ଚାଷୀଙ୍କୁ ମିଳୁନି ଠିକ ସମୟରେ ସରକାରୀ ବିହନ

ଖୋର୍ଦ୍ଧା: ଚାଷୀଙ୍କୁ ଯଥା ସମୟରେ ବିହନ ଯୋଗାଇ ପାରୁନାହାନ୍ତି ସରକାର । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକରୁ ଏ ପ୍ରକାର ଅଭିଯୋଗ ଶୁଣିବାକୁ ମିଳିଛି । ଚାଷୀମାନଙ୍କ ଅଭିଯୋଗ ମୁତାବକ, ଗତବର୍ଷ ଭଲ ବର୍ଷା ନହେବାରୁ ଖରିଫ ଫସଲ କ୍ଷତିଗ୍ରସ୍ତ ହେଲା । ରବି ଫସଲରୁ କିଛି ଲାଭ ପାଇବା ଆଶା କରି ଏବେ ଚାଷୀମାନେ ହତାଶ ହୋଇଛନ୍ତି ।

ଚାଷୀମାନଙ୍କୁ ଠିକ ସମୟରେ ବିହନ ଯୋଗାଇ ଦିଆଯାଇଛି ବୋଲି ସରକାରୀ ଅଧିକାରୀ କହୁଥିଲା ବେଳେ ଚାଷୀମାନେ କହିଛନ୍ତି ଯେ ସେମାନେ ସରକାରଙ୍କ ନିକଟରୁ କୌଣସି ଡାଲିଜାତୀୟ ଓ ତୈଳଜାତୀୟ ବିହନ ଗ୍ରହଣ କରିନାହାନ୍ତି ।

ଚଳିତ ବର୍ଷ ବେଗୁନିଆ ବ୍ଲକର ଅଧିକାଂଶ ଅଂଚଳରେ ଭଲ ଫସଲ ହୋଇନାହିଁ । ଅତୀତରେ ଉକ୍ତ ଇଲାକା ଡାଲିଜାତୀୟ ଶସ୍ୟ ଅମଳ ପାଇଁ ପରିଚିତ ଥିଲା ।

ଗତବର୍ଷ ପୋଡାଡିହ ନିବାସୀ ସନ୍ତୋଷ ମାଣିକ ସୋରିଷ ଅମଳ କରି ଭଲ ରୋଜଗାର କରିଥିଲେ । ମାତ୍ର ଏ ବର୍ଷ ସେ ସୋରିଷ ଆଡୁ ମୁହଁ ବୁଲାଇ ନେଇଛନ୍ତି । ଚଳିତ ବର୍ଷ ବେଗୁନିଆ ଅଂଚଳରେ ଚିନାବାଦାମ ଫସଲ ଦେଖିବାକୁ ମିଳୁନି ।

ବେଗୁନିଆ ବ୍ଲକର କେତୋଟି ଅଂଚଳରେ ସୂର୍ଯ୍ୟମୁଖୀ ଚାଷ ଦେଖିବାକୁ ମିଳୁଛି; ମାତ୍ର ତା’ ପଛରେ ରାଜ୍ୟ କୃଷି ବିଭାଗର କୌଣସି ଅବଦାନ ରହିଥିବା ମନେହୁଏନା ।