ଏବେ ପ୍ରାୟ ଲୋକଙ୍କଠାରେ ଫ୍ୟାଟି ଲିଭର୍ ସମସ୍ୟା ଦେଖିବାକୁ ମିଳୁଛି। ଏହି ସମସ୍ୟା ଥିଲେ ଆଳୁ ଖାଇବା କେତେଦୂର ଠିକ୍?
ଆଳୁକୁ ସମ୍ପୂର୍ଣ୍ଣ ଭାବେ ଡାଏଟ୍ରୁ ହଟାଇବା ଜରୁରି ନୁହେଁ। କାରଣ ଆଳୁରୁ ମଧ୍ୟ କେତେକ ପୋଷକ ତତ୍ୱ ମିଳିଥାଏ ଯେପରିକି ପୋଟାସିୟମ୍, ଭିଟାମିନ୍- ସି ଏବଂ ଫାଇବର ଆଦି। କିନ୍ତୁ ଏହାକୁ ଉଚିତ୍ ମାତ୍ରାରେ ଓ ଆବଶ୍ୟକ ଶୈଳୀରେ ନେବା ଦରକାର। ଅଧିକ ଆଳୁ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ଓ କାର୍ବୋ ହାଇଡ୍ରେଟ୍ ବଢିପାରେ, ଯାହା ଫ୍ୟାଟି ଲିଭର୍ ପାଇ ଆଦୌ ଠିକ୍ ନୁହେଁ। ଫ୍ୟାଟି ଲିଭର୍ ସମସ୍ୟା ରହିଥିଲେ, ରୋଗୀ ଆଳୁକୁ ସିଝାଇ କିମ୍ବା ଗ୍ରୀଲ୍ କରି ଖାଇପାରିବେ। ଏହା ଅଧିକ କ୍ଷତିକାରକ ହୋଇ ନଥାଏ।
ଗ୍ରେଡ୍ ଅନୁସାରେ ଆଳୁ ଖାଇପାରିବେ, ଗ୍ରେଡ୍ ୧- ଏହି ସ୍ଥିତିରେ ଶରୀରରେ ହାଲ୍କା ଫ୍ୟାଟ୍ ଜମା ହୋଇଥାଏ, ତେଣୁ ଉପଯୁକ୍ତ ଡାଏଟ୍ ସାଙ୍ଗକୁ ଜୀବନଶୈଳୀରେ ନିୟନ୍ତ୍ରଣ କରିପାରିବେ। ଏହି ସମୟରେ ଆଳୁକୁ ପୁରା ଛାଡିବା ଜରୁରି ନୁହେଁ। ସପ୍ତାହକୁ ୨/୩ ଦିନ ସୀମିତ ମାତ୍ରାର ଆଳୁ ଖାଇପାରିବେ। ଗ୍ରେଡ୍ ୨- ଏହି ସ୍ଥିତିରେ ଆଳୁ ଖୁବ୍ କମ୍ ଓ କେବେ କେବେ ଖାଇପାରିବେ। ସିଝା ଆଳୁ ଖାଇବା ନିରାପଦ। ଅଧିକ କାର୍ବୋହାଇଡ୍ରେଟ୍ ନେବା ଅନୁଚିତ୍। ଆଳୁ ସାଙ୍ଗରେ ପ୍ରୋଟିନ୍ ଓ ଫାଇବର ନେବା ଜରୁରି। ଗ୍ରେଡ୍ ୩- ଏହି ସମୟରେ ଆଳୁ ଖାଇବାକୁ ସୀମିତ କରି ଦିଅନ୍ତୁ। ତଥାପି ଡାଏଟିସିଆନ୍ଙ୍କ ପରାମର୍ଶ ନିଅନ୍ତୁ। ଛଣାଛଣି, ମସଲାଯୁକ୍ତ ଖାଦ୍ୟ ଓ ଅଧିକ କାର୍ବୋ ହାଇଡ୍ରେଟ୍ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଏହି ସମୟରେ ଲୋ କାର୍ବୋ ଓ ହାଇ ଫାଇବର ଉପରେ ଫୋକସ୍ କରିବା ଜରୁରି।
ଫ୍ୟାଟି ଲିଭର୍ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଆଳୁ ଖାଇବାର ଶୈଳୀ ଗୁରୁତ୍ୱପୂର୍ଣ୍ଣ। ଅଧିକ ଆଳୁ ଛଣାଛଣି, ଚିପ୍ସ, ଆଳୁ ପରଟା ଓ ଫ୍ରେଂଚ୍ ଫ୍ରାଇଜ୍ ଆଦିଠାରୁ ଦୂରେଇ ରହିବା ଆବଶ୍ୟକ। ଯଦି ଆଳୁକୁ ଚୋପା ସହ ଖାଆନ୍ତି, ତେବେ ସେଥିରେ ଥିବା ଫାଇବର ଶରୀର ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ରୋଗୀ ଲୋ-କାର୍ବୋ ଓ ହାଇ ଫାଇବର ଉପରେ ଧ୍ୟାନ ଦେବା ଦ୍ୱାରା ଲିଭର୍ ଉପରେ ଅଧିକ ଚାପ ପଡି ନଥାଏ। କ୍ଲିନିକାଲ ଷ୍ଟଡିଜ୍ ଅନୁସାରେ ପ୍ରତିରୋଧୀ ଷ୍ଟାର୍ଚ୍ଚ ଖାଇବା ଦ୍ୱାରା ନନ୍-ଆଲକହଲ ଫ୍ୟାଟିଲିଭର ସମସ୍ୟାର ଉପଚାର କରିବା ଖୁବ୍ ପ୍ରଭାବଶାଳୀ ହୋଇଥାଏ।
ଗବେଷଣା ଅନୁସାରେ ପ୍ରତିଦିନ ୪୦ ଗ୍ରାମ ପ୍ରତିରୋଧୀ ଷ୍ଟାର୍ଚ୍ଚ (ଯାହା ସିଝା ଆଳୁ ଓ କଦଳୀରେ ରହିଥାଏ) ନେବା ଦ୍ୱାରା ରୋଗୀର ଲିଭର୍ରେ ଜମା ହୋଇଥିବା ଫ୍ୟାଟ୍ର ପ୍ରାୟ ୪୦ ପ୍ରତିଶତ କମୁଥିବା ଦେଖିବାକୁ ମିଳିଥାଏ। ଏହାର ମୁଖ୍ୟ କାରଣ ଗଟ୍ ମାଇକ୍ରୋବାୟୋଟା (ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ) ଠାରେ ସକାରାତ୍ମକ ପରିବର୍ତନ ଆସିବା, ଯାହା ବିଶେଷ କରି ବ୍ୟାକ୍ଟେରିଆକୁ ବଢ଼ାଇବା ସହ ଲିଭର୍ର ପ୍ରଦାହ ଓ ଲିପିଡରେ ସୁଧାର ଆଣିଥାଏ।