ପ୍ରଭୁ ଜଗନ୍ନାଥ ଏବେ ନବୀନବାବୁଙ୍କ ଦୟାର ପାତ୍ର

ବିଜେଡି କବ୍‌ଜାରେ ଠାକୁରଙ୍କର ୩୦ ହଜାର ଏକର……

ପୁରୀ: ପ୍ରଭୁ ଜଗନ୍ନାଥଙ୍କ ଇଛା ବୋଲି କିଛି ନାହିଁ । ଯାହା ଚାଲିଛି ସବୁ ବାବୁ ନବୀନଙ୍କ ଇଛାରେ ଚାଲିଛି । ନବୀନଙ୍କ ଇଛାରେ ପ୍ରଭୁ ଉଠୁଛନ୍ତି, ଗାଧୁଆ ପାଧୁଆ ସାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପତ୍ନୀ ଲକ୍ଷ୍ମୀଙ୍କୁ ଭେଟୁଛନ୍ତି । ବିଜେଡିର ଜଣେ ବିଶିଷ୍ଟ ନେତାଙ୍କ ଇଛାରେ ନବକଳେବର ଧାରଣ କଲେ । ସଂପୃକ୍ତ ନେତା ଯୋଉ ନିମ୍ବଗଛକୁ ଦାରୁ କହି କାଠର ପ୍ରତିମା ରୂପ ଦେବାକୁ ପରାମର୍ଶ ଦେଲେ, ତାହାକୁ ଭଗବାନଙ୍କ ଇଛା କହି ପାଳନ କଲେ । ମୋଟ ଉପରେ କହିଲେ, ପ୍ରଭୁ ଜଗନ୍ନାଥ ଆଉ ନିଜ ଇଛାର ମାଲିକ ନୁହନ୍ତି । ମହାପ୍ରଭୁ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ । ନବୀନବାବୁ ସେଭଳି ଭକ୍ତ ହୋଇଥିବାରୁ ସିନା ମହାପ୍ରଭୁ ତାଙ୍କ ଅଧୀନକୁ ଚାଲିଯାଇ ବେଶ ସୁରକ୍ଷିତ ମଣିଛନ୍ତି ।

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଚିରୁକୁଟି ପାଇଥିବା ଲୋକଙ୍କୁ ମହାପ୍ରଭୁ ଦର୍ଶନ ଦେବେ । ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି । ସାଧାରଣ ଲୋକଟିଏ ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ, ପୁଲିସ ତାକୁ ଗୋଡ଼ାଇ ଗୋଡ଼ାଇ ଧରୁଛି । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ କରିବା ପାଇଁ ପୁଲିସ ପାଖରେ କ୍ଷମତା ନାହିଁ ।

ନିକଟରେ ମିଳିଥିବା ସୂଚନା ମୁତାବକ, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କମିଶନର ପାହ୍ୟା ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇନି । କୋର୍ଟଙ୍କ ନିର୍ଦ୍ଦେଶ ଥିଲା ନିର୍ଦ୍ଧାରିତ ସମୟ ଭିତରେ ଠାକୁରଙ୍କ ନୀତି ସମାପନ ହେବ । ମାତ୍ର ମୁଖ୍ୟ ପ୍ରଶାସକ ଭୁବନେଶ୍ୱର ସଚିବାଳୟରେ ବସିଥିବାରୁ ଶ୍ରୀମନ୍ଦିରରେ ଯାବତୀୟ ବ୍ୟତିକ୍ରମ ଚାଲିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତିରେ ପୁରୀ ଜିଲ୍ଲାପାଳ ସବୁକିଛି ସମ୍ଭାଳି ନେଉଛନ୍ତି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକାଧିକ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁପସ୍ଥିତି ଅନେକଙ୍କୁ ମର୍ମାହତ କରିଥିଲା । ତିନିବର୍ଷ ହୋଇଗଲାଣି, ଜବର ଦଖଲକାରୀଙ୍କ କବଳରୁ ମହାପ୍ରଭୁଙ୍କ ଜମିକୁ ଉଦ୍ଧାର କରାଯାଇ ପାରିଲାନି ।

ମହାପ୍ରଭୁ ୬୦ ହଜାର ୪୧୮ ଏକର ଜମିର ମାଲିକ । ମାତ୍ର ତାଙ୍କ ପାଖରେ ଏବେ ଅଛିି ୩୪ ହଜାର ୨୦୦ ଏକର ଜମି । ଅବଶିଷ୍ଟ ଜମିକୁ ମାଡ଼ି ବସିଛନ୍ତି ରାଜ୍ୟ ସରକାରଙ୍କ ପୋଷା ଅଧିକାରୀ ଓ ସେମାନଙ୍କ ସଂପର୍କୀୟ । ୬ ମାସ ଭିତରେ ମହାପ୍ରଭୁଙ୍କ ଜମି ଉଦ୍ଧାର କରାଯିବ ବୋଲି ସରକାର ମହାମାନ୍ୟ କୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏ ଯାଏ ତାହା ପାଳନ କଲେନି । ପ୍ରଭୁଙ୍କ ମାଲିକାନାରେ ବହୁ ଖଣିଖାଦାନ ରହିଛି, ମାତ୍ର ସେଥିରୁ ଟଙ୍କାଟିଏ ଶ୍ରୀମନ୍ଦିର ହୁଣ୍ଡିରେ ପଡୁନି ।

ଶ୍ରୀମନ୍ଦିର ସଂପର୍କୀତ ବହୁ ତଥ୍ୟ ଲୁଚାଇ ରଖିଛନ୍ତି ରାଜ୍ୟ ସରକାର ଓରଫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଓରଫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇଥିପାଇଁ ଲେଖିଲୁ ଯେ ଏବେ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବା ଜରୁରୀ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବା ଜରୁରୀ ହୋଇଛି । ଅତଏବ କେବଳ ପ୍ରଶଂସା ନୁହେଁ, ଅପନିନ୍ଦାର ପାତ୍ର ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରାଯିବା ଯଥାର୍ଥ ନୁହେଁ କି?