ତିନିଦିନିଆ ତ୍ରିରଙ୍ଗାକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଦିତ୍ୟଙ୍କ ଧୂଆଁଧାର ବ୍ୟାଟିଂରେ ରୟାଲ ଷ୍ଟ୍ରାଇକର୍ସ ବିଜୟୀ
ବାରିପଦା,(ସାକ୍ସୀ ନ୍ୟୁଜ୍): ସ୍ଥାନୀୟ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପଡିଆରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ତ୍ରିରଙ୍ଗାକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ନଗରପାଳ କୃଷ୍ଣ।ନନ୍ଦ ମହାନ୍ତିଙ୍କ ହାତରେ ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ରୟାଲ ଷ୍ଟ୍ରାଇକର୍ସ ୮ ଉଇକେଟରେ ମା’ ଅମ୍ବିକା ସୁପର ସ୍ମାଶର୍ଷକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି ମା’ ଅମ୍ବିକା ଦଳ ୧୦ ଓଭରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଥିଲେ ।
ଦଳ ପକ୍ଷରୁ ଲାଲଟୁ ସିଂ ୨୧ ବଲରେ ୬୮ ରନ କରିଥିବାବେଳେ ବିପକ୍ଷ ଦଳର ପୁଙ୍ଗା ସୋରେନ, ହୀରକ ସିଂ ଓ ନିହାର ରଞ୍ଜନ ନାଏକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଉତ୍ତରରେ ରୟାଲ ଦଳ ୯.୩ ଓଭରରେ ୨ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ। ଦଳ ପକ୍ଷରୁ ଆଦିତ୍ୟ ବସା ୩୩ ବଲରେ ୫ଟି ଚୌକା ଓ ୧୧ଟି ଛକା ମାରି ଧୂଆଁଧାର ୯୨ ରନ ସଂଗ୍ରହ କରିଥିଲେ। ମୃତ୍ୟୁଞ୍ଜୟ ଘୋଷାଲ ଓ ସ୍ୱାଭିମ ଦାସ ଖେଳ ପରିଚାଳନା କରିଥିବା ବେଳେ ସେକ ନାଫିସୁଲ ହୁସେନ ଓ ଦୀନକୃଷ୍ଣ ନାୟକ ସ୍କୋରିଙ୍ଗରେ ସହଯୋଗ କରିଥିଲେ । ମାନସ ରଞ୍ଜନ ସିଂହ ଧାରା ବିବରଣୀ ପ୍ରଦାନ କରିଥିଲେ ।
ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସମ୍ବିତ ସାମଲ, ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଲାଲଟୁ ସିଂ, ଶ୍ରେଷ୍ଠ ବୋଲର ଭାବେ ଆଲୋକ ଦାସ ଏବଂ ‘ମ୍ୟାନ ଅଫ ଦି ମ୍ୟାଚ’ ଓ ସିରିଜ ଭାବେ ଆଦିତ୍ୟ ବସା ପୁରସ୍କୃତ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ ଓ ତ୍ରିରଙ୍ଗା କ୍ଲବ ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର (ଲିଟନ)ଙ୍କ ନେତୃତ୍ୱରେ ମହମ୍ମଦ ଭାଇ, ଓମ ପ୍ରକାଶ, ଅଭିଜିତ ବେହେରା, ଚିରଞ୍ଜୀବ, ଉପେନ୍ଦ୍ର ନାୟକ, ଶିବୁ, ତୁଷାର, ଵିନୋରିଲାଲ ରଣା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।