ବିଜେଡି ମନ୍ତ୍ର: ନବୀନ ଅଛନ୍ତି ଚଉବାହାକୁ

ବିଜୁବାବୁଙ୍କ ଜୟନ୍ତୀ ଦିବସରେ ବିଜେଡିର ତୃଣମୂଳ କର୍ମୀଙ୍କ ….

ଭୁବନେଶ୍ୱର: ବିଜୁବାବୁଙ୍କ ଜୟନ୍ତୀ ଦିବସରେ ବିଜେଡିର ତୃଣମୂଳ କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ‘ନବୀନ ଓଡ଼ିଶା’ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଯାଉଛନ୍ତି । ଏ ସଂପର୍କରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ପ୍ରତି ସହରକୁ ପରାଙ୍ଗପୁଷ୍ଟ କରିଥିବା ଅଧିକାଂଶ ଦୈନିକ ସଂବାଦପତ୍ର ନବୀନବାବୁଙ୍କ ନବୀନ ବାରତାକୁ ପ୍ରାଥମିକତା ଦେଇଛନ୍ତି । ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତ ନବୀନବାବୁ ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଆଗାମୀ ନିର୍ବାଚନରେ ଜିତାପଟ ହାସଲ କରି ସରକାର ଗଠନ କଲେ, ସେ ‘ନବୀନ ଓଡ଼ିଶା’ ପାଇଁ କାମ କରିବେ । ‘ନବୀନ ଓଡ଼ିଶା’ ଭିତରେ ଆଉ ପୁରାତନ ଓଡ଼ିଶାର ଚିହ୍ନବର୍ଣ୍ଣ ରହିବ ନାହିଁ । ପୁରାତନ ଓଡ଼ିଶାରେ ବିଜୁବାବୁଙ୍କ ସ୍ୱପ୍ନ ଥିଲା । ନବୀନ ଓଡ଼ିଶା’ରେ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ରହିବ । ବିଜେଡିର ଲକ୍ଷାଧିକ କର୍ମୀ ଦଳ ପାଇଁ ଖରାତରାକୁ ଖାତର ନକରି ଗଧ ଭଳି ଖଟିବେ ମାତ୍ର କେଇ ଓଳି ଖାଦ୍ୟ, କେତୋଟି ବୋତଲ ମଦ, କେତେ କିଲୋ ମଟନ ପାଇଁ । କିନ୍ତୁ ୬୦ ଲକ୍ଷ କର୍ମୀଙ୍କ ପରିଶ୍ରମର ଫଳ ଉପଭୋଗ କରିବେ ଦଳର ମୁଖିଆ ଯାହାଙ୍କ ଦର୍ଶନ ତଳିଆ କର୍ମୀଙ୍କ ପାଇଁ ସ୍ୱପ୍ନ । ୬୦ ଲକ୍ଷ କର୍ମୀଙ୍କ ପରିଶ୍ରମର ଫଳ ଖାଇବେ ବିଧାୟକ, ମନ୍ତ୍ରୀ ଓ ସାଂସଦ ଗଣ ।

ନିର୍ବାଚନ ପାଇଁ ପୋଷ୍ଟର ମାରିବାଠାରୁ ବିରୋଧୀ ଦଳର ଗୁଣ୍ଡାଙ୍କ ନିକଟରୁ ମାଡ଼ ଖାଇବା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବିପଦପୂର୍ଣ୍ଣ କାମ କରିବେ ୬୦ ଲକ୍ଷ କର୍ମୀ । ନିର୍ବାଚନ ଯଜ୍ଞରେ ଏକାଧିକ କର୍ମୀ ବଳି ପଡ଼ିଯିବାର ଆଶଙ୍କା ରହିଛି । ଦଳର ମୁଖିଆଙ୍କ ହାତରେ ଅଖଣ୍ଡ କ୍ଷମତା ଧରାଇବା ପାଇଁ ହସି ହସି ବଳି ପଡ଼ିବାକୁ ଆଗ୍ରହୀ କର୍ମୀଙ୍କ ଅଭାବ ନାହିଁ । କିନ୍ତୁ ବଳି ପଡୁଥିବା କର୍ମୀଙ୍କ ପରିବାରକୁ କେତେ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ; ସେ ବିଷୟରେ ଦଳ ପକ୍ଷରୁ ଘୋଷଣା କରାଯିବା ଦରକାର । ସେଭଳି ହେଲେ ବଳି ପଡ଼ିବା ପୂର୍ବରୁ ଦଳର ଯୁବକ ଯୁବତୀମାନେ ସେମାନଙ୍କ ମୁଣ୍ଡର ମୂଲ୍ୟ ଜାଣିପାରନ୍ତେ ।

ଏମିତି ତ ସାରା ଓଡ଼ିଶା ଜାଣିଛି, ନବୀନବାବୁ କେବେ କାହା ପ୍ରତି ଅନ୍ୟାୟ କରିନାହାନ୍ତି । ଚିଟ୍‌ଫଣ୍ଡ ସଂସ୍ଥା ପାଇଁ ବ୍ରାଣ୍ଡ ଆମ୍ବାସାଡ଼ାର ବନିଥିବା ଦଳୀୟ ନେତାଙ୍କ ପିଲାମାନଙ୍କୁ ଉତରାଧିକାରୀ ସୂତ୍ରରେ ବିଧାୟକ କରିଛନ୍ତି । ବିଧାୟକ ବାପା ମରିଯିବା ପରେ ତାଙ୍କ ପୁଅଝିଅକୁ ବିଧାୟକ କରିଛନ୍ତି । ବିଧାୟକ ସ୍ୱାମୀ ମରିଯିବା ପରେ ସ୍ତ୍ରୀଙ୍କୁ ବିଧାୟିକା କରିଛନ୍ତି । ଦଳର କର୍ମୀଙ୍କ ପୁଅକୁ କର୍ମୀ ଭାବେ ଗ୍ରହଣ କରିଛନ୍ତି । ଗରିବ ପରିବାରକୁ ଟଙ୍କାକରେ କିଲେ ଚାଉଲ ଦେଉଛନ୍ତି । ଗରିବ ଲୋକଙ୍କ ହାତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଧରାଇଛନ୍ତି ।
ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯାବତୀୟ କାମ ପାଇଁ ଯୋଜନାର ମାଳ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସ୍କୁଲ, ମୋ ବସ୍‌, ମୋ ସରକାର, ମୋ ନେତା, ମୋ କୁତା, ମୋ ଥାନା, ଭଳି ଯୋଜନାଗୁଡ଼ିକ ଲାଗୁ କରି ନବୀନ ପଟ୍ଟନାୟକ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।

ଏଣିକି ଲୋକମାନେ ସକାଳୁ ଉଠି ଗାଧୁଆ ପାଧୁଆ ସାରି ଠାକୁର ଘରେ ନବୀନବାବୁଙ୍କ ଫଟୋ ଆଗରେ ଧୂପକାଠି, ନୈବେଦ୍ୟ ଅର୍ପଣ କରି କହିବେ, ‘ଡର କାହାକୁ ଭୟ କାହାକୁ, ନବୀନ ଅଛନ୍ତି ଚଉବାହାକୁ’ ।