ଅଜାଗା ଘା’ ଦେଖାଇ ପାରିଲେନି ଶକ୍ତିମନ୍ତ୍ରୀ ପ୍ରତାପ

ଭୁବନେଶ୍ୱର: ମନେପକାନ୍ତୁ, ବାରିପଦାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଉଥିବା ସମୟରେ ଘଟିଥିବା ବିଜୁଳି କାଟ ପ୍ରସଙ୍ଗକୁ କିପରି ଘୋଡ଼ାଇ ଦେଇଥିଲେ ଆମ ଶକ୍ତିମାନ ମନ୍ତ୍ରୀ ପ୍ରତାପ ଦେବ । ଟାଟା ପାୱାର ଦୋଷକୁ ଖଣ୍ଡନ କରିଥିଲେ ଶକ୍ତିମନ୍ତ୍ରୀ ଦେବ । ମାତ୍ର ଆଜି ବାହାନଗା ଟ୍ରେନ ଦୁର୍ଘଟଣାର ଏକାଦଶାହ ଅବସରରେ ଅନୁଷ୍ଠିତ ସର୍ବଧର୍ମ ସଭାରେ ଯୋଗଦାନ କରି ପ୍ରତାପ ଦେବ ଟାଟା ପାୱାରଠାରୁ ଶକ୍ତ ଚଟକଣା ଖାଇଛନ୍ତି ।

ବାବୁ ପ୍ରତାପ ସବୁବେଳେ କୁହନ୍ତି, କେବଳ କାଳବୈଶାଖୀ ପୂର୍ବାନୁମାନ କରି ଟାଟା ପାୱାର ବିଜୁଳି କାଟ କରିଥାଏ । ଟାଟା ପାୱାରର ଅଘୋଷିତ ବିଜୁଳି କାଟକୁ ଖଣ୍ଡନ କରି ଆସୁଥିଲେ ପ୍ରତାପ । ମାତ୍ର ସର୍ବଧର୍ମ ସଭାମଂଚକୁ ଉଠିବା କ୍ଷଣି ବିଜୁଳି ଚାଲି ଯାଇଥିଲା । ସଭାମଂଚରୁ ତଳକୁ ଓହ୍ଲାଇବା ପରେ ବିଜୁଳି ଆସିଥିଲା।ଆୟୋଜକମାନେ ଜେନେରେଟର ବନ୍ଦୋବସ୍ତ କରିଥିବାରୁ ପ୍ରତାପଙ୍କ ସମ୍ମାନ ରହିଗଲା । ନଚେତ ଟାଟା ପାୱାର ପ୍ରତାପଙ୍କୁ ଅପମାନିତ କରିବା ପାଇଁ ସୁବନ୍ଦୋବସ୍ତ କରିଥିଲା ।

ଆଜି କଟକ ବାସିନ୍ଦା ବିଜୁଳି କାଟର ହିନସ୍ତା ଭୋଗିଛନ୍ତି । ଚାରିଟି ବିଜୁଳି ବିତରଣ ସଂସ୍ଥାର ଜ୍ୱାଳାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ଖୋଦ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟାଟା ପାୱାର କାମରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଅନାଇ କଠୋର ପଦକ୍ଷେପ ଗ୍ରହଣ କରି ପାରୁନାହାନ୍ତି ।

ଟାଟା ପାୱାର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନରେ ଗଭୀର ଅନୁକଂପା ରହିଛି । ଟାଟା ପାୱାର ପ୍ରତି ପାଣ୍ଡିଆନଙ୍କ ମନରେ ଗଭୀର ମମତା ରହିଛି । ରାଜ୍ୟବାସୀ ଭୋଟ ଦେଇ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମତାରେ ବସାଇଛନ୍ତି ଯେତେବେଳେ ତା’ର ପରିଣାମ ଭୋଗିବାକୁ ଡରିଲେ ଚଳିବ କି?