କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦେଶର ଜନକ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ‘ମାଳତୀ ମହାନ୍ତି’ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ ଏବଂ ତୁରୁମୁଙ୍ଗା କ୍ଲଷ୍ଟର ସଂଯୋଜକ ଲିପ୍ଟନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାର୍ଥୀମାନେ ଉଭୟ ମହାନ ଜନନାୟକଙ୍କ ଜୀବନାଦର୍ଶ, ଅହିଂସା, ସତ୍ୟ ତଥା ସରଳ ଜୀବନଯାପନ ଉପରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅତିଥି ତଥା ଶିକ୍ଷକମାନେ ଦୁଇ ମହାପୁରୁଷଙ୍କ ତ୍ୟାଗ ଓ ଦେଶ ଗଠନରେ ଥିବା ଅବଦାନ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।
ଏହି ସଭାରେ ବରିଷ୍ଠ ଶିକ୍ଷକ କମଳାକାନ୍ତ ପତି, ପ୍ରକାଶ କୁମାର ମିଶ୍ର, ସୁଶାନ୍ତ ମହାନ୍ତ, ଚନ୍ଦ୍ରାବତୀ ନାଏକ, ସସ୍ମିତା ନାୟକ, ପ୍ରୀତିମୟୀ ନାଏକ, ମାଧବାନନ୍ଦ ମହାନ୍ତ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପରିଶେଷରେ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସର ସଫେଇ କରାଯାଇଥିଲା। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋଟ ସାକ୍ସୀ ନ୍ୟୁଜ୍ ।