ଚାଷୀମାନେ ଉପସ୍ଥିତ ଥିଲେ। ତହସିଲଦାର ଆଚାର୍ଯ୍ୟ ଶୁକ୍ରବାର ୨ଟି ଓ ଅନ୍ୟ ଦିନରେ ଗୋଟିଏ ଲେଖାଏଁ ବଡ଼ ଟ୍ରକ ଯୋଗାଇ ଧାନବସ୍ତା ଉଠାଯିବ ଓ ଅଧିକ ଟାର୍ଗେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।