ଭାରତର ଜାପାନ ସହିତ ବ୍ୟବସାୟିକ ସଂଯୋଗ ବୃଦ୍ଧି

ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିବା ପରେ କିସିଦା ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ପ୍ରଯୁକ୍ତିଗତ ସହଯୋଗ ବୃଦ୍ଧି ପାଇଁ ଦୁଇ ନେତା ରାଜି ହୋଇଥିଲେ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଭାରତରେ ପୁଞ୍ଜିନିବେଶ ପରିମାଣକୁ ବୃଦ୍ଧି କରିବାକୁ ଜାପାନ ଲକ୍ଷ୍ୟ ରଖିଛି। ଜାପାନ ସରକାର ଆସନ୍ତା ୫ ବର୍ଷରେ ୫ ଟ୍ରିଲିୟନ ୟେନ ବା ୩.୨ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଆଜି ଏନେଇ ନିଷ୍ପତ୍ତି ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଗଢ଼ିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ। ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଏହି ପୁଞ୍ଜିନିବେଶ ହେବ।”

ଆଜି ଏହାଛଡ଼ା ସାଇବର ସିକ୍ୟୁରିଟି, କ୍ଷମତା ନିର୍ମାଣ, ସୂଚନା ଆଦାନ ପ୍ରଦାନ ଲାଗି ଉଭୟ ଦେଶ ରାଜି ହୋଇଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ବିକାଶ, ସହଯୋଗ ଓ ସମୃଦ୍ଧି ହେଉଛି ଭାରତ-ଜାପାନ ବନ୍ଧୁତ୍ବର ମୁଖ୍ୟ ଭିତ୍ତି ।
ସୂଚନାଯୋଗ୍ୟ ଯେ, ଉଭୟ ଭାରତ ଓ ଜାପାନ ହେଉଛନ୍ତି କ୍ବାଡ୍ ମେଣ୍ଟର ମହତ୍ତ୍ବପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର । ବିଶ୍ବରେ ଚୀନର ପ୍ରଭାବକୁ ରୋକିବାକୁ ଗଠିତ ଏହି ସଂଗଠନର ଅନ୍ୟ ଦୁଇ ଶକ୍ତିଶାଳୀ ସଦସ୍ୟ ଦେଶ ହେଲେ ଆମେରିକା ଓ ଅଷ୍ଟ୍ରେଲିଆ । କିଛି ଦିନ ତଳେ ଅନୁଷ୍ଠିତ କ୍ବାଡ ମେଣ୍ଟର ଏକ ବୈଠକରେ ମଧ୍ୟ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।