ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷମତା ୧୦୦ କୋଟିକୁ ବୃଦ୍ଧି

ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ….

ଭୁବନେଶ୍ୱର: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀମାନଙ୍କ ଆର୍ଥିକ କ୍ଷମତା ବଢ଼ାଇଛନ୍ତି। ମୁଖମନ୍ତ୍ରୀଙ୍କ ଆର୍ଥିକ କ୍ଷମତାକୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରସ୍ତାବ ୧୦୦ କୋଟି ଟଙ୍କା ଟପିଲେ କ୍ୟାବିନେଟ୍‌ ଅନୁମୋଦନ ଆବଶ୍ୟକ ହେବ। ମନ୍ତ୍ରୀମାନଙ୍କୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କ୍ରୟ ନିଷ୍ପତି ନେବା କ୍ଷମତା ଦିଆଯାଇଛି। ଏନେଇ ଆର୍ଥିକ କ୍ଷମତା ନିୟମାବଳୀ ୧୯୭୮ରେ ସଂଶୋଧନ କରାଯାଇଛି। ସେହି ସଂଶୋଧନ ତତ୍କାଳ ଲାଗୁ କରାଯାଇଛି।

ଅର୍ଥ ବିଭାଗ ସୂଚନା ମୁତାବକ ସାମଗ୍ରୀ କ୍ରୟ, କନ୍‌ସଲ୍‌ଟାନ୍ସି ସେବା ଓ ସେବାର ଆଉଟ୍‌ସୋର୍ସିଂ ଭଳି ତିନି ପ୍ରକାର ବିଷୟ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ଆର୍ଥିକ କ୍ଷମତା ବୃଦ୍ଧି କରାଯାଇଛି। ବିଭାଗୀୟ ମୁଖ୍ୟମାନେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କ୍ରୟ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ କନ୍‌ସଲ୍‌ଟାନ୍ସି ଓ ଆଉଟ୍‌ସୋର୍ସିଂ ସେବା ମଞ୍ଜୁର କରିପାରିବେ। ପ୍ରଶାସନିକ ବିଭାଗର ସଚିବମାନେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କ୍ରୟ ଓ ୫ କୋଟି ଟଙ୍କା ପର୍ଯ୍ୟନ୍ତର ସେବା ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ କରିପାରିବେ। ପ୍ରଶାସନିକ ବିଭାଗର ମନ୍ତ୍ରୀମାନଙ୍କୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କ୍ରୟ ଓ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସେବା ସମ୍ପର୍କିତ ପ୍ରସ୍ତାବ ନିଷ୍ପତି ନେବା କ୍ଷମତା ଦିଆଯାଇଛି।

ରାଜସ୍ୱ ବୋର୍ଡ ସଦସ୍ୟ, ପିସିସିଏଫ୍‌, ରାଜସ୍ୱ କମିସନର ଓ ଜିଲ୍ଲାପାଳମାନଙ୍କ ପାଇଁ ଆବାସିକ କୋଠ, ଅଣ-ଆବାସିକ କୋଠା, ଯୋଗାଯୋଗ, ଜଳସେଚନ, ଜନସ୍ୱାସ୍ଥ୍ୟ ଓ ବିଦ୍ୟୁତ୍‌, ସ୍ୱଚ୍ଛତା ଓ ପରିମଳ, ସର୍କିଟ୍‌ ହାଉସ୍‌, ଆଇବି, ପାନୀୟ ଜଳଯୋଗାଣ ସମ୍ପର୍କିତ ଆର୍ଥିକ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ପୂର୍ତ, ଜଳ ସମ୍ବଳ, ଶକ୍ତି, ଗ୍ରାମୀଣ ବିକାଶ, ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ, ପାନୀୟ ଜଳ ଓ ଏସ୍‌ଟି-ଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆର୍ଥିକ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଯୋଗାଯୋଗ, ଜଳସେଚନ, ଜନସ୍ୱାସ୍ଥ୍ୟ ଓ ବିଦ୍ୟୁତ୍‌ କ୍ଷେତ୍ରରେ ସେମାନେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତର ପ୍ରସ୍ତାବ ଅନୁମୋଦନ କରିପାରିବେ।

ରାଜ୍ୟ ସରକାର କ୍ଷତିର ରାଇଟ୍‌-ଅଫ୍‌ ସୀମାକୁ ମଧ୍ୟ ସଂଶୋଧନ କରିଛନ୍ତି। ସଚିବମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ମନ୍ତ୍ରୀମାନେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମୁଖ୍ୟମନ୍ତ୍ରୀ ୫ କୋଟି ପର୍ଯ୍ୟନ୍ତ କ୍ଷତିକୁ ରାଇଟ୍‌-ଅଫ୍‌ କରିପାରିବେ। ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ରାଇଟ୍‌ ଅଫ୍‌ ପାଇଁ କ୍ୟାବିନେଟ୍‌ ଅନୁମୋଦନ ଆବଶ୍ୟକ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି, ଆକସ୍ମିକ ବ୍ୟୟ କ୍ଷେତ୍ରରେ ଜିଲ୍ଲାପାଳଙ୍କ ଆର୍ଥିକ କ୍ଷମତା ୧ କୋଟି ଟଙ୍କା ଓ ଅଧସ୍ଥନ କାର୍ଯ୍ୟାଳୟ ମୁଖ୍ୟଙ୍କ ଆର୍ଥିକ କ୍ଷମତା ୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ସରକାରଙ୍କ ଏହି ପଦକ୍ଷେପ ପ୍ରଶାସନିକ ବାଧାହ୍ରାସ କରିବ, କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସଶକ୍ତ କରିବ ଓ ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଶାସନରେ ଦକ୍ଷତା ବୃଦ୍ଧି ଏବଂ ସମୟାନୁବର୍ତୀ ସେବା ପ୍ରଦାନ ପାଇଁ ଏହି ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।