160×600
160×600

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ଚହଲ,ସାମସନଙ୍କୁ ଡାକରା, ରିଜର୍ଭରେ ଗିଲ୍‌, ରିଙ୍କୁ ସିଂ

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ଚହଲ,ସାମସନଙ୍କୁ ଡାକରା, ରିଜର୍ଭରେ ଗିଲ୍‌, ରିଙ୍କୁ ସିଂ

ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୧୫ ଜଣିଆ ପ୍ରୋଭିଜନାଲ ସ୍କ୍ବାଡ ସହ ୪ ଜଣ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ୧୫ ଜଣିଆ ଦଳରେ ସଞ୍ଜୁ ସାମସନ୍‌ ଓ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଥିବା ବେଳେ ଶୁବମନ୍‌ ଗିଲ୍‌ ଓ ରିଙ୍କୁ ସିଂଙ୍କୁ ନିରାଶ ହେବାକୁ ପଡିଛି। ଆଇପିଏଲରେ ଚମତ୍କାର ପ୍ରଦର୍ଶନ ଆଧାରରେ ଉଭୟ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅନ୍ୟ ପକ୍ଷରେ ରିଙ୍କୁ ଓ ଗିଲଙ୍କୁ ୪ ଜଣିଆ ରିଜର୍ଭ ଖେଳାଳି ତାଲିକାରେ ରଖାଯାଇଛି। ପୂର୍ବରୁ ରୋହିତ ଶର୍ମାଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ବିସିସିଆଇ ସମ୍ପାଦକ ଜୟ ଶାହା ଓ ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ ମଧ୍ୟରେ ଅହମଦାବାଦରେ ବୈଠକ ପରେ ଏହି ସୂଚନା ପ୍ରଦାନ କରାଯାଇଥିଲା। ଆଇପିଏଲରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ରେ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କୁ ଉପ ଅଧିନାୟକ ମଧ୍ୟ ରଖାଯାଇଛି। ସେହପରି ଫିନିଶର ଭାବରେ ବିକଳ୍ପ ପାଇଁ ଶିବମ ଦୁବେଙ୍କୁ ଦଳରେ ସାମିଲ କରାଯାଇଛି।
ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୫ ଜଣିଆ ଦଳରେ ହାର୍ଦ୍ଦିକଙ୍କ ସ୍ଥାନକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ରିଙ୍କୁ ସିଂ ୧୫ ଜଣିଆ ଦଳରେ ସାମିଲ ନହେବା ଦୁର୍ଭାଗ୍ୟ ଜନକ ବୋଲି କହିବା ସହ ବୋଲିଂ ବିକଳ୍ପ ପ୍ରଦାନ କରୁଥିବାରୁ ଶିବମ ଦୁବେଙ୍କୁ ସୁଯୋଗ ମିଳିଥିବା କୁହାଯାଉଛି। ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ ଚମତ୍କାର ଫର୍ମରେ ରହିଥିବା ବେଳେ ତାଙ୍କୁ ରିଷଭ ପନ୍ତଙ୍କ ପରେ ଦ୍ୱିତୀୟ ପସନ୍ଦର ଉଇକେଟ କିପର ଭାବରେ ସାମିଲ କରାଯାଇଛି। ଲୋକେଶ ରାହୁଲ ଓ ଇଶାନ କିଶନଙ୍କୁ ପଛରେ ପକାଇ ସଞ୍ଜୁ ଦଳରେ ସାମିଲ ହୋଇଛନ୍ତି। ସେହିପରି ୨୦୨୩ ଅଗଷ୍ଟରେ ଶେଷ ଥର ପାଇଁ ଏକ ଟି୨୦ ମ୍ୟାଚ ଖେଳିଥିବା ୟୁଜବେନ୍ଦ୍ର ଚହଲଙ୍କୁ ଦଳକୁ ଡାକରା ମିଳିଛି। କୁଲଦୀପ ଯାଦବଙ୍କ ପରେ ଦ୍ୱିତୀୟ ରିଷ୍ଟ ସ୍ପିନର ଭାବେ ଚହଲ ଦଳରେ ରହିଛନ୍ତି। କୁଲ୍‌ଚା ଭାବରେ ପରିଚିତ ଏହି ଯୋଡି ପୁନର୍ବାର ଏକାଠି ଖେଳିବାକୁ ଯାଉଛନ୍ତି। ଚଳିତ ସିଜନରେ ୧୩ ଉଇକେଟ ନେଇଥିବା ଚହଲ ପର୍ପଲ କ୍ୟାପ ଦୌଡରେ ଥିବା ବେଳେ ପ୍ରଥମ ବୋଲର ଭାବରେ ୨୦୦ ଆଇପିଏଲ ଉଇକେଟ ପୂରଣ କରିଛନ୍ତି। ରବି ବିଷ୍ଣୋଇ ଏହି ଦୌଡରେ ଥିବା ବେଳେ ଆଇପିଏଲରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ବାଦ ଦିଆଯାଇଛି।
ଓପନିଙ୍ଗ ବ୍ୟାଟିଂ ପାଇଁ ରୋହିତ ଶର୍ମାଙ୍କ ପାର୍ଟନର ଭାବରେ ଚୟନକର୍ତ୍ତା ମାନେ ଯଶସ୍ବୀ ଜୟସ୍ବାଲଙ୍କ ଉପରେ ଭରସା ଦେଖାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶତକ ସହ ଫର୍ମକୁ ଫେରିଥିବା ଜୟସ୍ବାଲ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଶୁବମନ ଗିଲ୍‌ଙ୍କୁ ନିରାଶ ହେବାକୁ ପଡିଛି। ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ଚମତ୍କାର ପ୍ରଦର୍ଶନ କରିଥିବା ଗିଲ୍‌ଙ୍କୁ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ସାମିଲ କରାଯାଇଛି। ଚଳିତ ଆଇପିଏଲରେ ପ୍ରଥମ ଖେଳାଳି ଭାବରେ ୫୦୦ ରନ୍‌ ପୂରଣ କରିଥିବା କୋହଲି ଅନ୍ୟତମ ଟପ୍‌ ଅର୍ଡର ଖେଳାଳି ରହିଛନ୍ତି। ତେବେ କୋହଲି ଓପନ କରିବେ କି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ତାହା ସ୍ପଷ୍ଟ ହୋଇନାହିଁ। ସୂର୍ଯ୍ୟକୁମାର ଯାଦବ ଅନ୍ୟତମ ଟପ୍‌ ଅର୍ଡର ବ୍ୟାଟର ଭାବେ ଦଳରେ ରହିଛନ୍ତି।
ରିଷଭ ପନ୍ତ ଓ ସଞ୍ଜୁ ସାମସନ ଉଇକେଟ କିପର ଭାବରେ ଦଳରେ ସାମିଲ ହୋଇଥିବା ବେଳେ ପନ୍ତ ପ୍ରଥମ ପସନ୍ଦ ରହିଛନ୍ତି। ୨୦୨୨ରେ ଏକ ଭୟଙ୍କର ସଡକ ଦୁର୍ଘଟଣା ପରେ ପନ୍ତ ଆଇପିଏଲରେ ନିଜର ଫିଟନେସ ପ୍ରମାଣ କରିଛନ୍ତି। ତେବେ ଆଇପିଏଲରେ ରାଜସ୍ଥାନ ପାଇଁ ଟପ୍‌ ଅର୍ଡରରେ ବ୍ୟାଟିଂ କରୁଥିବା ସାମସନ୍‌ଙ୍କୁ ଭାରତୀୟ ମ୍ୟାନେଜମେଣ୍ଟ କିଭଳି ବ୍ୟବହାର କରୁଛି ତାହା ଦେଖିବାକୁ ରହିଲା। ଆଇପିଏଲ ପୂର୍ବରୁ ରିଙ୍କୁ ସିଂ ବିଶ୍ୱକପ ଦଳରେ ସ୍ଥାନ ପାଇବା ନିଶ୍ଚିତ ବୋଲି ପୂର୍ବାନୂମାନ କରାଯାଉଥିଲା। ଭାରତ ପାଇଁ ୧୫ ଟି୨୦ ଖେଳିଥିବା ବେଳେ ତାଙ୍କର ଷ୍ଟ୍ରାଇକରେଟ୍‌ ୧୭୬.୨୩ ରହିଥିଲା। ତେବେ ମିଡିଲ ଓଭରରେ ଶିବମ ଦୁବେଙ୍କ ଛକା ମାରିବାର ଦକ୍ଷତାକୁ ବିସିସିଆଇ ପ୍ରାଥମିକତା ଦେଇଛି। ସ୍ପିନ ବୋଲିଂ ଅଲରାଉଣ୍ଡର ଭାବରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ଯଶପ୍ରୀତ୍‌ ବୁମ୍‌ରା ଭାରତର ମୁଖ୍ୟ ପେସର ରହିଥିବା ବେଳେ ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂଙ୍କୁ ସ୍ଥାନ ମିଳିଛି। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଆଭେଶ ଖାଁ ଓ ଖଲିଲ ଅହମଦଙ୍କୁ ରିଜର୍ଭ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି। ଜୁନ୍‌ ୨ ତାରିଖରୁ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟ କିପର), ସଞ୍ଜୁ ସାମସନ(ଉଇକେଟ କିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।
ରିଜର୍ଭ ଖେଳାଳି: ଶୁବମନ ଗିଲ୍‌, ରିଙ୍କୁ ସିଂ, ଖଲିଲ୍‌ ଅହମଦ ଓ ଆଭେଶ୍‌ ଖାଁ।