ଝାରପଡ଼ା ଜେଲରେ ପୀଡ଼ିତାଙ୍କୁ ବିବାହ କଲେ ଦୁଷ୍କର୍ମ ଅଭିଯୁକ୍ତ

ଭୁବନେଶ୍ୱର: କୁହାଯାଏ, କାହା ହାଣ୍ଡିରେ କିଏ ଚାଉଳ ପକାଇଛି ତାହା ବିଧି ନିର୍ଦ୍ଧାରିତ । ମାତ୍ର ଘଟଣାଚକ୍ରରେ ପଡ଼ି ସେହି ଲୋକକଥାଗୁଡ଼ିକ ଭିନ୍ନ ରୂପ ନେବାର ଉଦାହରଣ ଆଜି ଦେଖିବାକୁ ମିଳିଛି ଭୁବନେଶ୍ୱର ଝାରପଡ଼ା ଜେଲ ଭିତରେ । ଜେଲ ପରିଚାଳକଙ୍କ ଅନୁମତି କ୍ରମେ ଜଣେ ବିଚାରାଧୀନ କଏଦୀଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି ଦୁଷ୍କର୍ମ ପୀଡ଼ିତା ।

ସୂଚନା ମୁତାବକ, ଯୁବକ ଯୁବତୀ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ପାରିବାରିକ ବୁଝାମଣା ଅଭାବ କାରଣରୁ ଚାପରେ ପଡ଼ି ଯୁବତୀ ଜଣକ ଥାନାକୁ ଯାଇ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ମାମଲା କୋର୍ଟ ପର୍ଯ୍ୟନ୍ତ ଯିବା ପରେ ଯୁବକଙ୍କୁ ଜେଲକୁ ପଠାଇ ଦିଆଗଲା ।

ତେବେ ଉଭୟ ପରିବାର ଆପୋଷ ଆଲୋଚନା କରି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ । ଜେଲ ପରିଚାଳକଙ୍କ ସଦୟ ସହଯୋଗ ଓ ଅଭିଯୁକ୍ତ ଯୁବକଙ୍କ ପ୍ରତି ମହାପ୍ରଭୁଙ୍କ କୃପାଦୃଷ୍ଟି ଫଳରେ ଦୁଇଟି ପରିବାର ଉପସ୍ଥିତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା ।