ଗୋ-ଖାଦ୍ୟ ଦୁର୍ନିତୀ ମାମଲାରେ ଲାଲୁଙ୍କୁ ଜାମିନ

ଝାଡଖଣ୍ଡ ହାଇକୋର୍ଟଙ୍କ ଜଷ୍ଟିସ୍‌ ଅପରେଶ ସିଂହଙ୍କ ଅଦାଲତ..

ନୂଆଦିଲ୍ଲୀ : ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ ମିଳିଛି । ଝାଡଖଣ୍ଡ ହାଇକୋର୍ଟଙ୍କ ଜଷ୍ଟିସ୍‌ ଅପରେଶ ସିଂହଙ୍କ ଅଦାଲତ ଜାମିନ ଆବେଦନର ଶୁଣାଣି କରି ୧୦ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବୁଧବାର ସିବିଆଇ ଏହି ମାମଲାରେ କୋର୍ଟରେ ତାଙ୍କର ଜବାବ ରଖିଥିଲେ । ଏଥିରେ ଲାଲୁ ଏପର୍ଯ୍ୟନ୍ତ ତାଙ୍କ ଅଧା ଦଣ୍ଡ ବି ଭୋଗ କରିନଥିବା କୁହାଯାଇଥିଲା । ତେବେ ଲାଲୁଙ୍କ ଓକିଲ ସେ ଅଧାରୁ ଅଧିକ ଦଣ୍ଡ ଭୋଗି ସାରିଥିବାର ଯୁକ୍ତି ବାଢିଥିଲେ ।

ସୂଚନାଯୋଗ୍ୟ ଯେ, ସ୍ୱତନ୍ତ୍ର ସିବିଆଇ କୋର୍ଟ ଫେବୃଆରୀ ୨୧ ତାରିଖ ଦିନ ଡୋରଣ୍ଡା କୋଷାଗାର ମାମଲାର ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲଦଣ୍ଡାଦେଶ କରିଥିଲେ । ଏହି ମାମଲାରେ ତାଙ୍କୁ ୬୦ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହା ବିରୋଧରେ ଲାଲୁ ହାଇକୋର୍ଟରେ ଜାମିନ ନିବେଦନ କରିଥିଲେ । ଏହା ପୂର୍ବରୁ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି ।