ଅଂଜଳିଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା

ପୁଲିସ କହୁଛି, ଅଂଜଳିଙ୍କୁ ହତ୍ୟା କରାଯାଇଛି ….

ପୁଲିସ କହୁଛି, ଅଂଜଳିଙ୍କୁ ହତ୍ୟା କରାଯାଇଛି । ମାତ୍ର ତାକୁ ପ୍ରମାଣ କରିବା ପାଇଁ ପୁଲିସ ହାତରେ ଠୋସ୍‌ ଦଲିଲ ନାହିଁ । ୩୧ ଡିସେମ୍ବର ରାତିରେ ଦିଲ୍ଲୀର କଞ୍ଝାବଲା ଇଲାକାରେ ୨୦ ବର୍ଷୀୟା ଅଂଜଳିଙ୍କୁ କାର ଦଳିଚକଟି ମାରିଦେଲା । ଘଟଣାକୁ ୨୦ ଦିନ ବିତିଯାଇଛି । ଜାନୁଆରୀ ୧୭ ତାରିଖରେ ପୁଲିସ ଉକ୍ତ ମାମଲାରୁ ଧାରା ୩୦୪ ( ବିନା ଉଦ୍ଦେଶ୍ୟରେ ହତ୍ୟା) ହଟାଇ ଧାରା ୩୦୨ ଦରଜ କଲା । କିନ୍ତୁ ତାକୁ କୋର୍ଟରେ ପ୍ରମାଣ କରିବା ପୁଲିସ ପକ୍ଷେ ଅସମ୍ଭବ ମନେହୁଏ ।

ମାମଲାକୁ ତଦନ୍ତ କରିଥିବା ପୁଲିସ ଅଧିକାରୀ କହନ୍ତି, ଅଭିଯୁକ୍ତ ଓ ଅଂଜଳିଙ୍କ ଭିତରେ ପୂର୍ବରୁ କୌଣସି ସଂପର୍କ ଥିବାର ଜଣା ନପଡ଼ିବାରୁ ମୃତ୍ୟୁକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ କହିବା ଠିକ୍‌ ହେବନି । ଅଭିଯୁକ୍ତମାନେ ଜାଣିଶୁଣି ଅଂଜଳିକୁ ଘୋଷାଡ଼ି ଘୋଷାଡ଼ି ମାରିଥିବା ପ୍ରମାଣ କରିବା କଷ୍ଟକର । ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରାଙ୍କ ମତରେ ଅଂଜଳିଙ୍କ ମୃତ୍ୟୁ ମାମଲାକୁ ହତ୍ୟାକାଣ୍ଡ ଅନ୍ତର୍ଭୁକ୍ତ କରିବା ଯଥାର୍ଥ । କିନ୍ତୁ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ପାଇଁ ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ।

ଅଂଜଳିଙ୍କ ମାମଲା ଚର୍ଚ୍ଚାରେ ଥିବାରୁ ଥାନାସ୍ତରରେ କୌଣସି ଅଧିକାରୀ କିଛି କହିବାକୁ ପଛାଉଛନ୍ତି । ଚାରିଆଡୁ ବିଚାର କରି ପୁଲିସ ହତ୍ୟାକାଣ୍ଡ ଧାରା ଲଗାଇଲେ କ’ଣ ହେବ ଖୋଦ୍‌ ପୁଲିସ ସନ୍ଦେହ ଜାଲରୁ ମୁକୁଳି ପାରିନି । ମାମଲା କୋର୍ଟଙ୍କ ବିଚାରାଧୀନ ଥିବାରୁ ପୁଲିସ ନିରବତା ରକ୍ଷା କରୁଛି ।