ଭାରତର ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍ -ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଅଟେ ।
ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ । ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ । ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ । ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ ଚିହ୍ନଟ କରାଯାଇପାରିବ । ଟ୍ୟାମ୍ପରିଂ ଏକ ଦଣ୍ଡନୀୟ ଅପରାଧ ଏବଂ ଆଧାର ଅଧିନିୟମର ଧାରା ୩୫ ଅନୁଯାୟୀ ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।
ବ୍ୟବହାର ପୂର୍ବରୁ ଆଧାର ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉପରେ ୟୁଆଇଡିଏଆଇ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । ଯେତେବେଳେ ବି ଆଧାର ପରିଚୟପତ୍ର ପ୍ରମାଣ ଭାବରେ ଦାଖଲ ହେବ – ଲୋକମାନଙ୍କର ପ୍ରାମାଣୀକରଣ/ଯାଞ୍ଚ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ପରେ ଏକକ ପରିଚୟ ତଥ୍ୟ ଭାବରେ ଆଧାରକୁ ବ୍ୟବହାର କରାଯିବ ।
ପ୍ରାମାଣୀକରଣ/ଯାଞ୍ଚ ନିମନ୍ତେ ସ୍ୱୀକୃତିପ୍ରାପ୍ତ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ଗୁରୁତ୍ୱ ଦେବା ଏବଂ ଏ ଦିଗରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲ୍ ପାଳନ କରିବା ପାଇଁ ୟୁଆଇଏଡିଆଇ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି ।
ଯେକୌଣସି ଆଧାରକୁ ଏମ୍-ଆଧାର ଆପ୍, କିମ୍ବା ଆଧାର କ୍ୟୁଆର୍ କୋଡ୍ ସ୍କାନର୍ ବ୍ୟବହାର କରି ଆଧରର ସମସ୍ତ ପ୍ରକାର (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ, ଏବଂ ଏମ୍ – ଆଧାର) ରେ ଉପଲବ୍ଧ କ୍ୟୁଆର୍ କୋର୍ଡକୁ ବ୍ୟବହାର କରି ଯାଞ୍ଚ କରାଯାଇପାରିବ । ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଆଧାରିତ ମୋବାଇଲ୍ ଫୋନ୍ ତଥା ୱିଣ୍ଡୋ ଆଧାରିତ ଆପ୍ ଗୁଡ଼ିକ ପାଇଁ କ୍ୟୁଆର୍ କୋଡ୍ ସ୍କାନର୍ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ।
ଲୋକମାନେ କାଗଜ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ନିଜର ପରିଚୟପତ୍ର ଉପସ୍ଥାପନ କରି ନିଜର ପରିଚୟ ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ବ୍ୟବହାର କରି ପାରିବେ । ପୂର୍ବରୁ ଲୋକମାନଙ୍କ ପାଇଁ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ୟୁଆଇଡିଏଆଇ ପକ୍ଷରୁ ତଥ୍ୟ ଜାରି କରାଯାଇସାରିଛି । ଲୋକମାନେ ସେମାନଙ୍କର ଆଧାରକୁ ଆତ୍ମବିଶ୍ୱାସର ସହିତ ବ୍ୟବହାର କରିପାରିବେ ।