ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତି ହେଲେ ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀନୃସିଂହ ଓ ଶ୍ରୀବାମନ ଆଦିଙ୍କ ଜନ୍ମୋତ୍ସବ ବିଧାନ ଓ ଅନ୍ୟାନ୍ୟ ଲୀଳା ସମ୍ପାଦିତ ହୁଏ। ନୀଳାଦ୍ରି ମହୋଦୟରେ କୁହାଯାଇଛି “ଅନୁଗ୍ରହାୟ ଲୋକାନାଂ ନାନା ରୂପଧରଂ ପ୍ରଭୁ’। ବର୍ଷସାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯେଉଁ ଅଙ୍ଗ ଭୂଷଣ ହୁଏ, ସେଥିରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥ ଶଙ୍ଖଚକ୍ର ଧାରଣ କରନ୍ତି ଶ୍ରୀବିଷ୍ଣୁ ରୂପରେ। ସୁବର୍ଣ୍ଣ ଚନ୍ଦ୍ରିକା ଓ ମକର କୁଣ୍ଡଳ ଧାରଣ କରନ୍ତି ଶ୍ରୀକୃଷ୍ଣ ରୂପରେ। ଛତ୍ର ଓ ହନୁମାନ ସଂଯୋଗରେ ଶ୍ରୀରାମ ରୂପରେ। ଛତ୍ର ଓ କମଣ୍ଡଳୁ ଧାରଣ କରି ବାମନ ରୂପେ ଏବଂ ଗଜାନନ ବେଶ ଧାରଣ କରି ଗଣପତି ରୂପରେ ଭକ୍ତ ସମାଜକୁ ଏହିଭଳି ବିବିଧ ଦର୍ଶନ ଦେଇ କୃତାର୍ଥ କରିଛନ୍ତି।
ବାଲ୍ମୀକି ରାମାୟଣ ଉତରକାଣ୍ଡରେ ବର୍ଣ୍ଣନା କରାଯାଇଛି- “ଆରାଧ୍ୟାୟ ଜଗନ୍ନାଥଂ ଇକ୍ଷ୍ୱାକୁକୁଳ ଦୈବତମ୍’। ଏହା ହେଉଛି ଶ୍ରୀରାମଙ୍କର ବିଭୀଷଣଙ୍କ ପ୍ରତି ଉପଦେଶ। ପୁନଶ୍ଚ ଭକ୍ତକବି ବଳରାମ ଦାସ କୃତ “ଦାଣ୍ଡି ରାମାୟଣ’ରୁ ଶ୍ରୀରାମଙ୍କ ଜଗନ୍ନାଥ ଦର୍ଶନ କଥାର ସୂଚନା ମିଳିଥାଏ। ଯଥା: “ଦକ୍ଷିଣ ସିନ୍ଧୁରେ ରାମ ସ୍ନାନ ଯେ ସାରିଲେ, ଦାରୁବ୍ରହ୍ମ ସ୍ୱରୂପକୁ ଯାଇଣ ଦେଖିଲେ। ଜଗନ୍ନାଥ ଛାମୁରେ ଶ୍ରୀରାମ ଉଭା ହୋଇ, ଲକ୍ଷ୍ମଣ ବଳରାମଙ୍କ ସାନ୍ନିଧକୁ ଯାଇ। ସୀତା ସୁଭଦ୍ରା ଯେ ଭେଟ ହେଉଛନ୍ତି ବେନି, ତିନି ଦେବତା ହୋଇ ସେ ତିନି ମୂର୍ତି ଘେନି । ଶ୍ରୀରାମ ଜାଣିଲେ ମୁଁ ଯେ ଅଟେ ଜଗନ୍ନାଥ, ସୀତା ସୁଭଦ୍ରା ଯେ ବେନି ଅଟନ୍ତି ସଞ୍ଜାତ’।
ଶ୍ରୀମନ୍ଦିରରେ ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ, ବିଭୀଷଣ ପ୍ରତିଦିନ ଦକ୍ଷିଣ ଦିଗରୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ସେହିପରି ସମଗ୍ର ସେବାୟତ ସମାଜରେ ଏବେ ବି ବଦ୍ଧଧାରଣା ଓ ବିଶ୍ୱାସ ଅଛି ଯେ, ବିଭୀଷଣଙ୍କର ସ୍ୱର୍ଣ୍ଣକଙ୍କଣ ଶ୍ରୀମନ୍ଦିରର ଛତିଶା ନିଯୋଗ ନାଏକ ପାଟ୍ଟ ଯୋଶୀ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଗୋପନୀୟ ଭାବେ ରୁଦ୍ଧ କୋଠରିରେ ରଖାଯାଇଛି । ଯାହାକି ପ୍ରତ୍ୟହ ବାହାର ପଟରୁ ପୁଷ୍ପ, ଚନ୍ଦନ ଇତ୍ୟାଦି ପ୍ରଦାନ କରାଯାଉଛି। ରାମାନନ୍ଦୀ ସମ୍ପ୍ରଦାୟର ବିଶିଷ୍ଟ ଆଚାର୍ଯ୍ୟମାନଙ୍କ ମତରେ ତ୍ରେତୟା ଯୁଗରୁ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପୁରୁଷୋତମ କ୍ଷେତ୍ରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରୂପରେ ବିରାଜିତ । ପୁନଶ୍ଚ ଭକ୍ତକବି ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ତଥ୍ୟାନୁଯାୟୀ ରଘୁନାଥ ନିଜେ ଶ୍ରୀଜଗନ୍ନାଥ, ଲକ୍ଷ୍ମଣ ବଳଦେବ, ମୂଳ ପ୍ରକୃତି ଜଗତଜନନୀ ସୀତା ସୁଭଦ୍ରା ରୂପରେ ବିରାଜମାନ ହୋଇଛନ୍ତି। ସନ୍ଥ ତୁଳସୀ ଦାସ ରଘୁନାଥ ଓ ଜଗନ୍ନାଥଙ୍କ ମଧ୍ୟରେ ଅଭିନ୍ନତା ଉପଲବ୍ଧି କରି କହିଛନ୍ତି ଯେ “ଯୋହି ରାମ ସୋହି ଜଗଦୀସା’ । ଶ୍ରୀମନ୍ଦିରର ସର୍ବଶେଷ ପହୁଡ ନୀତି ଅନୁଷ୍ଠିତ ହେବା ସମୟରେ ବଡ ଛତା ମଠର ବାବାଜୀମାନେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମ ରୂପେ ସ୍ତୁତି କରି ବୋଲିଥାନ୍ତି: “ଭାନ୍ତି ଭାନ୍ତି ପ୍ରଭୁ ବେଦ ପଚାରି, ପହୁଡେ ହେ ପ୍ରଭୁ ଅବଧ ବିହାରୀ। ଜୟ ଶ୍ରୀଜଗନ୍ନାଥ ଜୟଦେବା, ଶିବ ବିରଂଚି ନାରଦ କରେ ସେବା’ । ସେହିପରି ମଠର ବାବାଜୀ ବୈଷ୍ଣବମାନେ ଢୋଲକି ଓ ଗିନି ଧରି ଶେଷରେ ବୋଲିଥାନ୍ତି: “ଚଲ ସଖି ଶୋଏ ଅବଧ କିଶୋର, ଜନକ ନନ୍ଦିନୀ ଚରଣ ପଲଙ୍କ ସେବା କରେ ନିରନ୍ତର’।
ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ ଆଧ୍ୟାତ୍ମିକ ସାଦୃଶ୍ୟର ବଳିଷ୍ଠତମ ପ୍ରମାଣ ହେଉଛି ଶ୍ରୀମନ୍ଦିରରେ ଅନୁସୃତ ନୀତି ପରମ୍ପରାରେ ଶ୍ରୀରାମ ପ୍ରଭାବ। ଶ୍ରୀରାମଙ୍କ ଜନ୍ମ ଉତ୍ସବ ଦିନ ବିଧିବଦ୍ଧ ଭାବରେ ଶାସ୍ତ୍ରୀୟ ପ୍ରମାଣ ଅନୁଯାୟୀ ପଂଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳ କଟାଯାଇ ଶ୍ରୀରାମଙ୍କ ବିଗ୍ରହକୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହି ଜନ୍ମ ନୀତି ସମୟରେ ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ରୂପେ ଖଣ୍ଡୁଆ ଘୋଡାଇ ହୋଇ ଜନ୍ମକର୍ମ ସମ୍ପାଦନ କରନ୍ତି । ଏତଦବ୍ୟତୀତ ରାମ ନବମୀ ପରଦିନ ଅର୍ଥାତ୍ ଚୈତ୍ର ଶୁକ୍ଳ ଦଶମୀ ଦିନ ଜଗନ୍ନାଥବଲ୍ଲଭ ମଠରେ ଯଜ୍ଞରକ୍ଷା ନୀତି, ଏକାଦଶୀ ଦିନ ସୀତାବିବାହ ଓ ହରଚଣ୍ଡୀ ସାହି ତରଫରୁ ପର୍ଶୁରାମ ଲୀଳା, ଦ୍ୱାଦଶୀ ଦିନ ବନବାସ ଲୀଳା, ଚତୁର୍ଦ୍ଦ ଶୀ ଦିନ ମାୟାମୃଗ ପ୍ରସ୍ତାବ, ଚୈତ୍ର ପୂର୍ଣ୍ଣିମା ଦିନ ଦୋଳମଣ୍ଡପ ସାହିର ଲଙ୍କା ପୋଡି ଲୀଳା, କୃଷ୍ଣ ପକ୍ଷ ପ୍ରତିପଦା ଦିନ ସେତୁବନ୍ଧ ଲୀଳା ଏବଂ ବୈଶାଖ କୃଷ୍ଣପକ୍ଷ ଦ୍ୱିତୀୟା ଦିନ ରାବଣ ବଧ ଲୀଳା ଇତ୍ୟାଦି ଶ୍ରୀମନ୍ଦିରରେ ଅନୁସୃତ ହୋଇଥାଏ। ପୁଷ୍ୟା କର୍କଟ ତିଥିରେ ତାରା ଶୁଦ୍ଧି ବିଚାର କରାଯାଇ ଶ୍ରୀରାମଙ୍କର ଅଭିଷେକ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ଏତଦ୍ବ୍ୟତୀତ ପୌଷ ପୂର୍ଣ୍ଣିମା ଦିନ ପୁଷ୍ୟାଭିଷେକ ବା ରାମାଭିଷେକ ଉତ୍ସବ ଶ୍ରୀମନ୍ଦିରରେ ପାଳିତ ହୁଏ । ଏ ଦିବସରେ ଶ୍ରୀଜଗନ୍ନାଥ ଶ୍ରୀରାମ ରୂପରେ ବିରାଜମାନ କରନ୍ତି। ମହାପ୍ରଭୁଙ୍କ ବନ୍ଦାପନା ସମୟରେ ନିମ୍ନୋକ୍ତ ଶ୍ଳୋକ ପାଠ କରାଯାଏ ଯଥା- ଜୟ ରାମଂ ଜଗନ୍ନାଥଂ ସୂର୍ଯ୍ୟବଂଶ ସମୁଦ୍ଭବମ୍, ରାଜାଧିରାଜ ଦେବେଶ ଶେଷଛତ୍ର ବିଶୋଭିତମ୍।
ବିଶିଷ୍ଟ ସନ୍ଥ ତୁଳସୀ ଦାସ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ ଅଭିନ୍ନତା ଉପଲଧି କରି କହିଛନ୍ତି: “ଯୋହି ରାମ ସୋହି ଜଗଦୀଶା, ଦିନ ହି କେ ଅନନ୍ତ ପବତଶେଷା’ । ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ସ୍ମରଣରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବର୍ଣ୍ଣାଢ଼୍ୟ ରଘୁନାଥ ବେଶ ଅନୁଷ୍ଠିତ ହେଉଥିଲା । ରଘୁନାଥ ବେଶ ଏକ ରାଜକୀୟ ବେଶ ହୋଇଥିବାରୁ ଏହି ବେଶରେ ଅନେକ ସୁବର୍ଣ୍ଣ, ରୌପ୍ୟ, ମଣି, ରତ୍ନ, ମାଣିକ୍ୟାଦି ରତ୍ନ ଅଳଙ୍କାର ବ୍ୟବହୃତ ହୋଇଥାଏ। ସାଧାରଣତଃ, ରାମ ଜନ୍ମତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ରଘୁନାଥ ବେଶ ହୋଇଥାଏ। ଉକ୍ତ ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀରାମ ରୂପରେ ବିରାଜିତ ହୁଅନ୍ତି। ବଳଭଦ୍ର ଲକ୍ଷ୍ମଣ ଭାବରେ ଓ ଜଗନ୍ନାଥଙ୍କ ବାମ ପାଶ୍ୱର୍ରେ ଭରତ, ଶତ୍ରୁଘ୍ନ ଠିଆହୋଇ ଚାମର ଛତ୍ର ଧରିଥାନ୍ତି।
ଶ୍ରୀବଳଭଦ୍ରଙ୍କ ଦକ୍ଷିଣରେ ବ୍ରହ୍ମା ଓ ବଶିଷ୍ଠ ଆଦି ଦଣ୍ଡାୟମାନ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ ଜାନୁ ଉପରେ ମହାଲକ୍ଷ୍ମୀ ସୀତା ରୂପରେ ବସି ରହନ୍ତି। ହନୁମାନ ସମ୍ମୁଖରେ କର ଯୋଡି ବସି ରହନ୍ତି। ରଘୁନାଥ ବେଶ ସମୟରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାଠ, ପଟା ଦ୍ୱାରା ଏକ ବୃହତ୍ ଆକାରର ମଂଚସଦୃଶ ସିଂହାସନ ନିର୍ମିତ ହୋଇଥାଏ । ଏହି ମଂଚ ସଦୃଶ ସିଂହାସନ ଉପରେ ଅଙ୍ଗଦ, ଜାମ୍ବବାନ, ବିଭୀଷଣ, ନଳ, ନୀଳ, ଗବାୟ, ସୁଗ୍ରୀବ, ସୁଷେଣ, ଦଧିମୁଖ, ବାୟୁମୁଖ, ନାରଦ, ଇନ୍ଦ୍ର, କୁବେର, ବାମଦେବ, କାଶ୍ୟପ, ସୁଯଜ୍ଞ, ଗୌତମ, ବାୟୁ ଦେବତା, ଜାବାଳି, କାତ୍ୟାୟନ, ଦ୍ୱିବିଧ, ସୁମନ୍ତ ଇତ୍ୟାଦି ପାର୍ଷଦଗଣ ବିରାଜିତ ହୋଇଥାନ୍ତି। ବେଶ ଦର୍ଶନ ନିମନ୍ତେ ବହୁସଂଖ୍ୟକ ଭକ୍ତ, ସନ୍ଥ, ରାମାନନ୍ଦୀ ସମ୍ପ୍ରଦାୟର ମଠାଧୀଶ, ସେବକ ତଥା ଜନସାଧାରଣ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମ ରୂପରେ ସ୍ତୁତି କରିଥାନ୍ତି। ୧୯୦୫ ମସିହା ପରଠାରୁ ଶ୍ରୀମନ୍ଦିରରେ ଏହି ବେଶ ଆଉ କରାଯାଇନାହିଁ।
ଶ୍ରୀମନ୍ଦିରରେ ଏହିଭଳି କେତେକ ନୀତି, ବେଶ ସମେତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନ୍ୟାନ୍ୟ ଚଳନ୍ତି ବିଗ୍ରହ ମଧ୍ୟରେ ଅଷ୍ଟଧାତୁ ନିର୍ମିତ ଶ୍ରୀରାମ ଶ୍ରୀମନ୍ଦିରର ଦକ୍ଷିଣ ଗୃହରେ ନିତ୍ୟ ପୂଜିତ ହେଉଛନ୍ତି । ଏତଦ୍ୱ୍ୟତୀତ ମନ୍ଦିର ପରିସରର କେତେକ ଚିତ୍ରପ୍ରତିମା ଓ ଅନ୍ୟାନ୍ୟ ବିଗ୍ରହ ଯଥା ଶ୍ରୀରାମ ପ୍ରତିଷ୍ଠିତ ପୂର୍ବକ ପୂଜିତ ହେଉଛନ୍ତି । ଯଥା: (୧) ବାଇଶି ପାହାଚରେ ଶ୍ରୀରାମଚନ୍ଦ୍ର ଦେବ ମନ୍ଦିରରେ ରାମଚନ୍ଦ୍ରଙ୍କ ଚିତ୍ର ପ୍ରତିମା ରହିଛି । (୨) ଭିତର ବେଣସ୍ଥ ରାମଚନ୍ଦ୍ର ମନ୍ଦିରରେ ମୁଖ୍ୟ ବିଗ୍ରହ ରୂପେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଧିଷ୍ଠିତ । (୩) ନବଗ୍ରହ ମନ୍ଦିରରେ ରାମଙ୍କ ବିଗ୍ରହ ଅଧିଷ୍ଠିତ ପୂର୍ବକ ପୂଜିତ । (୪) ଭିତର ବେଣସ୍ଥ ମଣ୍ଡଣୀ ଗୃହରେ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଉପାସିତ । (୫) ଭିତର ବେଣରେ ବୃନ୍ଦାବନ ଚନ୍ଦ୍ର ଠାକୁରଙ୍କ ପାଶ୍ୱର୍ରେ ଥିବା ସରଘରେ ସୀତାରାମ ବିଗ୍ରହ ବିରାଜିତ । (୬) ଶୁଆସାରୀ ଦେଉଳରେ ରାମଚନ୍ଦ୍ର ବିଗ୍ରହ ପୂଜିତ ହେଉଛନ୍ତି।
ଅତଏବ, ଏ ସମସ୍ତ ପ୍ରମାଣ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଏକ ତଥା ଅଭିନ୍ନ ଅଟନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅବତାରୀ ପୁରୁଷ ହୋଇଥିଲେ ହେଁ ପ୍ରଭୁ ଶ୍ରୀରାମ ଏକ ଯୁଗାବତାର । ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ରାମନବମୀ ତିଥି ସମଗ୍ର ଭାରତ ବର୍ଷରେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାହୋଇ ଆସୁଥିବା ସମୟରେ ସନାତନୀ ହିନ୍ଦୁମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ପବିତ୍ର । ବ୍ରତ, ଉପାସନା, ସେବା, ଦାନ, ଧର୍ମ, ପୁଣ୍ୟ ତିଥିଟିଏ।
ପୁନଶ୍ଚ ସମଗ୍ର ଉତ୍କଳ ଭୂଖଣ୍ଡର କୁଳଠାକୁର ତଥା ବିଶ୍ୱବନ୍ଦିତ ମହିମାମୟ ଦାରୁବିଗ୍ରହ ଶ୍ରୀଜଗନ୍ନାଥଙ୍କ ସାରାବର୍ଷରେ ବିବିଧ ବେଶ ଲାଗି ପାଇଁ ଯେଉଁ ରତ୍ନ- ଆୟ ଅଳଙ୍କାରମାନ ରତ୍ନଭଣ୍ଡାରରେ ଗଚ୍ଛିତ ହୋଇ ରହିଅଛି ତାହା ୧୯୭୨ ମସିହାରେ ଗଣତି ମଣତି ହୋଇ ରଖାଯାଇଥିଲା। ସେ ସବୁର ପୁନଃଗଣତି ପାଇଁ ଜାନକୀ ବଲ୍ଲଭ ସରକାରଙ୍କ ସମୟରେ ଉପକ୍ରମ କରାଯାଇଥିଲା, ମାତ୍ର ତାହା ଫଳପ୍ରଦ ହୋଇପାରି ନଥିଲା।ଏବର ସରକାରଙ୍କ ସମୟରେ ତାହାର ଗଣତି-ମଣତି କାର୍ଯ୍ୟାଦିର ତଦାରଖ ଆରମ୍ଭ ହୋଇଛି, ଯାହା ସମଗ୍ର ଉତ୍କଳୀୟଙ୍କ ପାଇଁ ଏକ ଶୁଭଙ୍କର ସୂଚନା ଅଟେ।