ମୟୁରଭଞ୍ଜ(ସାକ୍ସୀ ନ୍ୟୁଜ୍): କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳରେ ମହାବଳ ବାଘକୁ ନେଇ ଆତଙ୍କ। ଗତକାଲି ରାତିରେ ଖପରାଖାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଛାତ ଘରେ ପଶିଗଲା ବାଘ। ବାଘକୁ ଘର ଭିତରେ କବାଟ ଦେଇ ରଖାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବନକର୍ମଚାରୀ ମୁତୟନ ରହିବା ସହ ବାଘର ଗତିବିଧି ଉପରେ ନଜର ରଖାଯାଇଛି।
କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳର କେନ୍ଦୁଜୁଆଣି ସେକ୍ସନ ସାଲେଇବେଡା ପଞ୍ଚାୟତର ଖପରାଖାଇ ଗ୍ରାମରେ ମହାବଳ ବାଘର ଆତଙ୍କ। ଗତକାଲି ରାତିରେ ଯୋଗେନ୍ଦ୍ର ଗାଗରାଇଙ୍କ ଛାତ ଘରେ ବାଘଟି ପଶିଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ଆଖପାଖ ଅଞ୍ଚଳରେ ବାଘଟିକୁ ଲୋକେ ଦେଖିଥିବା ସୂଚନା ମିଳିଥିଲା।ତେବେ ଘରେ ବାଘ ପଶିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି। ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ, ଉତ୍ତର ଶିମିଳିପାଳ ଉପନିର୍ଦ୍ଦେଶକ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରାଙ୍କ ସମେତ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ବାଘର ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବେଳେ ଜଙ୍ଗଲ ସନ୍ନିକଟ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ସତର୍କତାମୂଳକ ପ୍ରଚାର କରାଯାଇଛି। ଲୋକଙ୍କୁ ଏକାକୀ ଜଙ୍ଗଲ ନିକଟକୁ ନଯିବା ଏବଂ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବାଘର ପରବର୍ତ୍ତୀ ଗତିବିଧି ନେଇ ବନବିଭାଗର ଅଧିକାରିକ ପ୍ରତିକ୍ରିୟା ମିଳିପାରିନାହିଁ।ମୟୁରଭଞ୍ଜ କରଞ୍ଜିଆରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।