ଭୁବନେଶ୍ୱର: ଓଡ଼ିଶାରେ ଭିସା ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ୱର ବରମୁଣ୍ଡାରେ ଖୋଲିବ ଭିସା ଅଫିସ। ବିଡିଏ ମୁଖ୍ୟାଳୟରେ ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଏବଂ ଭିଏଫଏସ୍ ଗ୍ଲୋବାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସ୍ଏବିଟି) ଠାରେ ଏକ ଭିସା ଆବେଦନ କେନ୍ଦ୍ର (ଭିଏସି) ସ୍ଥାପନ କରାଯିବ।
ବରମୁଣ୍ଡାସ୍ଥିତ ବିଏସ୍ଏବିଟିରେ ସ୍ଥାପନ ନେଇ ଗୃହ ବିଭାଗର ଅତିରିକ୍ତ ସଚିବ ସୌରମେନ୍ଦ୍ର ପାତ୍ର, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଭିଏଫଏସ୍ ଗ୍ଲୋବାଲ୍ ଗ୍ରୁପ୍ର ଆସୋସିଏଟ୍ ଭାଇସ୍ ପ୍ରେସିଡେଂଟ୍ (ଆଡମିନିଷ୍ଟ୍ରେସନ୍, ଦକ୍ଷିଣ ଏସିଆ) ଭିନି ଜନଙ୍କ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି। ବିଏସ୍ଏବିଟିରେ କେନ୍ଦ୍ରଟି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରାୟ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରିବେ। ବର୍ତମାନ ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଛି।
ନୂଆ ସୁବିଧା ଯୋଗୁଁ ଏଭଳି ଯାତ୍ରାର ଆବଶ୍ୟକତା ଦୂର ହେବ। ଏହି କେନ୍ଦ୍ରଟି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।
ଏହାସହ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଓସିଏସିର ପ୍ରଶାସନିକ ଅଧିକାରୀ ମିଲି ସାମନ୍ତରାୟଙ୍କ ଉପସ୍ଥିତିରେ ବିଡିଏ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର (ଓସିଏସି) ମଧ୍ୟରେ ଆଉ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି।
ଏହି ବ୍ୟବସ୍ଥା ଅନୁଯାୟୀ ବିଡ଼ିଏ ଟର୍ମିନାଲର ଦୁଇଟି ମହଲାର ପ୍ରାୟ ୭୭,୦୦୦ ବର୍ଗଫୁଟ୍ ଖାଲି ସ୍ଥାନ ଓସିଏସିକୁ ଲିଜ୍ ମାଧ୍ୟମରେ ପ୍ରଦାନ କରାଯିବ। ଓସିଏସି ଏହି ସ୍ଥାନକୁ ଆଇଟି କମ୍ପାନିଗୁଡ଼ିକୁ ବଂଟନ କରିବ। ପରିବହନ, ସେବା ଏବଂ ପ୍ରଯୁକ୍ତିକୁ ଏକାଠି କରି ଏକ ହବ୍ରେ ସଂଯୋଜନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ। ବିଡିଏ ଉପାଧ୍ୟକ୍ଷ ଚଂଚଳ ରାଣା କହିଛନ୍ତି ଯେ ବିଏସ୍ଏବିଟି ଏକ ମିଶ୍ରିତ ପରିବହନ ଓ ବ୍ୟବସାୟ ହବ୍ ଭାବରେ ବିକଶିତ ହେବାକୁ ଯାଉଛି। ଏଠାରେ ଆଇଟି ଓ ଆଇଟିଇଏସ୍ କମ୍ପାନିଗୁଡ଼ିକ ସହିତ ଭିସା ଆବେଦନ କେନ୍ଦ୍ର ରହିବ।