ପଶ୍ଚିମବଙ୍ଗରେ ନୂଆ ଯୁଗ ଅୟମାରମ୍ଭ

ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ….

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ କର୍ମକର୍ତାଙ୍କୁ ସମ୍ବୋଧିତ କରିଛନ୍ତି। ପଶ୍ଚିମବଙ୍ଗରେ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଛନ୍ତି। ସେ କହିଛନ୍ତି; ଏହି ଜନାଦେଶ କେବଳ କ୍ଷମତା ପରିବର୍ତନ ନୁହେଁ, ବରଂ ଭୟମୁକ୍ତ ଏବଂ ବିକାଶ ଆଧାରିତ ପଶ୍ଚିମବଙ୍ଗ ଆଡକୁ ବର୍ଦ୍ଧିତ ନିର୍ଣ୍ଣାୟକ ପଦକ୍ଷେପ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡା. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନକୁ ମନେ ପକାଇ କହିଛନ୍ତି, ଆଜି ପଶ୍ଚିମବଙ୍ଗର ଜନତା ସ୍ୱପ୍ନକୁ ସଫଳ କରିବା ପାଇଁ ସୁଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗରେ ଏବେ ନୂଆ ଯାତ୍ରାର ଆରମ୍ଭ ହେବ, ଯେଉଁଠି ବିକାଶ, ଭରସା ଏବଂ ନୂଆ ଆଶା ଜନ୍ମ ନେବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହିଳାମାନଙ୍କୁ ସୁରକ୍ଷିତ ବାତାବରଣ ମିଳିବ। ଯୁଗଗୋଷ୍ଠୀଙ୍କ ପାଇଁ ରୋଜଗାର ମିଳିବ। ପଳାୟନ ନିୟନ୍ତ୍ରଣ କରାଯିବ। ରାଜ୍ୟର ବିକାଶ ପାଇଁ ବିଜେପି ସରକାର ପୂରା ଶକ୍ତି ଲଗାଇବ। ପ୍ରଥମ କ୍ୟାବିନେଟ୍‌ ବୈଠକରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ନେଇ ନିଷ୍ପତି ନିଆଯିବ।

ପଶ୍ଚିମବଙ୍ଗରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଏହି ଐତିହାସିକ ବିଜୟ, ପିଢ଼ିପିଢ଼ି ଧରି ଅଗଣିତ କର୍ମକର୍ତାଙ୍କ ଉଦ୍ୟମ ଏବଂ ସଂଘର୍ଷ ବିନା ସମ୍ଭବ ହୋଇପାରି ନଥାନ୍ତା। ମୁଁ ସେ ସମସ୍ତଙ୍କୁ ପ୍ରଣାମ କରୁଛି। ବର୍ଷବର୍ଷ ଧରି ସେମାନେ ତୃଣମୂଳ ସ୍ତରରେ ବହୁ ପରିଶ୍ରମ କରିଛନ୍ତି। ବହୁ ଅସୁବିଧାର ସାମ୍ନା କରିଛନ୍ତି ଏବଂ ଆମର ବିକାଶ ଏଜେଣ୍ଡାକୁ ଲୋକଙ୍କ ନିକଟରେ ପହଂଚାଇଛନ୍ତି। ସେମାନେ ହେଉଛନ୍ତି ଆମ ଦଳର ପ୍ରକୃତ ବଳ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁବେଳେ ମନେ ରହିବ। ଜନତାଙ୍କ ଶକ୍ତିର ବିଜୟ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ଲୋକଙ୍କ ନିକଟରେ ପ୍ରଣାମ କରୁଛି। ଜନତା ବିଜେପିକୁ ଏକ ଉତ୍ସାହଜନକ ଜନାଦେଶ ଦେଇଛନ୍ତି। ଲୋକଙ୍କର ଆଶା ଏବଂ ଆକାଂକ୍ଷା ପୂରଣ କରାଯିବାକୁ ଉଦ୍ୟମ କରାଯିବ। ଆମେ ଏକ ଏଭଳି ସରକାର ଦେବୁ, ଯାହା ସମାଜର ସମସ୍ତ ବର୍ଗକୁ ଅବସର ଏବଂ ସମ୍ମାନ ସୁନିଶ୍ଚିତ କରିବ।

ପଶ୍ଚିମବଙ୍ଗ ରାଜନୀତି ନୂଆ ଇତିହାସ ରଚିଛି। ହୁଗଲି ନଦୀଠାରୁ ଦାର୍ଜିଲିଂର ପାହାଡ଼ ପର୍ଯ୍ୟନ୍ତ ‘ଜୟ ଶ୍ରୀରାମ’ ଧ୍ୱନି ପ୍ରତିଧ୍ୱନିତ ହୋଇଛି। ପ୍ରାରମ୍ଭିକ ଗଣନାରୁ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗରେ ପରିବର୍ତନର ସଙ୍କେତ ମିଳିଛି।

ବିଜେପି ନେତା ଏବଂ କର୍ମୀମାନେ ଦଶନ୍ଧି ଧରି ଏହି ଦିନକୁ ଅପେକ୍ଷା କରିଆସିଥିଲେ। ବିଜେପିର ପଶ୍ଚିମବଙ୍ଗରେ ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ଏହା ପିତୃଋଣ ସୁଝାଇବାର ସମୟ। ଭାରତୀୟ ଜନସଂଘ ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କ କର୍ତବ୍ୟପଥ ଉତରାଖଣ୍ଡ ଏବଂ ଉତର ପ୍ରଦେଶରେ ବିଜେପି ସରକାର ଗଠନ କରିସାରିଥିଲା, କିନ୍ତୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ ଦଖଲ କରିବାକୁ ୭୫ ବର୍ଷ ସମୟ ଲାଗି ଯାଇଥିଲା। ବିଜେପି ମୁଖାର୍ଜୀଙ୍କ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ହୋଇଥିଲା। ଶ୍ୟାମା ପ୍ରସାଦଙ୍କ ଜନ୍ମସ୍ଥାନରେ ବିଜେପି ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି। ପଶ୍ଚିମବଙ୍ଗରେ ବିଜେପି ୧୯୦ରୁ ଅଧିକ ଆସନ ସହିତ ପ୍ରଚଣ୍ଡ ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି।

୧୯୮୦ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଚିନ୍ତାଧାରାକୁ ଆଧାର କରି ବିଜେପି ପ୍ରତିଷ୍ଠିତ ହୋଇଥିଲା। ଏହି କାରଣରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ବିଜେପିର ପିତାମହ ବୋଲି କୁହାଯାଏ। ଡକ୍ଟର ମୁଖାର୍ଜୀଙ୍କ ସ୍ଲୋଗାନ ଥିଲା, ‘ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇଟି ମୁଖ୍ୟ ଓ ଦୁଇଟି ପତାକା କାମ କରିବ ନାହିଁ।’ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ବିଜେପି ପାଇଁ ପଶ୍ଚିମବଙ୍ଗ ଜିତିବା ଏକ ବିଚାରଗତ ଚକ୍ର ସମାପ୍ତ କରିବା ଭଳି ଥିଲା।
ପଶ୍ଚିମବଙ୍ଗ ଜିତିବା ଚାଲେଂଜ ଥିଲା

ଶ୍ୟାମା ପ୍ରସାଦ ମୁଖାର୍ଜୀ ୧୯୦୧ ମସିହାରେ କୋଲକାତାର ଏକ ବଙ୍ଗଳା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୨୯ ମସିହାରେ କଂଗ୍ରେସ ସହିତ ଯୋଡି ହୋଇ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୩୯ରେ ହିନ୍ଦୁ ମହାସଭାରେ ସାମିଲ ହେବା ପରେ ୧୯୪୦ ମସିହାରେ ଏହାର ଅଧ୍ୟକ୍ଷ ହୋଇଥିଲେ। ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦକ୍ଷତାକୁ ଦେଖି ଜବାହରଲାଲ ନେହରୁ ତାଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ୧୯୫୧ ମସିହାରେ ଶ୍ୟାମାପ୍ରସାଦ ନେହରୁଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ଭାରତୀୟ ଜନସଂଘ ବୈଚାରିକ ଏଜେଣ୍ଡା ଉପରେ ବିଜେପି ପ୍ରତିଷ୍ଠିତ ହୋଇଛି।
ଗୁରୁଙ୍କୁ ପଛରେ ପକାଇଲେ ଶିଷ୍ୟ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ପଛରେ ପକାଇ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି। ଏହାସହିତ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ଯେ ଗୁରୁଙ୍କୁ ପଛରେ ପକାଇଲେ ଶିଷ୍ୟ। ବିଜେପି ୧୯୮ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୮୮ ଆସନରେ ଆଗୁଆ ରହିଛି। ମମତା ବାନାର୍ଜୀଙ୍କ ଏକଦା ସବୁଠାରୁ ବିଶ୍ୱସ୍ତ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଶୁଭେନ୍ଦୁ ତାଙ୍କ ରାଜନୈତିକ ଗୁରୁ ମମତାଙ୍କୁ ପୁଣି ଥରେ ପରାସ୍ତ କରିବାକୁ ଯାଉଛନ୍ତି। ଶୁଭେନ୍ଦୁ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ମମତାଙ୍କୁ ପରାସ୍ତ କରିଥିଲେ। କିନ୍ତୁ ଏକଦା ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିଅର ଗଠନରେ ସବୁଠୁ ବଡ ଭୂମିକା ଗ୍ରହଣ କରିଥିଲେ ମମତା। ଶୁଭେନ୍ଦୁ ଏକଦା ଟିଏମ୍‌ସିରେ ଥିଲେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ତାଙ୍କ ବାପା ଥିଲେ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ।

ଭାରତୀୟ ରାଜନୀତିରେ ନେତା ଏବଂ ସେମାନଙ୍କ ବିଶ୍ୱସ୍ତଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ଉଦ୍ଧବ ଠାକରେଙ୍କ ସହିତ ଏକନାଥ ସିନ୍ଦେଙ୍କ ବିଚ୍ଛେଦ ଠାରୁ ଆରମ୍ଭ କରି ଶରଦ ପାୱାରଙ୍କ ବିରୋଧରେ ଅଜିତ ପାୱାରଙ୍କ ବିଦ୍‌ରୋହ ଏସବୁର ପ୍ରମାଣ ମଧ୍ୟ ପୂର୍ବରୁ ରହିଛି।
କଂଗ୍ରେସଠାରୁ ଅଲଗା ହୋଇ ତୃଣମୂଳ କଂଗ୍ରେସ ଗଠନ କରିବା ପରେ ମମତା ତାଙ୍କର ନୂଆ ରାଜନୈତିକ ପରିଚୟ ସୃଷ୍ଟି କରିଥିଲେ। ଏହି ସମୟରେ ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିବା ଶୁଭେନ୍ଦୁ ମମତାଙ୍କର ଖାସ୍‌ ହୋଇଯାଇଥିଲେ।

ଶୁଭେନ୍ଦୁଙ୍କ ପିତା ଶିଶିର ଅଧିକାରୀ ଉକ୍ଟଦ୍ଭଶକ୍ସରଗ୍ଦଗ୍ଦ ର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ଥିଲେ। ପୂର୍ବ ମେଦିନୀପୁରର ଅଧିକାରୀ ପରିବାର ଦୀର୍ଘ ଦିନ ହେଲା ପ୍ରଭାବ ରହିଥିଲା। ଶୁଭେନ୍ଦୁ କଂଗ୍ରେସରୁ ପ୍ରଥମେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ପ୍ରଥମେ କଂଗ୍ରେସରୁ କାନ୍‌ଥିର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ।
ସେ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୬ ମସିହାରେ କାନ୍‌ଥି ଦକ୍ଷିଣରୁ ଏକ ବିଧାନସଭା ଆସନ ଜିତି ଦଳ ମଧ୍ୟରେ ଧୀରେ ଧୀରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଶୁଭେନ୍ଦୁଙ୍କ ରାଜନୈତିକ ଉତ୍‌ଥାନ ୨୦୦୭ ର ନନ୍ଦିଗ୍ରାମ ଆନ୍ଦୋଳନ ସହିତ ଘନିଷ୍ଠ ଭାବରେ ଜଡିତ। ସିଙ୍ଗୁରରେ ପ୍ରତିବାଦ ସହିତ ୨୦୧୧ ନନ୍ଦିଗ୍ରାମ ଆନ୍ଦୋଳନ ଯୋଗୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବାମପନ୍ଥୀଙ୍କ ୩୪ ବର୍ଷର ଶାସନ ସମାପ୍ତ କରିବାରେ ସାହାଯ୍ୟ କରିଥିଲା। ଶୁଭେନ୍ଦୁ ଅଧିକାରୀ ବାନାର୍ଜୀଙ୍କ ସବୁଠାରୁ ପ୍ରଭାବଶାଳୀ କ୍ଷେତ୍ର କମାଣ୍ଡର ଭାବରେ ଉଭା ହୋଇଥିଲେ। ଆନ୍ଦୋଳନକୁ ରାଜନୈତିକ ପୁଞ୍ଜିରେ ପରିଣତ କରିପାରିବାର କ୍ଷମତା ଶୁଭେନ୍ଦୁଙ୍କଠାରେ ଥିବା ମମତା ଜାଣି ପାରିଥିଲେ।
ତୃଣମୂଳର କ୍ଷମତା ବୃଦ୍ଧି

ତୃଣମୂଳର କ୍ଷମତା ବୃଦ୍ଧି ସହିତ ଦଳ ଭିତରେ ଅଧିକାରୀଙ୍କର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସେ ୨୦୦୯ ଏବଂ ୨୦୧୪ ରେ ତାମଲୁକ ଲୋକସଭା ଆସନ ଜିତିଥିଲେ। କିନ୍ତୁ ପରେ ତାଙ୍କୁ ରାଜ୍ୟ ରାଜନୀତିକୁ ଫେରାଇ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ପରିବହନ ବିଭାଗ ସମେତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରିପଦ ଦିଆଯାଇଥିଲା। ଦଳ ଭିତରେ ଶୁଭେନ୍ଦୁଙ୍କୁ ମମତା ବାନାର୍ଜୀଙ୍କ ପରେ ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବରେ ଦେଖାଯାଉଥିଲା।

ତେବେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଦଳରେ ବଢ଼ିବା ସହିତ ଶୁଭେନ୍ଦୁ ଅଶ୍ୱସ୍ତି ଅନୁଭବ କରିଥିଲେ। ନଭେମ୍ବର ୨୦୨୦ ସୁଦ୍ଧା ଏହି ଫାଟ ସାର୍ବଜନୀନ ହୋଇଯାଇଥିଲା। ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ତୃଣମୂଳ କଂଗ୍ରେସ ଛାଡି ଡିସେମ୍ବର ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମରୁ ମମତାଙ୍କ ବିରୋଧରେ ଛିଡା ହୋଇଥିଲେ ଓ ଜିତିଥିଲେ।
ବିଜେପି ମୋଟ ୭୭ ଆସନ ପାଇଥିଲା। ଟିଏମ୍‌ସି ୨୧୫ ଆସନ ପାଇ ସରକାର ଗଠନ କରିଥିଲା। ମମତାଙ୍କୁ ପରାସ୍ତ କରିବା ପରେ ଶୁଭେନ୍ଦୁଙ୍କ ରାଜନୈତିକ ବ୍ୟକ୍ତିତ୍ୱ ଅଧିକ ସୁଦୃଢ଼ ହୋଇଥିଲା।