ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ

ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ….

ଭୁବନେଶ୍ୱର: ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିକଟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ ଓ ଅବସରକାଳୀନ ଭତା ପ୍ରଦାନ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ସାମଲ କହିଥିଲେ କି ଏହି ସବୁ ନ୍ୟାଯ୍ୟ ଦାବି ପ୍ରତି ସରକାର ସଚେତନ ଅଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଉପସ୍ଥାପିତ ଦାବି ସମ୍ପର୍କରେ ସୂଚନା ଦେବା ସହ ଏହାର ଆଶୁ ସମାଧାନ ପାଇଁ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରୋଟାରୀ ପ୍ରାନ୍ତପାଳ ଅଜୟ କୁମାର ଅଗ୍ରୱାଲ, ଭାଜପା ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ପ୍ରକାଶ ରଥ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇ ସମସାମୟିକ ସାମ୍ବାଦିକତାର ବିଭିନ୍ନ ଦିଗରେ ଆଲୋକପାତ କରିବା ସହ ମୁକ୍ତ ସାମ୍ବାଦିକତା ପାଇଁ ସାମ୍ବାଦିକ ମାନଙ୍କ ଆର୍ଥିକ ସୁବିଧା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଥମ ଅଧିବେଶନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଆୟୋଜିତ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟନ କରି ସମାଜ ବିକାଶ କ୍ଷେତ୍ରରେ ସାମ୍ବାଦିକଙ୍କ ଯୋଗଦାନ ସଂପର୍କରେ ମତ ରଖିଥିଲେ। ଉଭୟ ବୈଠକରେ ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ। କୌତୁହଳର ବିଷୟ, ଦୁଇଟି ଅଧିବେଶନକୁ ଡକା ଯାଇଥିବା ରାଜନୈତିକ ନେତୃବୃନ୍ଦଙ୍କୁ ଗୋଟିଏ ମଂଚରେ ବସାଇବାର ସତ୍‌ସାହସ ଏହି ସଂଗଠନ ନିକଟରେ ନଥିଲା।