ବଢୁଛି ବାତ୍ୟା ବିପଦ: ଲଘୁଚାପର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୫ଟି ଜିଲ୍ଲାରେ ସ୍କୁଲ ଛୁଟି…

ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ସଂଗଠିତ ହେଉଛି। ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ।

ଗତି ଜାରି ରଖି ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଯଦି ଏହା ଆଶାଠାରୁ ଅଧିକ ସମୟ ସମୁଦ୍ର ଉପରେ ରହେ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହୋଇପାରେ। ଏହାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବର୍ତ୍ତମାନ କମ୍ ରହିଛି ।

ଏହି ସମୟରେ ପବନର ବେଗ ଘଣ୍ଟାପିଛା ୫୦ରୁ ୬୦ କିମି, ଝଟକାରେ ୬୫ରୁ ୭୫ କିମି ହୋଇପାରେ। ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହେଲେ ପବନର ବେଗ ଘଣ୍ଟାପିଛା ୬୦ରୁ ୭୦ କିମି, ଝଟକାରେ ୮୦ରୁ ୯୦ କିମି ହୋଇପାରେ। ସ୍ଥଳଭାଗକୁ ଆସିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ପବନର ବେଗ ୧୦ରୁ ୨୦ କିମି କମିପାରେ । ତଥାପି ସମୁଦ୍ର ନିକଟ ଅଞ୍ଚଳରେ ଜୋର ଝଟକା ହୋଇପାରେ। ଏବେ ଜିଲ୍ଲା ଅନୁସାରେ ପବନର ବେଗ କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ। ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏହି ତିନି ଦିନ ବନ୍ଦ ରହିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।