ନବରଙ୍ଗପୁର: ମକାଚାଷୀଙ୍କ ଉପରେ ଘରୋଇ କମ୍ପାନୀଗୁଡିକର ନଜର ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ମକାଚାଷୀଙ୍କୁ ଆବଶ୍ୟକ ସୁରକ୍ଷା ଓ ମକା ସଂରକ୍ଷଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉନି। ଫଳରେ ମକାଚାଷୀଙ୍କୁ ଶିଳ୍ପପତିଙ୍କ ଶୋଷଣର ଶିକାର ହେବାକୁ ପଡୁଛି। ଘରୋଇ ବ୍ୟବସାୟୀଙ୍କ ଚାପରେ ଚାଷୀ ବଜାର ଦରଠାରୁ ଯଥେଷ୍ଟ କମ୍ ଦାମରେ ମକା ବିକୁଛନ୍ତି।
ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ମକା ଉପରେ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗ ସହ ରାଜ୍ୟର ୪ଟି ବଡ ଇଥାନେଲ୍ ପ୍ରକଳ୍ପ ନିର୍ଭରଶୀଳ। ଜୁନାଗଡ, ବରଗଡ, ସୋନପୁର ଓ ତରଭା ସହ କଟକ, ଭୁବନେଶ୍ୱରରେ ଥିବା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ମଧ୍ୟ ଏହିଠାରୁ ମକା ନେଇଥାନ୍ତି। ଜିଲ୍ଲାରେ ଉତ୍ପାଦିତ ମକାରୁ ଆନ୍ଧ୍ର ୬୦ ପ୍ରତିଶତ ନେଉଛି। ଏଥିରେ ୨୦ ପ୍ରତିଶତ ବିଜୟନଗରମ ବାଇଓଟେକ୍ କଂପାନୀ ଓ ଆନ୍ଧ୍ରର ଅନ୍ୟ କିଛି ଖାଦ୍ୟ ପ୍ରକ୍ରିୟାକରଣ କଳ ସହ ଗୋଖାଦ୍ୟ, କୁକୁଡା ଦାନା ପ୍ରସ୍ତୁତ କରୁଥିବା କିଛି କମ୍ପାନୀ ୪୦ ପ୍ରତିଶତ, ପଶ୍ଚିମବଙ୍ଗ, ଛତିଶଗଡ, କଟକ ଓ ଭୁବନେଶ୍ୱରରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀଗୁଡିକ ୧୫ ପ୍ରତିଶତ ଓ ଇଥାନେଲ୍ ଉତ୍ପାଦନ କରୁଥିବା ଜୁନାଗଡ,ବରଗଡ, ସୋନପୁର ଓ ତରଭାକୁ ୨୫ ପ୍ରତିଶତ ମକାମଂଜି ଯାଉଛି ବୋଲି ହୋଲସେଲ୍ ବ୍ୟବସାୟୀ କହନ୍ତି।
ପ୍ରାୟ ଦେଢ଼ଲକ୍ଷ ହେକ୍ଟର ଜମିରେ ଉତ୍ପାଦିତ ୧ ଲକ୍ଷ ମେଟ୍ରିକ ଟନ୍ ମଂଜି ଶୁଖାଇ ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ପିଣ୍ଡି, ଖଳା ଭଳି ଆବଶ୍ୟକ ଭିତିଭୂମି ନାହିଁ। ତେଣୁ ଚାଷୀମାନେ ରାସ୍ତା ଉପରେ ହିଁ ମକା ମଂଜି ସୁଖାଉଛନ୍ତି। ସବୁ ଚାଷୀଙ୍କ ନିକଟରେ ସାଇତି ରଖିବାକୁ ଗୋଦାମ ଓ ପିଣ୍ଡି ନଥିବାରୁ ସରକାରୀ ଧାର୍ଯ୍ୟ ଦରଠାରୁ ବହୁ କମ୍ ଦରରେ ଦଲାଲ, ବ୍ୟବସାୟୀ, ସାର ଦୋକନୀଙ୍କ ନିକଟରେ ବିକ୍ରି କରୁଛନ୍ତି।
ସରକାରୀ ଧାର୍ଯ୍ୟଦରରେ ମକା କିଣିବାକୁ ଚାଷୀମାନେ ବ୍ୟବସାୟୀ ମାନଙ୍କ ଉପରେ ଚାପ ପକାଇବା ପାଇଁ ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର ଚାଷୀମାନେ ଆନ୍ଦୋଳନ କରିଥିଲେ। ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କହିଥିଲେ।
କିନ୍ତୁ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିବାରୁ ହୋଲସେଲ ବ୍ୟବସାୟୀ କମ୍ ଦରରେ ମକା କିଣି ବିଜୟନଗମର ବାଇଓଟେକକୁ ବିକ୍ରି କରିଥିଲେ।
ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଧାୟକ ଭୁଜବଳ ମାଝୀ ମିଳିତ ଭାବେ ରାଜ୍ୟ ସରକାର ମକାମଣ୍ଡି ଓ ତୁରନ୍ତ ଇଥାନେଲ ଉତ୍ପାଦନ ପ୍ରକଳ୍ପ ଆରମ୍ଭ କରିବାକୁ ଦାବି କରିଛନ୍ତି।
କେତେ ପରିମାଣର ମକାଚାଷ କରାଯାଉଛି ସେ ସମ୍ପର୍କରେ ସରକାରଙ୍କୁ ଲୁଚାଯାଉଛି କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।