ୱାଶିଂଟନ୍‌ ଉପରେ ଆଉ ବିଶ୍ୱାସ ନାହିଁ: ତେହେରାନ୍‌

ୱାଶିଂଟନର କୌଣସି ଛଳନା ଆଉ କାମ କରିବନି। …..

ତେହେରାନ: ୱାଶିଂଟନର କୌଣସି ଛଳନା ଆଉ କାମ କରିବନି। ଇରାନ ନିକଟକୁ ଶାନ୍ତି ପ୍ରସ୍ତାବ ପଠାଇବା ଆଳରେ ୱାଶିଂଟନ ଏବେ ମଧ୍ୟପ୍ରାଚ୍ୟକୁ ସେନା ପଠାଇବା ଆରମ୍ଭ କଲାଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ଓ କାମ ମଧ୍ୟରେ ତାଳମେଳ ନାହିଁ। ତାଙ୍କୁ ବିଶ୍ୱାସ କରିବା ଅର୍ଥ କୁମ୍ଭୀର ପାଟିରେ ହାତ ପୁରାଇବା। ଆମେରିକାର ଜଣେ ଜଣେ ସୈନ୍ୟ ଗୋଟିଏ ସେନାବାହିନୀକୁ ଟକ୍କର ଦେବାକୁ ସକ୍ଷମ। ଏପରି ଅସାଧାରଣ ସେନାବାହିନୀକୁ ତେହେରାନ ସାମ୍ନା କରିବାକୁ ତୟାର।

ମଧ୍ୟପ୍ରାଚ୍ୟକୁ ସେନା ପଠାଇ ୱାଶିଂଟନ ଇରାନ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। କିନ୍ତୁ ଇରାନ ତିଳେମାତ୍ର ଭୟ ନକରି ୱାଶିଂଟନକୁ ଚାଲେଞ୍ଜ କରିଛି। ଇରାନର ଶୀର୍ଷ ସୁରକ୍ଷା ନେତୃତ୍ୱ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି।
ଯାହା ସୂଚାଇ ଦେଉଛି ଯେ, ଇରାନ ସ୍ଥଳଯୁଦ୍ଧ ପାଇଁ ପ୍ରସ୍ତୁତ।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଆମେରିକା ମଧ୍ୟପ୍ରାଚ୍ୟରେ ହଜାର ହଜାର ସୈନ୍ୟ ମୁତୟନ କରିବା ମୁଡ୍‌ରେ ଅଛି। ଆମେରିକାର ପ୍ରସ୍ତୁତି ଉପରେ ପ୍ରତିକ୍ରିୟା ପ୍ରକାଶ କରି, ଇରାନର ଇସଲାମିକ୍‌ ରିଭଲ୍ୟୁସନାରୀ ଗାର୍ଡ କର୍ପସର ଜଣେ ବରିଷ୍ଠ ଅଧିକାରୀ ଅଲି ଆକବର ଅହମଦିଆନ୍‌ କହିଛନ୍ତି, ଆମେ ବର୍ଷ ବର୍ଷ ଧରି ଆମେରିକୀୟମାନଙ୍କର ଏହି ଅଂଚଳଗୁଡ଼ିକରେ ପ୍ରବେଶକୁ ଅପେକ୍ଷା କରି ରହିଛୁ।

୨୦ ବର୍ଷ ଧରି ଯୁଦ୍ଧ ରଣନୀତିରେ ତାଲିମ ନେଉଛୁ। ଆମେରିକୀୟ ସୈନ୍ୟଙ୍କ ପାଇଁ ଆମର କେବଳ ଗୋଟିଏ ବାର୍ତା ଅଛି, ଆମ ପାଖକୁ ଆସ, ଆମେ ତୁମକୁ ଅପେକ୍ଷା କରିଛୁ। ଏପରି ଜଟିଳ ପରିସ୍ଥିତିରେ, ଇରାନର ବିବୃତି ଅସାଧାରଣ ଯୁଦ୍ଧ ରଣନୀତି ଉପରେ ନିର୍ଭରଶୀଳତାକୁ ପ୍ରତିଫଳିତ କରିଛି। ଇରାନ ସେନା ଭୌଗୋଳିକ ସୂଚନା, ବିକେନ୍ଦ୍ରୀକରଣ କାର୍ଯ୍ୟ ଏବଂ ଲକ୍ଷ୍ୟଭେଦୀ ଆକ୍ରମଣକୁ ପ୍ରାଥମିକତା ଦେଇଥାନ୍ତି। ଇରାନୀ ବିଶେଷଜ୍ଞ ଫୁଆଦ ଇଜାଦି କହିଛନ୍ତି, ଆମେରିକୀୟ ସୈନ୍ୟ ନିୟୋଜନ ଇରାନ ସପକ୍ଷରେ ରଣନୈତିକ ପରିବର୍ତନ ଆଣିପାରେ।

ଇରାନୀ ଜେନେରାଲମାନେ ଏହାକୁ ସ୍ୱାଗତ କରିବେ କାରଣ ଏଫ୍‌-୩୫ ବିମାନକୁ ଗୁଳି କରି ଖସାଇଦେବା ଅପେକ୍ଷା ଭୂମିରେ ସୈନିକମାନଙ୍କୁ ହତ୍ୟା କରିବା ସହଜ। ଆଗାମୀ ଦିନରେ ଅନେକ ଆମେରିକୀୟ ସୈନିକ ନିହତ ହୋଇଥିବା ଖବର ମିଳିବ। ସେ କହିଛନ୍ତି, ସ୍ଥଳଯୁଦ୍ଧ ଦୂରଗାମୀ ଆକ୍ରମଣ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ହେବ। ଆମେରିକୀୟ ସୈନ୍ୟମାନେ ସିଧାସଳଖ ଯୁଦ୍ଧରେ ବଂଚି ରହିବାର ସମ୍ଭାବନା କମ୍‌ ରହିବ। ଏହି ବିବୃତି ଗୁରୁତ୍ୱପୂର୍ଣ୍ଣ କାରଣ ଆମେରିକୀୟ ଅଧିକାରୀମାନେ ୮୨ତମ ଏୟାରବର୍ଣ୍ଣ ଡିଭିଜନରୁ ମଧ୍ୟପ୍ରାଚ୍ୟକୁ ସୈନ୍ୟ ପଠାଇବା ପାଇଁ ଯୋଜନା ଘୋଷଣା କରିଛନ୍ତି। ସାମରିକ ନିୟୋଜନ ସତ୍ୱେ, ଆମେରିକା କୂଟନୀତି ପାଇଁ ବାଟ ଖୋଲା ରହିଥିବା ଦାବି କରୁଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମ୍ପ୍ରତି କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି, ଏହି ଦାବିକୁ ଇରାନ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। ଇରାନ ଦାବି କରିଛି, ଟ୍ରମ୍ପ ଏପରି ମନ୍ତବ୍ୟ ଦେଇ ଗୁପ୍ତ ଭାବରେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି।ପାକିସ୍ତାନ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରୁଛି, ଯଦିଓ ଇରାନ ଏହି କୂଟନୀତିରେ ସମ୍ପୂର୍ଣ୍ଣ ଆସ୍ଥାଭାଜନ ନୁହେଁ। ଇରାନ ନିଜର ପ୍ରସ୍ତୁତି ଜାରି ରଖିଛି। ୱାଶିଂଟନର କୌଣସି ପ୍ରସ୍ତାବକୁ ମାନିନେବା ଇରାନ ପକ୍ଷେ ବନ୍ଧୁତ୍ୱପୂର୍ଣ୍ଣ ହେବନି।