ପୁରୀ: ଆସନ୍ତା ୨୫ ତାରିଖ ବୁଧବାର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି। ଭିଡ଼ିଓଗ୍ରାଫି, ଫଟୋଗ୍ରାଫି, ଥ୍ରିଡି ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ। ୧୯୭୮ ମସିହାର ଗଣତି ମଣତିର ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ମେଳକ ହେବ। ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲ୍ଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଧୁକରେ ରଖାଯିବ।
ରୌପ୍ୟ ଅଳଙ୍କାର ଧଳା ବା ସିଲଭର୍ ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। କେବଳ ମେଳକ, ଗଣତି କରାଯିବ। କୌଣସି ମୂଲ୍ୟାୟନ ହେବ ନାହିଁ।
କେବେ ସଂପୂର୍ଣ୍ଣ ଗଣତିମଣତି ସରିବ କହି ହେବ ନାହିଁ। ମନ୍ଦିର ପ୍ରଥାନୁସାରେ ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ନିରୀକ୍ଷକ ଦଳ ଓ ପରିଚାଳନା ଦଳ ଏଭଳି ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିରୀକ୍ଷଣ ଦଳର ଅଧ୍ୟକ୍ଷ ଅଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି। ସେହିପରି ପରିଚାଳନା ଟିମ୍ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନପଥର ବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ। ବିଶେଷ ଦିନ, ପର୍ବ ପର୍ବାଣୀ, ଶନିବାର ଓ ରବିବାର ଦିନ ଗଣତି ମଣତି ହେବ ନାହିଁ। ହାଇକୋର୍ଟ ଗଣତିମଣତି ଶେଷ ପାଇଁ ୩ ମାସ ସମୟ ଦେବାପରେ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି। ସେପଟେ ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ। ତେବେ ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ଅନ୍ୟପଟେ ଭଣ୍ଡାର ମେକାପ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।