ଇରାନ ଯୁଦ୍ଧରେ ୫ ଦିନିଆ ବ୍ରେକ୍‌

ଇରାନ ସହିତ ଲଢ଼ିଲଢ଼ି ଇସ୍ରାଏଲ ଓ ଆମେରିକା ……

ନୂଆଦିଲ୍ଲୀ: ଇରାନ ସହିତ ଲଢ଼ିଲଢ଼ି ଇସ୍ରାଏଲ ଓ ଆମେରିକା ବହୁତ ହାଲିଆ ହୋଇଗଲେ। ତେଣୁ ୪୮ ଘଂଟିଆ ଚେତାବନୀ ପରେ ନୂଆ ଜୋସ୍‌ ନୂଆ ହୋସ୍‌ ନେଇ ପୁଣି ଯୁଦ୍ଧ କରିବା ମତଲବ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାରଠାରୁ ୫ ଦିନ ପାଇଁ ସାମୟିକ ଛୁଟି ଘୋଷଣା କରିଛନ୍ତି। ଏହି ୫ ଦିନ ଭିତରେ ଇରାନ ମଧ୍ୟ ଶତଗୁଣ ସିଂହ ବଳ ସଂଗ୍ରହ କରି ପୁଣି ଯୁଦ୍ଧ କରିବାକୁ ମଉକା ପାଇଯିବ।

ଟ୍ରମ୍ପ କହିଛନ୍ତି, ଗତ ଦୁଇଦିନ ଧରି ଚାଲିଥିବା ଦୁଇପକ୍ଷର ଆଲୋଚନା ଫଳପ୍ରଦ ହୋଇଛି। ଟ୍ରମ୍ପ ଟ୍ରୁଥ୍‌ ସୋସିଆଲରେ ଲେଖିଛନ୍ତି, ଆମେ ମଧ୍ୟପ୍ରାଚ୍ୟରେ ସମ୍ପୂର୍ଣ୍ଣ ସମାଧାନ ପାଇଁ ଗଭୀର ଓ ସୃଜନଶୀଳ ଆଲୋଚନା କରୁଛୁ।ଏହାର ପରିଣାମରେ, ମୁଁ ୫ ଦିନ ପର୍ଯ୍ୟନ୍ତ ଇରାନୀ ଶକ୍ତିକେନ୍ଦ୍ର ଉପରେ ଯୋଜନାବଦ୍ଧ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଯୁଦ୍ଧ ବିରତି ଘୋଷଣା ପୂର୍ବରୁ ଟ୍ରମ୍ପ ଇରାନକୁ ସତର୍କ କରିଥିଲେ- ହର୍ମୁଜ୍‌ ପ୍ରଣାଳୀ ସଂପୂର୍ଣ୍ଣ ଖୋଲା ନଗଲେ, ଆମେରିକା ତାଙ୍କର ସବୁ ପାୱାର ପ୍ଲାଂଟ ମାଟିରେ ମିଶାଇଦେବ। ଇରାନ ପ୍ରତିକ୍ରିୟାରେ କହିଥିଲା, ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ଖୋଲା ରହିବ, କିନ୍ତୁ ‘ଶତ୍ରୁ’ (ଆମେରିକା ଓ ଇସ୍ରାଏଲ) ସହ ଜଡିତ ଜାହାଜକୁ ବାଦ୍‌ ଦିଆଯିବ। ଇରାନୀ ପ୍ରତିନିଧିମାନେ କହିଛନ୍ତି, କୂଟନୀତି ଆମର ପ୍ରାଥମିକତା। କିନ୍ତୁ ଆକ୍ରମଣ ବନ୍ଦ ଓ ପାରସ୍ପରିକ ବିଶ୍ୱାସ ପୁନନିର୍ମାଣ ଆବଶ୍ୟକ। ସେମାନେ ସତର୍କ କରାଇଛନ୍ତି, ଯଦି ଇରାନୀ ଶକ୍ତିକେନ୍ଦ୍ରଗୁଡିକୁ ଟାର୍ଗେଟ୍‌ କରାଯାଏ, ତେବେ ସମଗ୍ର ଅଂଚଳରେ ଥିବା ଆମେରିକା ଘାଟିଗୁଡିକୁ ଆକ୍ରମଣ କରାଯିବ। ଇରାନ ଦାବି କରିଛି ଯେ ଏହାର କଡା ଧମକ ପରେ ଆମେରିକା ପଛଘୁଂଚା ଦେଇଛି।

ସମ୍ପ୍ରତି, ଇସ୍ରାଏଲ ସ୍ୱୀକାର କରିଛି ଯେ, ଇରାନ ପ୍ରଥମ ଥର ପାଇଁ ୪,୦୦୦ କି.ମି. ରେଞ୍ଜର ବାଲିଷ୍ଟିକ୍‌ ମିସାଇଲ୍‌ ପ୍ରୟୋଗ କରିଛି, ଯାହା ବର୍ଲିନ୍‌, ପ୍ୟାରିସ୍‌, ରୋମ୍‌ ପର୍ଯ୍ୟନ୍ତ ପହଂଚିପାରେ। ଏହି ସଂଘର୍ଷରେ ୨,୦୦୦ରୁ ଅଧିକ ଇରାନୀ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ ଇରାନୀ ଆକ୍ରମଣରେ ଇସ୍ରାଏଲରେ ଅତିକମ୍‌ରେ ୧୫ ଜଣଙ୍କ ଜୀବନ ଯାଇଛି।
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ଆମେ ସବୁଆଡୁ ଶତ୍ରୁଙ୍କୁ ଆକ୍ରମଣ କରିବାକୁ ସଙ୍କଳ୍ପବଦ୍ଧ। ତେବେ ଏହି ପାଂଚଦିନର ବିରତି ଯଦି ସଫଳ ହୁଏ, ମଧ୍ୟପ୍ରାଚ୍ୟରେ ଶତ୍ରୁତା କମାଇବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।