ବରଗଡ(ସାକ୍ସୀ ନ୍ୟୁଜ୍): ପାଇକମାଳ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬, ରବିବାର ନୃସିଂହନାଥଠାରେ ନୁଆଁଖାଇ ଭେଟଘାଟ ଆୟୋଜନ କରାଯିବ। ଏହାକୁ ନେଇ ସେପ୍ଟେମ୍ବର ୭ ତାରିଖରେ ନୃସିଂହନାଥସ୍ଥିତ ବୁଢ଼ାଦେଓ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାସଭାର ସଭାପତି ଶ୍ରୀ ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟକୁ ସଫଳ କରିବା ସହିତ ଆୟୋଜନର ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ଅଞ୍ଚଳର ଗୋଁଣ୍ଡ ସମାଜର ସର୍କଲ ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ଚୈତୁ ସିଂ ଦେଓ, ଭାଗବତିଆ ସିଂ ଦାଉ, ଅମୃତ ବାଗ, ରଞ୍ଜନ ମାଝୀ, ବସନ୍ତ ଧରୁଆ, ଜଗଦେବ ଧରୁଆ, ନରସିଂହ ଧରୁଆ, ଭୋଳାନାଥ ଜଗତ, ଜୟସିଂ ଦାଉ, ଚିତ୍ତରଞ୍ଜନ ପୋରେ, ସମାରୁ ଧରୁଆ, ବୀରେନ୍ଦ୍ର ସିଦାର, ଅଶ୍ୱିନୀ ଧରୁଆ, ଦିଲ୍ଲୀପ ଧରୁଆ, ଦେବାନନ୍ଦ ପୁଟା, ଲୋକନାଥ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରାମେଶ୍ୱର ସିଦାର, ଲକ୍ଷ୍ମଣ ସିଦାର, ପ୍ରେମ ସିଦାର, ନବୀନ ଧରୁଆ ଓ ବିସିକେଶନ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ ।
ବୈଠକ ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତାଙ୍କ ପରଲୋକ ଯୋଗୁଁ ଗୋଁଣ୍ଡ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଦୁର୍ଯ୍ୟୋଧନ ପୁଟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।