ରାମନାଗୁଡା(ସାକ୍ସୀ ନ୍ୟୁଜ୍): ଶିଶୁ ହସିଲେ ଦେଶ ହସେ, ଶିଶୁ ବଢିଲେ ଦେଶ ଆଗେଇ ଚାଲେ’ ଏହି ମନ୍ତ୍ରକୁ ନେଇ ରାମନାଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆହ୍ୱାନ କ୍ରମେ ଆଜି ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମନାଗୁଡା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୧ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ, ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ନିମାଲା, ବିଡିଓ ଶ୍ରୀ ପ୍ରଦ୍ମନ ମଣ୍ଡଳ, ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ପାରିଖିତି ସରପଞ୍ଚ ଶ୍ରୀ ସୂର୍ଯ୍ୟରାଓ କୁମ୍ବରିକା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ବଡଜେନା ଯୋଗ ଦେଇଥିଲେ ।
ସଭାପତିତ୍ୱ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ କହିଥିଲେ ଶିକ୍ଷା ସହ ଜୀବନ ଗଢିବା ପାଇଁ ୭ଟି ମନ୍ତ୍ର ଆବଶ୍ୟକ ପଡେ ଲକ୍ଷ୍ୟ ସ୍ଥିର କର କେବଳ ପାଠ ପଢିଲେ ହେବ ନାହିଁ, ମୁଁ ଭବିଷ୍ୟତରେ କ’ଣ ହେବି ତାର ଏକ ସ୍ପଷ୍ଟ ଲକ୍ଷ୍ୟ ରଖ। ସମୟର ସଦୁପଯୋଗ ମୋବାଇଲ, ଗେମ୍ ରେ ସମୟ ନଷ୍ଟ ନକରି ପଢା, ଖେଳ ଓ ବିଶ୍ରାମ ପାଇଁ ଅଲଗା ସମୟ ବାଣ୍ଟ। ଶୃଙ୍ଖଳା ହିଁ ସଫଳତାର ଚାବିକାଠି ସକାଳେ ଶୀଘ୍ର ଉଠିବା, ବିଦ୍ୟାଳୟର ନିୟମ ମାନିବା, ଗୁରୁଜନଙ୍କୁ ସମ୍ମାନ କରିବା ଅଭ୍ୟାସ କର। ପ୍ରତିଭାକୁ ଚିହ୍ନ ସୁରଭି ଭଳି ମଞ୍ଚ କେବଳ ପ୍ରତିଯୋଗିତା ନୁହେଁ, ନିଜ ଭିତରେ ଥିବା ଲୁଚି ରହିଥିବା କଳାକୁ ବାହାର କରିବାର ସୁଯୋଗ। ନାଚ, ଗୀତ, ଚିତ୍ର, ବକ୍ତୃତା ଯାହା ଭଲ ଲାଗେ ତାକୁ ଆଗକୁ ନିଅ ।
ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ମନ ଭଲ ରହିଲେ ପାଠ ଭଲ ହେବ। ପ୍ରତିଦିନ ସଫା ପୋଷାକ, ସୁସ୍ଥ ଖାଦ୍ୟ ଓ ବ୍ୟାୟାମ ଜରୁରୀ। ପ୍ରଶ୍ନ ପଚାରିବାକୁ ଡର ନାହିଁ ଶ୍ରେଣୀରେ ବୁଝି ପାରିଲନି ତ ଶିକ୍ଷକଙ୍କୁ ପଚାର। ଯିଏ ଅଧିକ ପ୍ରଶ୍ନ ପଚାରେ ସେ ଅଧିକ ଶିଖେ।ମାତା-ପିତା ଓ ଗୁରୁଙ୍କୁ ସମ୍ମାନ ତୁମ ସଫଳତା ପଛରେ ତୁମ ବାପା-ମା’ ଓ ଶିକ୍ଷକଙ୍କ ପରିଶ୍ରମ ଅଛି, ସେମାନଙ୍କୁ କେବେ ଭୁଲନ୍ତୁ ନାହିଁ।ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ କହିଥିଲେ “ଆଜିର ଶିଶୁ ହିଁ କାଲିର ଭବିଷ୍ୟତ। ପାଠ ସହ ଭଲ ମଣିଷ ହେବା ଶିଖ, ଦେଶ ଆପେ ଆପେ ଆଗେଇବ।। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଦାମୋଦର ହିମିରିକା, ଶ୍ରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୌରୀ ପଣ୍ଡା ଉପସ୍ଥିତ ଥିଲେ।ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ରାୟଗଡା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା ।