ମୋହମାୟା ସଂସାର: ଧୁଆମୁଗ ନୁହନ୍ତି ପୁଲିସ କର୍ମଚାରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗଂଜାମ ଡିସିଆରବିର ପୂର୍ବତନ ପୁଲିସ ଅଧିକାରୀ ତପନ କୁମାର ପାଢ଼ୀ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଅରୁଣ କୁମାର ସାହୁ ତାଙ୍କର ବିଚାର କରି ୨ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ସମେତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।

ଜରିମାନା ଅନାଦେୟ ଅତିରିକ୍ତ ଗୋଟିଏ ମାସ ସଶ୍ରମ କାରାବାସ କରିବାକୁ ପଡ଼ିବ । ୨୦୦୨ ମସିହାରେ ଭିଜିଲାନ୍ସ ବିଭାଗର ଆଖି ତପନ କୁମାର ପାଢ଼ୀଙ୍କର ଆୟ ବହିର୍ଭୂତ ସଂପତି ଉପରେ ପଡ଼ିଥିଲା । ୮ ଲକ୍ଷ ୯୯ ହଜାର ୪୩୮ ଟଙ୍କାର ହିସାବ ଦେଇ ନପାରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ।

ତପନଙ୍କୁ ଦୋଷୀ ପ୍ରମାଣିତ ଓ ଦଣ୍ଡାଦେଶରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ସାଧାରଣ ଲୋକଙ୍କ ଚାଲିଚଳଣ ଓ ସାମାଜିକ ପ୍ରତିଷ୍ଠା ସଂପର୍କରେ କ୍ଲିନ୍‌ ଚିଟ୍‌ ପ୍ରଦାନ କରୁଥିବା ପୁଲିସ ଅଧିକାରୀମାନେ ମଧ୍ୟ ଆଇନ ଆଖିରେ ଧୂଳି ଦେଇପାରନ୍ତି । ପୁଲିସ ପ୍ରଶାସନରେ ତପନଙ୍କ ଭଳି ହଜାର ହଜାର କର୍ମଚାରୀ ଅଛନ୍ତି; ମାତ୍ର ସେମାନଙ୍କୁ ଠାବ କରି ପୁଲିସ ବିଭାଗକୁ ଭ୍ରଷ୍ଟାଚାର ମୁକ୍ତ କରିବା ବିରାଟ ଚାଲେଂଜ ।