ପାଣ୍ଡିଆନଙ୍କ ଗୋଡ଼ରେ ଶିକୁଳି ଲଗାଇଲେନି କେନ୍ଦ୍ର

ଭୋଟ ପାଇବା ପାଇଁ ଅପରାଜିତା ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ଭାରି ଚାଲାକ କହୁଛନ୍ତି । ମାତ୍ର ସତକଥା ହେଉଛି, ରାଜ୍ୟର ସାଢେ଼ ଚାରିକୋଟି ଜନତା ପରିଶ୍ରମ କରିବାକୁ ଡରୁଛନ୍ତି । କାମ ନକରି ଗୋଡ଼ ଉପରେ ଗୋଡ଼ ପକାଇ ଶାଗ-ପଖାଳ ଖାଇବା ଛଡ଼ା ରାଜ୍ୟବାସୀ ଆଉ କିଛି ଚାହୁଁନାହାନ୍ତି । ସେମାନଙ୍କୁ ନିକମା କରି ରାଜକୋଷକୁ ଲୁଟିବା ଭଳି ସୁନ୍ଦର ସୁନ୍ଦର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଜିତା ଯେତେ ଚିକ୍ରାର କଲେ, ତା’ର କିଛି ପ୍ରଭାବ ପଡ଼ିବନି ।

କେନ୍ଦ୍ର ବିଜେପି ନେତାଙ୍କ ପରାମର୍ଶ ମାନିବାକୁ ବାଧ୍ୟ ହୋଇଛି ରାଜ୍ୟ ବିଜେପି । ଭିକେ ପାଣ୍ଡିଆନଙ୍କ ରାଜ୍ୟବ୍ୟାପୀ ତୋଫାନୀ ଗସ୍ତକୁ ଅଟକାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ଅଭିମୁଖେ ଯାଇଥିବା ଚିଠି ଉପରେ ସେଭଳି କଡ଼ା ପଦକ୍ଷେପ ଗ୍ରହଣ କଲାନି ମୋଦୀ ସରକାର । ବରଂ ବିଜେପିର କେନ୍ଦ୍ରୀୟ ନେତାମାନେ ପାଣ୍ଡିଆନଙ୍କ ଗସ୍ତରୁ ଫାଇଦା ନେବାକୁ ରାଜ୍ୟ ବିଜେପିକୁ ଉପଦେଶ ଦେଇଛନ୍ତି । ପରିଣାମ ସ୍ୱରୂପ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆମେ ଚାହୁଁଛୁ ପାଣ୍ଡିଆନ ସାରାରାଜ୍ୟ ବୁଲନ୍ତୁ ।

ଭୋଟ ନେବେ ମୁଖ୍ୟମନ୍ତ୍ରୀ, ରାଜ୍ୟର ସବୁ ଅଂଚଳକୁ ବୁଲି ଲୋକଙ୍କ ସମସ୍ୟା ବୁଝିବେ ପାଣ୍ଡିଆନ । ପାଣ୍ଡିଆନ ଯେତେ ଅଧିକ ବୁଲିବେ, ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ସେତିକି ଅଧିକ ରାଗିବେ । ଲୋକଙ୍କ ରାଗର ଫାଇଦା ବିଜେପିକୁ ଯିବ । ଯାହାହେଉ, କେନ୍ଦ୍ର ବିଜେପି ବୁଝାଇଦେଲା, ରାଜ୍ୟ ବିଜେପି ବୁଝିଗଲା । ପାଣ୍ଡିଆନଙ୍କ ଗୋଡ଼ରେ ଶିକୁଳି ପକାଇବା ସଫଳ ହେଲାନି ।