ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବୀୟ ମୂଲ୍ୟବୋଧର ମହାନ ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆମ ସମସ୍ତଙ୍କୁ ସଦା ପ୍ରେରଣା ଯୋଗାଇ ଆସୁଛି। ତାଙ୍କର ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ରାଷ୍ଟ୍ର ପ୍ରତି ନିଷ୍ଠା ଆମ ସମସ୍ତଙ୍କୁ ସମାଜ ଓ ଦେଶର ହିତ ପାଇଁ ନିରନ୍ତର କରିବାର ପଥ ଦେଖାଇ ଆସୁଛି। ଗାନ୍ଧିଜୀଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଏକ ସ୍ୱଚ୍ଛ, ସୁସ୍ଥ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜର ଯୋଗଦାନ ଦେବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ସେହିପରି ସରଳତା, ସଚ୍ଚୋଟତା, ନିଷ୍ଠା ଓ ଦୃଢ ସଂକଳ୍ପର ପ୍ରତୀକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୀବନ ଓ ଆଦର୍ଶ ଆଜି ମଧ୍ୟ ଆମ ସମସ୍ତଙ୍କୁ ରାଷ୍ଟ୍ରସେବା ପାଇଁ ପ୍ରେରଣା ଯୋଗାଇ ଆସୁଛି। ଦେଶର ସୁରକ୍ଷା ପାଇଁ ଯବାନ ଓ ଦେଶର ଅନ୍ନଦାତା କୃଷକଙ୍କ ଅବଦାନକୁ ସମ୍ମାନ ଦେଇ ସେ ଦେଇଥିବା ‘ଜୟ ଜବାନ, ଜୟ କିଷାନ’ର ମହାମନ୍ତ୍ର ସବୁ ଦିନ ପାଇଁ ଆମକୁ ଦେଶ ପ୍ରତି ଆମର କର୍ତ୍ତବ୍ୟକୁ ମନେ ପକାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି। ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଶାସ୍ତ୍ରୀନଗରଠାରେ ଥିବା ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।