ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ସାଇବର ସୁରକ୍ଷା ସଚେତନତା
ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ…
ବରଗଡ(ସାକ୍ସୀ ନ୍ୟୁଜ୍): ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବରେଡକ୍ରସ ଓ ଏନ୍.ଏସ୍. ଏସ୍. ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ରାଲିରେ ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

କଲେଜ ପରିସରରୁ ବାହାରି ନିକଟରେ ଥିବା ସାଲେପାଲି ଗ୍ରାମ ପରିକ୍ରମା କରିଥିବା ଏହି ରାଲିରେ ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ବିଭିନ୍ନ ଜାତୀୟ ସ୍ଲୋଗାନ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ରାଲିଟି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା । ସେହିପରି କଲେଜ ପରିସରରେ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟସ୍ତରୀୟ ସାଇବର ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ତଥା ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ ଉପସ୍ଥିତ ଥିଲେ ।
ପୋଲିସ ମହାନିର୍ଦ୍ଦେଶକ ସାଇବର ଠକେଇର ବିଭିନ୍ନ ଉପାୟ ସଂପର୍କରେ ଅଡିଓ ଭିଜୁଆଲ ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଥିଲେ । ଅଜଣା ଲିଙ୍କରେ କ୍ଲିକ୍ ନ କରିବା , ଅପରିଚିତ ବ୍ୟକ୍ତିଙ୍କ ସହ ଓ.ଟି.ପି ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆଦାନ ପ୍ରଦାନ ନ କରିବାକୁ ପରାମର୍ଶ ଦେଇଥିଲେ ।ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଏହି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ ।