ଆଇପିଏଲ ୨୦୨୦: ଆଜି କିଙ୍ଗସ୍ ଏକାଦଶ ପଞ୍ଜାବ vs ଦିଲ୍ଲୀ କ୍ୟାପିଟାଲ୍ସ


ଆବୁଦାବି : ଆଇପିଏଲ୍‌ର ୩୮ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗ୍‌ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଲଗାତର ୨ଟି ମ୍ୟାଚ୍‌ ଜିତିବା ପରେ କିଙ୍ଗ୍‌ସ ଏକାଦଶର ମନୋବଳ ଦ୍ୱିଗୁଣିତ ହୋଇଛି । ତେବେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିଥିବା ବେଳେ ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ‌ ଆଶା କରାଯାଉଛି ।

‌ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ କିଙ୍ଗ୍‌ସ ଏକାଦଶର ଡବଲ୍‌ ସୁପର ଓଭର ବିଜୟ ବେଶ ରୋମାଞ୍ଚକର ଥିବା ବେଳେ ଏହାକୁ ଦର୍ଶକ ଭୁଲି ପାରିନଥିବେ । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ଡବଲ୍‌ ସୁପର ଓଭର ଖେଳାଯାଇଥିଲା । ଏଥିରେ କିଙ୍ଗ୍‌ସ ଏକାଦଶ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଆଜି ଦଳ କ୍ୟାପିଟାଲ୍ସଠୁ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ । ସିଜନର ଦ୍ୱିତୀୟ ଲିଗ୍‌ ମୁକାବିଲାରେ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍‌ସ ଏକାଦଶକୁ ପରାସ୍ତ କରିଥିଲା । ପେସ୍‌ ବୋଲର କାଗିସୋ ରାବାଡ଼ା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ କିଙ୍ଗ୍‌ସ ଏକାଦଶ ଭାଗ୍ୟ ବଦଳିଛି। ସେ ଖେଳିଥିବା ୨ଟି ଯାକ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିଲା। ସେଥିମଧ୍ୟରୁ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ରୋମାଞ୍ଚରେ ଭରପୂର ରହିଥିଲା । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ବିଜୟ ପରେ ଦଳ ମୋଟ ୬ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛି । ଆସନ୍ତାକାଲିର ମ୍ୟାଚ୍‌କୁ ମିଶାଇ ଦଳର ଆଉ ୫ଟି ମ୍ୟାଚ୍‌ ବାକି ଅଛି । ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ସବୁ ମ୍ୟାଚ୍‌ ଜିତିବା ଜରୁରୀ । କିନ୍ତୁ ଗ୍ଲେନ୍‌ ମାକ୍ସୱେଲଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ୍‌ ସିଜନରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେଣୁ ଦିଲ୍ଲୀର ଶକ୍ତିଶାଳୀ ବୋଲିଂ ବିଭାଗ ଓ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଚଳିତ ସିଜନରେ କ୍ୟାପିଟାଲ୍ସ ୯ଟି ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇ ମୋଟ ୧୪ପଏଣ୍ଟ ସହ ଶୀର୍ଷରେ ରହିଛି।