ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ବିଧାନସଭାରେ ଗତକାଲି ବିରୋଧୀ ଦଳର …..

ଭୁବନେଶ୍ୱର: ବିଧାନସଭାରେ ଗତକାଲି ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଉତର ରଖି ମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ କହିବା ପରିବର୍ତେ ବିରୋଧୀ ଦଳକୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର ବୋଲି ବିଜେଡି କହିଛି। ଶୁକ୍ରବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡିଶାର ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳତା ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଯେଉଁଭଳି ବିରୋଧୀ ଦଳ ପ୍ରତି ଆକ୍ରାମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି, ତା’ର ତୀବ୍ର ନିନ୍ଦା କରିଛି ବିଜେଡି।

ଦଳ ଉପସଭାପତି ସଂଜୟ ଦାସବର୍ମା ଓ ଉପସଭାପତି ତଥା ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ଏସ୍‌?ସିବି ଟ୍ରମା କେୟାର ଆଇସିୟୁରେ ହୃଦୟବିଦାରକ ଅଗ୍ନିକାଣ୍ଡର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ। ଯୋଗ୍ୟତା ନଥାଇ ଓ ଏନ୍‌ଏମ୍‌ସି ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରି ନିଯୁକ୍ତି ପାଇଥିବା ହସ୍ପିଟାଲର ସୁପରିଟେଣ୍ଡେଂଟ୍‌ ଓ ଅତିରିକ୍ତ ସୁପରିଟେଂଣ୍ଡେଟ୍‌କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ। ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଦର୍ଶାଇବା ସହ ଏସ୍ସିବି ମେଡିକାଲ କଲେଜର ସୁନାମକୁ ଭୁଲୁଣ୍ଠିତ କରିଛି। ଡ. ସାହୁ କହିଛନ୍ତି, ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ। ବିଜେପି ସରକାରକୁ ଆସିଲା ବେଳେ ପ୍ରଥମ ବର୍ଷରେ ୨.୨୮ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ଲକ୍ଷ୍ୟ ପୂରଣ କରିବା ଦୂରର କଥା ୨୦୨୪-୨୫ରେ ବଜେଟ ଅର୍ଥର କେବଳ ୫୫ ପ୍ରତିଶତ ଏବଂ ଚଳିତ ବର୍ଷ ୩୯ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଟ୍ରିପଲ ଇଂଜିନ ସରକାରରେ ମହାନଦୀ ପାଇଁ ବିଜେପି କାନ୍ଦୁଛି କିନ୍ତୁ ମହାନଦୀର ବକ୍ଷ ଶୁଖିଲା ଏବଂ ରାଜ୍ୟବ୍ୟାପୀ ଅବୈଧ ବାଲି ଚୋରା ଚାଲାଣ ହେଉଛି।

ମହାନଦୀକୁ ଶୁଖାଇ ନଦୀ ସଂଯୋଗୀକରଣ ପ୍ରଚାର କରୁଛନ୍ତି ସରକାର। ଓଡିଆ ଠିକାଦାର ମାନେ ଆନ୍ଦୋଳନ କରୁଥିଲା ବେଳେ ଅଣଓଡିଆ ଠିକାଦାରମାନେ ସରକାରଙ୍କ ଗେହ୍ଲା ପୁଅ ସାଜିଛନ୍ତି। ରାଜ୍ୟରେ ଏବେ ଗୁଜରାଟୀ ଓଡିଆ ଅସ୍ମିତା ସରକାର ଚାଲିଛି। ସେହିପରି ଶ୍ରୀ ଦାସବର୍ମା କହିଛନ୍ତି,  ପଡୋଶୀ ଛତିଶଗଡ ସରକାର ତାଙ୍କର ଧାର୍ଯ୍ୟ ଲକ୍ଷ୍ୟର ୧୭୬ ପ୍ରତିଶତ ଧାନ ସଂଗ୍ରହ କରିଛନ୍ତି। ଏହା ପ୍ରମାଣ କରୁଛି ସମସ୍ତ ବିକ୍ରି ଯୋଗ୍ୟ ବଳକା ଧାନ ସଂଗ୍ରହରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ। ଓଡିଶାର ଚାଷୀମାନଙ୍କ ସହିତ ବିଜୁ ଜନତା ଦଳ ସର୍ବଦା କାନ୍ଧ ମିଳାଇ ଛିଡା ହୋଇଛି ଏବଂ ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦଳ ରାଜରାସ୍ତାରେ ଲଢେଇ ଜାରି ରଖିବ।