ଗାଲୁଆମି କରୁଥିଲେ ବାବା, ପାଇଲେ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଏବେ ଦେଶର ଅଗ୍ରଣୀ କମ୍ପାନୀ ତାଲିକା ଭିତରୁ ଗୋଟିଏ । କମ୍ପାନୀ ପ୍ରସ୍ତୁତ ସ୍ୱାସ୍ଥ୍ୟ ଉପଯୋଗୀ ସାମଗ୍ରୀଗୁଡ଼ିକର ବିଭ୍ରାନ୍ତମୂଳକ ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣ ଅଭିଯୋଗ ମାମଲାର ବିଚାର କରି ମଙ୍ଗଳବାର ସୁପ୍ରିମକୋର୍ଟ ପକ୍ଷରୁ ଆଚାର୍ଯ୍ୟ ବାଳକ୍ରିଷ୍ଣା ଓ ପତଞ୍ଜଳି ଆୟୁର୍ବେଦକୁ ନୋଟିସ୍‌ ପଠାଯାଇଛି ।

ସୁପ୍ରିମକୋର୍ଟ ଅନ୍ତରୀଣ ଆଦେଶ ବଳରେ କମ୍ପାନୀର ବିଜ୍ଞାପନ ପ୍ରସାରଣ ଓ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଆଗତ ମାମଲାର ବିଚାର କରିଥିଲେ ଜଷ୍ଟିସ୍‌ ହିମା କୋହଲି ଓ ଜଷ୍ଟିସ୍‌ ଅସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ।

ମେଡିକାଲ ଆସୋସିଏସନ୍‌ ପିଟିସନ ମୁତାବକ, ରାମଦେବଙ୍କ ଦିଗଦର୍ଶନରେ ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଉତ୍ପାଦିତ ଔଷଧଗୁଡ଼ିକ ବହୁ ଜଟିଳ ରୋଗ ଦାଉରୁ ଆରୋଗ୍ୟ ପ୍ରଦାନ କରିଥାଏ ବୋଲି ଯାହା ପ୍ରଚାର ଓ ପ୍ରସାରଣ କରାଯାଉଛି; ସେସବୁ ମନଗଢ଼ା ଓ କମ୍ପାନୀର ନିଜସ୍ୱ ଦାବି । ଭାରତ ସରକାରଙ୍କ କୌଣସି ମନ୍ତ୍ରଣାଳୟ ପକ୍ଷରୁ ପତଞ୍ଜଳି ଆୟୁର୍ବେଦକୁ ସେଭଳି କୌଣସି ଲିଖିତ ପ୍ରମାଣପତ୍ର ପ୍ରଦାନ କରାଯାଇନି ।