ରକ୍ଷା ବନ୍ଧନରେ ପ୍ରକୃତି ଓ ସମାଜ ସହ ବାନ୍ଧିଲା ସ୍ନେହର ବନ୍ଧନ
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁମାନେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ସଂକଳ୍ପ…
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଉତ୍ସବକୁ ପାରମ୍ପରିକତା ମଧ୍ୟରେ ସୀମିତ ନରଖି ଶିଶୁମାନେ ପ୍ରକୃତି ଓ ସମାଜ ସହ ସ୍ନେହର ସମ୍ପର୍କ ଯୋଡ଼ିବାର ନିଆରା ପ୍ରୟାସ କରିଥିଲେ। ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ବିଦ୍ୟାଳୟର ପ୍ରାକ୍ତନ ସଭାପତି କୁଳମଣି ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିବା ସହ ରକ୍ଷା ବନ୍ଧନର ମହତ୍ତ୍ୱ ଓ ସାମାଜିକ ଏକତା ବିଷୟରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ସମ୍ମାନୀତ ଅତିଥି ସତ୍ୟନାରାୟଣ ସାହୁ, ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ସାହୁ, କୋଷାଧ୍ୟକ୍ଷ ଲିପଟନ ସାହୁ ଓ ପ୍ରାକ୍ତନ ସମ୍ପାଦକ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ପଦ୍ମଳୟା ମିଶ୍ର ସଂଯୋଜନା ଓ ବରିଷ୍ଠ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉତ୍ସବର ବିଶେଷ ଆକର୍ଷଣ ଥିଲା ବୃକ୍ଷକୁ ରାକ୍ଷୀ ବାନ୍ଧିବା ।
ଶିଶୁମାନେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ପରେ ସେମାନେ ସ୍ଥାନୀୟ ବଜାର, ଡାକ୍ତରଖାନା, ବ୍ୟାଙ୍କ ଓ ଥାନା ପରିଦର୍ଶନ କରି ସେଠାକାର କର୍ମଚାରୀ ଓ ଅଧିକାରୀମାନଙ୍କୁ ରାକ୍ଷୀ ବାନ୍ଧି ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ।ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନେ “ରାକ୍ଷୀ କେବଳ ଭାଇ-ଭଉଣୀଙ୍କୁ ନୁହେଁ, ମଣିଷକୁ ମଣିଷ ସହ ଓ ମଣିଷକୁ ପ୍ରକୃତି ସହ ବାନ୍ଧିଥାଏ” ବୋଲି ଏକ ସୁନ୍ଦର ସନ୍ଦେଶ ଦେଇଥିଲେ। ଏହା ଉପସ୍ଥିତ ସମସ୍ତଙ୍କ ମନରେ ଆନନ୍ଦ ଓ ପ୍ରଶଂସା ସୃଷ୍ଟି କରିଥିଲା ।କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ଙ୍କ ରିପୋର୍ଟ ।